ଭୁବନେଶ୍ୱର, ୨୮/୧୦ (ସନ୍ଧାନ ନିଉଜ): ମମିତା ମେହେର ହତ୍ୟା ମାମଲା ଏବେ ଆହୁରି ଉଷ୍ମ ହେଉଛି । ପୁରା ରାଜ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ନେଇ ସ୍ଥିତି ଗମ୍ଭୀର ରହିଥିବା ବେଳେ ଥମିବାର ନା ନେଉନି ମମିତା ମର୍ଡର ତାତି । ଘଟଣା ଦିନ ଠାରୁ ଏପର୍ଯ୍ୟନ୍ତ ବିରୋଧି ରାସ୍ତାରେ ଅଡି ବସିଛନ୍ତି । କେତେବେଳେ ନବୀନ ନିବାସ ଘେରାଉ କରାଯାଉଛି ତ ଆଉ କେତେବେଳେ ଖୋଦ୍ ମନ୍ତ୍ରୀଙ୍କ ବାସଭବନ । କଳାହାଣ୍ଡି, ସମ୍ବଲପୁର, ଭୁବନେଶ୍ୱର ଚାରିଆଡେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିବାଦ କରାଯାଉଛି । ତେବେ ଏବେବି ଚୁପ୍ ସରକାର । ନା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଦନ୍ତ ପରିସରଭୁକ୍ତ ହେଉଛନ୍ତି ନା ରାଜ୍ୟ ସରକାର ତାଙ୍କ ବିରୋଧରେ କୌଣସି ପଦକ୍ଷପ ନେଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ରାଜନୀତି ପାରା ଏବେ ପୁରା ଉପରେ ରହିଛି ।
ଏହି ମାମଲାରେ କଂଗ୍ରେସ ଟିମ୍ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ପ୍ରେସମିଟ୍ କରି ଆଜି ପ୍ରତିକ୍ରିୟା ଦେଇ ବିଷ ଓଗାଳିଛନ୍ତି । ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଆଗରୁ ଯେଉଁଭଳି ପଦକ୍ଷପ ନେଉଥିଲେ ଏବେ ଆଉ ନେଉନାହାନ୍ତି । ଏମିତି କି ନିଭର୍ୟା କେସ୍ ସହିତ ମମିତା ହତ୍ୟା ଘଟଣାକୁ ସମାନ କରି ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ମାମଲା ଲାଗୁ କରାଯାଉ ବୋଲି ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ୍ ସୂର୍ଯ୍ୟେୱାଲା କହିଛନ୍ତି । ହତ୍ୟାକାଣ୍ଡ କେମିତି ହେଲା ତାହା ସ୍ପଷ୍ଟ କଲା ପୋଲିସ୍ ମାତ୍ର ହତ୍ୟା ଷଡଯନ୍ତ୍ର କେଉଁମାନେ କରିଥିଲେ ତାହା ଉପରେ କାହିଁକି ତଦନ୍ତ ହେଉନାହିଁ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି । ଯାହା ଏହି ମମିତା ମର୍ଡର ତାତିକୁ ଆହୁରି ବଢାଇଛି । ଏପଟେ ଡିଜିପି ଅଭୟଙ୍କୁ ଏନେଇ ପ୍ରଶ୍ନ କରାଗଲେ ଡିଜିପି ବି ରାଜ୍ୟ ସରକାରଙ୍କ ନୀତି ଅବଲମ୍ବନ କରି ଚୁପ୍ ରହି ପ୍ରଶ୍ନକୁ ଖୋଲାଖୋଲି ଏହାଇ ଯାଉଛନ୍ତି ଯାହାକୁ ନେଇ ରାଜ୍ୟରେ ଏକ ପ୍ରକାର ଅସନ୍ତୋଷ ବଢି ଚାଲିଛି । ଅନ୍ୟପଟେ କଂଗ୍ରେସ ପରେ ବିଜେପି ଜାତୀୟ ଟିମ୍ ମଧ୍ୟ ମମିତାଙ୍କ ଘରକୁ ଯାଇ ଆଲୋଚନା କରିବ ବୋଲି ଜଣାପଡିଛି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ଦୁଇ ସପ୍ତାହ ହେଲା ବିଜେପି ରାଜ ରାସ୍ତାରେ ପ୍ରତିବାଦ କରୁଥିବା ବେଳେ କେମିତି ଓ କେବେ ମମିତାଙ୍କୁ ନ୍ୟାୟ ମିଳିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି ।