ନୂଆଦିଲ୍ଲୀ, ୧୩/୦୪ (ସନ୍ଧାନ ନିୟୁଜ) : ମହାମାରୀ କରୋନା ଭାଇରସ ବିଶ୍ଵରେ ଆତଙ୍କ ଖେଳାଇଛି। ରୋକିବା ହେଉଥିବା ପ୍ରୟାସ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନା ଇତି ମଧ୍ୟରେ ଲକ୍ଷେରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଯାହାକି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ବିଶ୍ୱବ୍ୟାଙ୍କ ରିପୋର୍ଟ କହିଛି କରୋନା ସଂକ୍ରମଣ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହାର କାରଣ ଦାଦନ ସମସ୍ୟା ସମାଧାନରେ ଏସବୁ ଦେଶ ବିଫଳ ହୋଇଛନ୍ତି। ଦେଶାନ୍ତରୀ ହୋଇଥିବା ହଜାର ହଜାର ଲୋକ କରୋନା ଜନିତ ପରିସ୍ଥିତି ପାଇଁ ଘରମୁହାଁ ହୋଇଛନ୍ତି। ଯାହା ଫଳରେ ଯେଉଁ ସବୁ ରାଜ୍ୟ, ଜିଲ୍ଲା ଓ ଗାଁକୁ କରୋନା ଛୁଇଁ ପାରିନଥିଲା ସେହି ଅଞ୍ଚଳରେ ଶ୍ରମିକଙ୍କ ପାଇଁ କରୋନା ବ୍ୟାପିବାର ସମ୍ଭାବନା ରହିଛି ବୋଲି ବିଶ୍ୱବ୍ୟାଙ୍କ ସତର୍କ କରାଇ ଦେଇଛନ୍ତି।
ବିଶ୍ୱବ୍ୟାଙ୍କ ଜାରି କରିଥିବା ଦ୍ୱିବାର୍ଷିକ ଆଞ୍ଚଳିକ ରିପୋର୍ଟରେ କୁହାଯାଇଛି ବିଶ୍ୱର ଦକ୍ଷିଣ ଏସିଆ ସବୁଠାରୁ ଘନ ଆବାସୀୟ କ୍ଷେତ୍ର। ବିଶେଷକରି ସହରାଞ୍ଚଳରେ କରୋନା ସଂକ୍ରମଣ ଏବେ ଚାଲେଞ୍ଜ ହୋଇପାରେ। ବସ୍ତି ବାସିନ୍ଦା ଓ ଦାଦନ ଶ୍ରମିକ ହୁଏତ ଆଗକୁ ଭୂତାଣର ବାହକ ହୋଇପାରନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଭାରତ, ପାକିସ୍ତାନ ଓ ବାଂଲାଦେଶ ସାମାଜିକ ଦୂରତା ନିମନ୍ତେ ପଦକ୍ଷେପ ନେବାମାତ୍ରେ ଲୋକଙ୍କ ମାନସିକତା ବଦଳି ଯାଇଛି। ସମସ୍ୟାର ସମ୍ମୁଖୀନ ହୋଇ ସେମାନେ ନିଜନିଜ ଗାଁ’କୁ ଫେରିବା ପାଇଁ ନିୟମ ଭାଙ୍ଗି ଏକାଠି ହୋଇ ଚାଲି ଚାଲି ଗାଁ ଅଭିମୁଖେ ବାହାରିପଡିଥିଲେ। ଏଥିରେ ଲୋକେ ସାମାଜିକ ଦୂରତା ରକ୍ଷା ହୋଇପାରିନାହିଁ। ଯାହା କରୋନା ସଂକ୍ରମଣ ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି।