ଭୁବନେଶ୍ୱର, ୩/୨(ସନ୍ଧାନ ନିୟୁଜ) ବିଧାୟକ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ଚିଟଫଣ୍ଡ ମାମଲାରେ ହାଜର ନୋଟିସ୍ କରିବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ଏହି ଘଟଣା ବହୁଳ ଭିତରେ ଆଜି କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି ସିବିଆଇର ନୂତନ ସ୍ଥାୟୀ ନିର୍ଦ୍ଦେଶକ, ୧୯୮୩ ମସିହା ମଧ୍ୟ ପ୍ରଦେଶ କ୍ୟାଡ଼ରର ବରିଷ୍ଠ ଆଇପିଏସ୍ ଅଧିକାରୀ ଋଷି କୁମାର ଶୁକ୍ଳାଙ୍କୁ। ସେ ଦିନେ ଦୁଇ ଦିନ ଭିତରେ ତାଙ୍କ ଦାୟୀତ୍ତ୍ୱ ଗ୍ରହଣ କରିବେ। ତେଣୁ ତାଙ୍କର ଯୋଗଦାନ ପରେ ପ୍ରଥମ କର୍ତ୍ତବ୍ୟ ସିବିଆଇର ହାନୀ ହୋଇଥିବା ମାନ ଓ ସମ୍ମାନକୁ ପୁନରୁଦ୍ଧାର କରିବା। ଏହି ମର୍ମରେ ଓଡ଼ିଶା ଓ ପଶ୍ଟିମ ବଙ୍ଗରେ ହୋଇଥିବା ଚିଟଫଣ୍ଡ ଦୁର୍ନିତୀ ମାମଲାକୁ ତ୍ୱରାନ୍ୱିତ କରିବା ହେବ ତାଙ୍କର ପ୍ରଥମ ଲକ୍ଷ। ୧୯୧୪ ମସିହାରୁ ଏହି ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନିତୀର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରୀମ କୋର୍ଟ। ପ୍ରାରମ୍ଭରୁ ସିବିଆଇ ତଦନ୍ତ ସକାରାତ୍ମକ ସ୍ଥିତି ଦେଇ ଗତି କରୁଥିଲା। ପରବର୍ତ୍ତୀ ପରିସ୍ଥିତିରେ ଏଥିରେ ରାଜନୈତିକ ହସ୍ତକ୍ଷେପ ମାତ୍ରାଧିକ ଭାବରେ ହୋଇଥିଲା। ଏହି ଚିଟଫଣ୍ଡ ମହାଦୁର୍ନିତୀରେ ଓଡ଼ିଶା ସରକାରର ଏକାଧିକ ବିଧାୟକ, ସାଂସଦ, ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କର ସମ୍ପୃକ୍ତି ସାମନାକୁ ଆସିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଗୁରୁତ୍ତ୍ୱ ଦେଇନଥିଲା ଶାସକ ବିଜେଡ଼ି। ମାତ୍ର ଯେଉଁଦିନ ନବୀନ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସହାୟକ ସରୋଜ ସାହୁଙ୍କୁ ସିବିଆଇ ଜେରା ପାଇଁ ଡାକିଥିଲା ତା’ ପରଠାରୁ ରଣ କୌଶଳ ପ୍ରସ୍ତୁତ କରିଥିଲା ରାଜ୍ୟ ସରକାର। ତତ୍କାଳୀନ ସିବିଆଇ ଏସପି ଥିବା ମନିଷ ସିହ୍ନାଙ୍କୁ ଭୁବନେଶ୍ୱରରୁ ବଦଳି କରିବା ଥିଲା ପ୍ରଥମ ଷ୍ଟ୍ରାଟେଜି। ଏହା ପରେ ଏହି କେସ୍ କୁ ଶିଥିଳ କରିବା ପାଇଁ ବିଜେଡ଼ି ସରକାର ପ୍ରସ୍ତୁତ କରିଥିଲା ଦ୍ୱିତୀୟ ରଣନୀତି। ସୁପ୍ରୀମ କୋର୍ଟରେ ମାମଲା ଦାୟର କରିଥିବା ଏକମାତ୍ର ପିଟିସନରକୁ ଜଣେ ବିଜେଡ଼ି ସାଂସଦଙ୍କ ମାଧ୍ୟମରେ କରାୟତ କରିଥିଲା ବିଜେଡ଼ି ସରକାର। ବିଭିନ୍ନ ଲୋଭନୀୟ ପ୍ରସ୍ତାବ ଦେଇ ଏହି ପିଟିସନରଙ୍କୁ ଏହି କେସ୍ ରୁ ବାହାର କରାଇବାରେ ସକ୍ଷମ ହୋଇଥିଲା ସରକାର। ମାତ୍ର କ୍ଷତିଗ୍ରସ୍ତ ହଜାର ହଜାର ସଂଖ୍ୟାରେ ଜମାକାରୀ ବିଭିନ୍ନ ପ୍ରକାର ମାଧ୍ୟମରେ ଏହି କେସ୍ ରେ ସମ୍ପୃକ୍ତ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଲେ ଓ ସିଧାସଳଖ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହାକୁ ତର୍ଜ୍ଜମା କରି ସଠିକ ସମୟରେ ଉଚିତ ପଦକ୍ଷେପ ନେଉଛି ସିବିଆଇ। ଏକଥା ସତ୍ୟଯେ, ନିର୍ବାଚନ ପୂର୍ବରୁ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରଭାବଶାଳୀ ଲୋକଙ୍କୁ ସିବିଆଇ ଡାକିବା ରାଜନୈତିକ ଦୃଷ୍ଟି କୋଣରୁ ଏକ ଚର୍ଚ୍ଚା ସୃଷ୍ଟି ହେଉଛି। ମାତ୍ର ଦୀର୍ଘ ସାଢ଼େ ଚାରିବର୍ଷର ଅନୁସନ୍ଧାନ ପରେ ସିବିଆଇ ଏକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ଏହି ଦୁଇ ବିଧାୟକଙ୍କ ଛଡ଼ା ଆସନ୍ତା ସପ୍ତାହରେ ବିଜେଡ଼ିର ଅନେକ ବରିଷ୍ଠ ନେତା ସିବିଆଇ ଜେରାର ସମ୍ମୁଖୀନ ହେବେ। କଟକ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ, ପୁରୀ ଜିଲ୍ଲାର ଜଣେ ଏବେକାର ମନ୍ତ୍ରୀ ଏହି ଦୁଇ ଜଣଙ୍କୁ ପୂର୍ବରୁ ସିବିଆଇ ଡାକି ଗୁପ୍ତଭାବରେ ଜେରା କରିସାରିଛି। ଏବେ ସିବିଆଇର ଫୋକସ ନବୀନ ନିବାସ ଓ ତୃତୀୟ ମହଲା ଉପରେ। ରାଜ୍ୟ କରାକାରଙ୍କ ଜଣେ ମହିଳା ଆଇଏଏସ୍ ଅଫିସରଙ୍କୁ ଜେରା ପାଇଁ ଦିନେ ଦୁଇଦିନ ଭିତରେ ସମନ ପଠାଇବ ସିବିଆଇ। ଏ ସମସ୍ତ ରାଜନେତା ଓ ପ୍ରଶାସନିକ ଅଧିକାରୀ ଯେଉଁମାନଙ୍କୁ ସିବିଆଇ ସମନ ପଠାଉଛି ସେମାନଙ୍କ ବିରୁଦ୍ଧରେ ଏତେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିଛି ସିବିଆଇଯେ, ଏମାନେ ସିବିଆଇ ଜାଲରୁ ମୁକୁଳିବା କଷ୍ଟ। ଥରେ ଦୁଇଥର ଜେରା ପରେ ଏ ସମସ୍ତଙ୍କୁ ସିବିଆଇ ବାନ୍ଧିବା ଥୟ।
ତ୍ୱରାନ୍ୱିତ ହେବ ସିବିଆଇ ମାମଲା, ଗିରଫ ହୋଇପାରନ୍ତି ଚିଟଫଣ୍ଡ ଲିଙ୍କରେ ଥିବା ଦୁଇ ଜଣ ବି ଜେ ଡି ନେତା
|
February 3, 2019 |
