ଅନଗୁଳ,୨୪/୧୦(ସନ୍ଧାନ ନିୟୁଜ) : ଦୁଇ ଦିନ ହେଲା ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ଦେବାଲାଗି ଉଦ୍ୟମ ଚାଲିଛି କିନ୍ତୁ ସଫଳତା ମିଳିପାରୁ ନାହିଁ । ବୁଧବାର ବାଘୁଣୀକୁ ଲକ୍ଷ୍ୟ କରି ନିଶ୍ଚେତକ ଗୁଳି ପ୍ରୟୋଗ କରାଯାଇଥିଲେ ମଧ୍ୟ ତାହା ବାଜି ନ ଥିବା ଜଣାପଡ଼ିଛି। ବାଘୁଣୀ ବୁଦାମଧ୍ୟରେ ଲୁଚି ରହିଥିବାରୁ ଲକ୍ଷ୍ୟଭେଦ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ବାଘୁଣୀ କୁମୁରୀ ଗାଁରୁ ଦୁଇ କିଲୋମିଟର ଦୂରକୁ ଚାଲି ଯାଇଥିବା ସୂଚନା ମିଳିଛି। ତେଣେ ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ପ୍ରୟୋଗରେ ବିଫଳତାର କାରଣ ଶିମିଳିପାଳରୁ ହାତୀ ନ ଅାସି ପାରିବା ବୋଲି କେତେକ ମତ ଦେଉଛନ୍ତି।
ବିଶେଷଜ୍ଞଙ୍କ ମତରେ ସାଧାରଣ ଭାବେ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ .ସେମାନେ ହାତୀ ପିଠିରେ ବସି ଜଙ୍ଗଲକୁ ଯାଇଥାଆନ୍ତି। ବାଘକୁ ଠାବ କରି ଅତି ନିକଟରୁ ହାତୀ ପିଠି ଉପରୁ ନିଶ୍ଚେତକ ଗୁଳି ପ୍ରୟୋଗ କରିଥାଆନ୍ତି। ମାତ୍ର ଶିମିଳିପାଳରୁ ଆସିବାକୁ ଥିବା ପ୍ରଶିକ୍ଷିତ ହାତୀ ମହେନ୍ଦ୍ର ଓ ରାଜକୁମାର ସାତକୋଶିଆ ପହଞ୍ଚି ନ ପାରିବାରୁ ଏହା ସମ୍ଭବ ହୋଇନାହିଁ। ଦୁଇ ହାତୀଙ୍କୁ ସାତକୋଶିଆ ଆଣିବା ଲାଗି ଟ୍ରକ ଛିଡ଼ା ହୋଇଥିଲେ ମଧ୍ୟ ସେମାନେ ଟ୍ରକ ଉପରକୁ ଚଢ଼ୁ ନାହାନ୍ତି।