ଦ୍ବିତୀୟଦିନରେ ଶିମିଳିପାଳ ବୁଲିଲେ ୧୧୮ ପର୍ଯ୍ୟଟକ

Spread the love

ବାରିପଦା, 3/11( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):-  ଶିମିଳିପାଳ ଅଭୟାରଣ୍ୟକୁ ବୁଲିବା ପାଇଁ ଆଜି ଦ୍ବିତୀୟ ଦିନରେ ମୋଟ ୨୧ଟି ଗାଡିରେ ରାଜ୍ୟ ବାହାରର ୪୬ ଜଣ ପର୍ଯ୍ୟଟକଙ୍କ ସମେତ ମୋଟରେ ୧୧୮ ଜଣ ଯାଇଥିଲେ । ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶ ପଥ ମଧ୍ୟରୁ ବାରିପଦା ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ୮ଟି ଗାଡିରେ ରାଜ୍ୟ ବାହାରର ୩୦ ଜଣ ପର୍ଯ୍ୟଟକଙ୍କ ସମେତ ମୋଟ ୩୭ ଜଣ ପର୍ଯ୍ୟଟକ ଏବଂ ଯଶିପୁର କାଳିଆଣି ତନଖ୍ ଫାଟକ ଦେଇ ୧୩ଟି ଗାଡିରେ ରାଜ୍ୟ ବାହାରର ୧୬ ଜଣ ପର୍ଯ୍ୟଟକଙ୍କ ସମେତ ମୋଟ ୮୧ ଜଣ ଯାଇଥିଲେ । ଗତକାଲି ପ୍ରଥମ ଦିନରେ ମୋଟ ୪୩ଟି ଗାଡିରେ ଯାଇଥିବା ୨୫୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ଦେଇ ୨୮ଟି ଗାଡିରେ ମୋଟ ୧୭୫ ଜଣ ଏବଂ ଯଶିପୁର କାଳିଆଣି ତନଖ୍ ଫାଟକ ଦେଇ ୧୫ଟି ଗାଡିରେ ୮୩ ଜଣ ପର୍ଯ୍ୟଟକ ଯାଇଥିଲେ। ରାଜ୍ୟବାହାରର ୪ ଜଣ ପର୍ଯ୍ୟଟକ ପ୍ରଥମ ଦିନରେ ଶିମିଳିପାଳ ବୁଲି ଥିଲା ବେଳେ ଆଜି ଦିତୀୟ ଦିନରେ ୪୬ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିଛନ୍ତି । ଆଗାମୀ ଦିନରେ ଶିମିଳିପାଳକୁ ଅଧିକରୁ ଅଧିକ ସଂଖ୍ୟକ ରାଜ୍ୟ ବାହାରର ପର୍ଯ୍ୟଟକମାନେ ଆସିବା ସକାଶେ ଅଧିକ ଆଗ୍ରହୀ ଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ଶିମିଳିପାଳର ସ୍ୱତନ୍ତ୍ର ପର୍ଯ୍ୟଟନ ଋତୁଭାବେ ନଭେମ୍ବର ପହିଲାରୁ ଜୁନ୍ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ଏଥର କୋଭିଡ ପାଇଁ ଗତ ଜୁନ୍‌ ମାସ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ । ୧୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ବନ୍ଦ ହୋଇଯାଇଥିଲା । ତଥାପି ଗତ ପର୍ଯ୍ୟଟନ ଋତୁରେ ୪ ହଜାର ୪୫୬ଟି ଗାଡିରେ ମୋଟ ୨୮ ହଜାର ୯୧୫ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିଥିବା ସହିତ ମୋଟ ୨ କୋଟି ୭୨ ଲକ୍ଷ ୭ ହଜାର ୫୭୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା । ବୁଲିବା ମୋଟ ୨୮ ଜଣ ୯୧୫ ଜଣଙ୍କ ମଧ୍ୟରୁ ଓଡିଶାର ୨୧ ହଜାର ୫୫୭ ଜଣ ପର୍ଯ୍ୟଟକ ଥିଲା ବେଳେ ରାଜ୍ୟ ବାହାରର ୭ ହଜାର ୩୦୩ ଜଣ ପର୍ଯ୍ୟଟକ ଏବଂ ବିଦେଶୀ ପର୍ଯ୍ୟଟକ ୫୫ ଜଣ ଥିଲେ।

Related Posts

About The Author

Add Comment