ଦାନା ଛଡାଇ ନେଇଛି କରୋନା .. ଅନଟନରେ କୁମ୍ଭକାର ସଂପ୍ରଦାୟ

Spread the love

ଭଦ୍ରକ, ୦୮/୦୬/୨୦ (ସନ୍ଧାନ ନିଉଜ) : ସଂକଟରେ କୁମ୍ଭକାର ସଂପ୍ରଦାୟ । ଦାନା ଛଡାଇ ନେଇଛି କରୋନା କଟକଣା । ପାଖରେ ପଇସା ନାହିଁକି ରୋଜଗାର କରିବାର କୌଣସି ମାଧ୍ୟମ ବି ନାହିଁ । ଓଳିଏ ଖାଇଲେ ଆଉ ଓଳିଏ ଓପାସ । ଏପରିକି ଅର୍ଦ୍ଧାହାରରେ ବି ରହିବାକୁ ପଡୁଛି । କୁଳ ବେଉସାକୁ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ‘କୁମ୍ଭକାର’ ସଂପ୍ରଦାୟ ଏବେ ନାହିଁ ନଥିବା ଆର୍ଥିକ ଅନାଟନ ଭିତରେ ଗତି କରୁଛନ୍ତି । ଯାହା କିଛି ଜିନିଷ ତିଆରି କରିଥିଲେ ସେସବୁ ସେମିତି ପଡିରହିଛି । ବିଜ୍ଞାନରୁ ଉନ୍ନତି ସଂଗେ ସଂଗେ ଲୋକଙ୍କର ପସନ୍ଦ, ରୁଚି ଆଦିରେ ପରିବର୍ତ୍ତନ ଘଟୁଛି । କିନ୍ତୁ ଲୋକଙ୍କ ରୁଚିରେ ଯେତେ ପରିବର୍ତ୍ତନ ଘଟିଲେ ସୁଦ୍ଧା ବିବାହ, ବ୍ରତଘର ଓ ମୃତ କାର୍ଯ୍ୟରେ ସର୍ବପ୍ରଥମେ ମାଟିରେ ତିଆରି କିଛି ଏମିତି ସାମଗ୍ରୀ ଯେପରିକି ମାଟି ପଲମ, ଦୀପ, କଳସ, ହାଣ୍ଡି ଆଦିର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ । ଏହିସବୁ ସାମଗ୍ରୀ ବିନା ଉପରୋକ୍ତ କାର୍ଯ୍ୟ ସଂପାଦନ କରିବା ଅସମ୍ଭବ ହୋଇପଡିଥାଏ । ଏପରି ସ୍ଥଳେ ଏହି ସବୁ ସାମଗ୍ରୀ ସଂପାଦନା କରୁଥିବା ‘କୁମ୍ଭକାର’ କୋଭିଡ୍‌-୧୯ ରେ ଅବହେଳିତ ହୋଇପଡିଛନ୍ତି । କରୋନା ଯୋଗୁଁ ସେମାନେ ହାତବାନ୍ଧି ବସିଛନ୍ତି । ତାଙ୍କ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନର ଆଗ୍ରହ ଓ ସହଯୋଗ ମିଳିପାରୁନଥିବାରୁ ସେମାନେ ସେମାନଙ୍କର ଜୀବନ ଓ ଜୀବିକାକୁ ନେଇ ସଂଘର୍ଷ କରୁଥିବାର ଜଣାପଡିଛି । ଜୀବନ ପାଇଁ ଜୀବିକା ଗୁରୁତ୍ୱ ବହନ କରୁଥିବାରୁ ସରକାର ବିଭିନ୍ନ ନିୟମରେ କୋହଳ ଭାବ ପ୍ରକାଶ କରିଥିଲେ ସୁଦ୍ଧା ଏହାର ପ୍ରଭାବ ଏହି ସଂପ୍ରଦାୟ ଉପରେ ପଡିନଥିବା ଜଣାପଡେ ।

କୋଭିଡ୍‌-୧୯ ଯୋଗୁଁ ସରକାର ଧର୍ମାନୁଷ୍ଠାନ, ବିବାହ, ବ୍ରତଘର ଓ ମୃତକାର୍ଯ୍ୟ ଉପରେ କଟକଣା ଲଗାଇଥିବାରୁ ବର୍ତ୍ତମାନ ସେମାନଙ୍କ ବ୍ୟବସାୟ ଋତୁ ଚାଲୁଥିଲେ ସୁଦ୍ଧା ସେମାନଙ୍କ ବେପାର ପୁରା ବନ୍ଦ । କରୋନା ବେପାର ଋତୁରେ ସେମାନଙ୍କ ଉପରେ ଦାଉ ସାଧିଲା ବୋଲି ମାଟି କାରିଗରମାନେ କହିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ୍ ମହାନ୍ତିପଡା ପଂଚାୟତ ଅନ୍ତର୍ଗତ ତ୍ରସିାଳିଆ ଏପରି ଏକ ଗ୍ରାମ ଯେଉଁ ଗ୍ରାମରେ ୭୦ ପରିବାରର ପାଖାପାଖି ୫୦୦ ଜଣ କୁମ୍ଭକାର ସଂପ୍ରଦାୟର । ସେମାନେ ସେମାନଙ୍କ କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ସଂପ୍ରଦାୟର କିଛି କାରିଗର ଯଥା ଜଳଧର ସାହୁ, ପୁରୁଷୋତ୍ତମ ମୁଦୁଲି, ରଘୁନାଥ ରଣା, ନୃସିଂହ ମୁଦୁଲି ଓ ନାରାୟଣ ବେହେରା ଆଦିଙ୍କୁ ଯୋଗାଯୋଗ କରିବାରୁ ଜଣାଯାଏ ସେମାନଙ୍କ ଦ୍ୱାରା ନିର୍ମିତ ମାଟି ସାମଗ୍ରୀ ଯଥା ସୁରେଇ, କଳସୀ, ହାଣ୍ଡି, ପଲମ, ଦୀପ ଇତ୍ୟାଦି ତିଆରି କରି ଏହିସବୁ ସାମଗ୍ରୀକୁ ହାଟବାରିରେ ବିକ୍ରି କରିବା ସହ ସହରର କିଛି ବେପାରୀଙ୍କୁ ମଧ୍ୟ ବିକ୍ରି କରିଥାନ୍ତି । କିନ୍ତୁ କୋଭିଡ୍‌-୧୯ ଯୋଗୁଁ ସରକାର ଧର୍ମାନୁଷ୍ଠାନ, ବିବାହ, ବ୍ରତଘର ଆଦିରେ କଟକଣା ଲଗାଇଥିବାରୁ ନା ବେପାରୀ ଆସୁଛନ୍ତି ନା ସେମାନଙ୍କ ଜିନିଷ ବିକ୍ରି ହେଉଛି । ସେହିପରି ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ କାଠ, କୋଇଲା ଓ ମାଟି ଆଦିର ଦରକାର ଥିବାବେଳେ କଟକଣା ଲାଗି ରହିଥିବାରୁ ଏହିସବୁ ସାମଗ୍ରୀ କିଣିବାରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ଖରାର ପ୍ରଭାବ ଜୋର ଯୋଗୁଁ କଳସି, ସୁରେଇ ଆଦିର ଚାହିଦା ଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁଁ ସେମାନେ ଏହାକୁ ପ୍ରସ୍ତୁତ କରିବାକୁ ନିଜର ଅକ୍ଷମତା ପ୍ରକାଶ ମଧ୍ୟ କରୁଛନ୍ତି । କୋଭିଡ୍‌-୧୯କୁ ଲକ୍ଷ୍ୟରେ ରଖି ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ତେଣୁ ଏହିପରି ଏକ ବିପତ୍ତି ସମୟରେ ଏହି ସଂପ୍ରଦାୟକୁ ରୋଜଗାର କ୍ଷମ କରାଇବାର ଯୋଜନା ପ୍ରସ୍ତୁତ କରାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Related Posts

About The Author

Add Comment