ରାୟଗଡ଼ ୧୩/୨(ସନ୍ଧାନ ନିୟୁଜ) ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ସମ୍ବଲପୁରୀ ନିକଟରେ ଚାରି ବର୍ଷ ପୂର୍ବର ଡବଲ ମର୍ଡର କେସ୍ ରେ ଓଡିଶାର ପୂର୍ବତନ ବିଧାୟକ ତଥା ଓଡିଶା ୱେୟାର ହାଉସିଂଗ କାର୍ପୋରେସନର ଚେୟାରମ୍ୟାନ ଅନୁପ କୁମାର ସାଏଙ୍କୁ ଛଡ଼ିଶଗଡ଼ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି।
ପ୍ରକାଶିତ ଖବର ଅନୁଯାୟୀ, ଚକ୍ରଧରନଗର ଥାନା ପୋଲିସର ଦୃଢ଼ୋକ୍ତି ଏହାଯେ, ଗ୍ରାମ ସମ୍ବଲପୁରୀ ହୋଇଥିବା ଡବଲ ମର୍ଡର କେସ୍ ୭ ମଇ ୨୦୧୬ରେ ହୋଇଥିଲା ଏହି ଘଟଣାରେ ସମ୍ବଲପୁରୀ ଗ୍ରାମ ନିକଟରେ ସଡ଼କ ଉପରେ ଦୁଇ ମହିଳାଙ୍କର ଶବ ମିଳିଥିଲା। ପୋଷ୍ଟମାର୍ଟମ ରିପୋର୍ଟ ଆଧାରରେ ପୋଲିସ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ପୁଷ୍ଟି କରିଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ଶବଉପରେ ଗାଡ଼ି ଚଢ଼ାଇବାକୁ ମଧ୍ୟ ପ୍ରୟାସ କରିଥିଲେ।
ହତ୍ୟା ପରେ ଅନେକ ମାସ ପର୍ଯ୍ୟନ୍ତ ମୃତ ମହିଳାଙ୍କର ପରିଚୟ ମିଳିପାରିନଥିଲା। ଯାହାଫଳରେ ପୋଲିସର ଚିନ୍ତା ବଢ଼ିଯାଇଥିଲା। ଅନୁସନ୍ଧାନ ସମୟରେ ପୋଲିସ କୋଲକାତା ଏବଂ ନାଗପୁରର ରେଡ ଲାଇଟ ଏରିଆକୁ ମଧ୍ୟ ଯାଇ ବୁଝାବୁଝି କରିଥିଲା। ଏହାପରେ ପୋଲିସକୁ ଏକ ମୁଖ୍ୟ ସୂଚନା ମିଳିଥିଲା। ଜଣାପଡ଼ିଥିଲା ଦୁଇଜଣ ମହିଳା ବ୍ରଜରାଜନଗର ଓଡିଶା ବୋଲି। ଅନୁସନ୍ଧାନରୁ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୂପ କୁମାର ସାଏଙ୍କର କନେକ୍ସନ ହୋଇଥିବାର କଥା ସାମନାକୁ ଆସିଲା।
ଅନୁପ ସାଏଙ୍କୁ ପୋଲିସ ଗିରଫ କରିଥିବା ଖବର ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଆଉ ଏବେ ଏହି ନୂଆ ଖବର ଆସିବା ପରେ ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। ଏହା ସହ ବିଜେଡିରୁ ମଧ୍ୟ ବହିଷ୍କାର କରିଦିଆଯାଇଛି ତାଙ୍କୁ।
ଖବର ଅନୁଯାୟୀ ହତ୍ୟା କରାଯାଇଥିବା ଦୁଇ ମହିଳା ହେଉଛନ୍ତି ମା’ ଝିଅ। କୁହାଯାଉଛିଯେ, ସେମାନଙ୍କୁ କୁଆଡ଼େ ଝାରସୁଗୁଡ଼ାରେ ହତ୍ୟା କରାଯାଇ ଛତିଶଗଡ଼ ସୀମା ସେପଟେ ଫିଙ୍ଗି ଦିଆଯାଇଥିଲା।
ଅନୁପ ସାଏ ୨୦୦୦ ମସିହାରୁ ବ୍ରଜରାଜନଗରରୁ ୩ ଥର କଂଗ୍ରେସ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଛନ୍ତି।୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରିଥିଲେ।