ନୂଆଦିଲ୍ଲୀ,୬/୪ (ସନ୍ଧାନ ନିୟୁଜ) : ଘରୋଇ ବିମାନ କଂପାନି ଜେଟ୍ର ଅବସ୍ଥା ବହୁତ ଖରାପ ହୋଇଯାଇଛି। ବିମାନରେ ତେଲ ପକାଇବାକୁ କଂପାନି ପାଖରେ ସମ୍ବଳ ନାହିଁ। ସେଥିପାଇଁ ଆଜି ଇଣ୍ଡିଆନ୍ ଅଏଲ୍ ତରଫରୁ ଜେଟ୍କୁ ତେଲ ଯୋଗାଣ ବନ୍ଦ କରିଦିଆଯାଇଥିଲା। ଆବଶ୍ୟ କିଛି ଘଣ୍ଟା ପରେ ପୁଣି ତେଲ ଯୋଗାଣ ଆରମ୍ଭ ହୋଇଥିଲା। ଜେଟ୍ର ମାଲିକାନା ଖୁବ୍ଶୀଘ୍ର ଏହାକୁ ଋଣ ଦେଇଥିବା ୨୬ଟି ବ୍ୟାଙ୍କ ହାତକୁ ଆସିଯିବ। ବ୍ୟାଙ୍କମାନଙ୍କ ନେତୃତ୍ବ ନେଉଛି ଷ୍ଟେଟ୍ ବ୍ୟାଙ୍କ। କଂପାନି ପାଇଁ ପ୍ରସ୍ତୁତ କରାଯାଇଥିବା ପୁନରୁଦ୍ଧାର ଯୋଜନା ଅନୁସାରେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ପତ୍ନୀ କଂପାନିରୁ ବିଦାୟ ନେଇଛନ୍ତି। ତାଙ୍କ ଅଂଶଧନ ବ୍ୟାଙ୍କଗୁଡ଼ିକୁ ମିଳିଛି। ବ୍ୟାଙ୍କଗୁଡ଼ିକ ପାଖରେ ଏବେ ଜେଟ୍ର ମାଲିକାନା ହାସଲ ପାଇଁ ଆବଶ୍ୟକ ଅଂଶଧନ ରହିଛି। ଖୁବ୍ଶୀଘ୍ର ସେହି ଅଂଶଧନକୁ ବ୍ୟାଙ୍କଗୁଡ଼ିକ ନିଲାମ କରି ଏକ ନୂତନ ନିବେଶକକୁ ବିକ୍ରି କରିବେ। ଏହି କାମ ହେବା ପୂର୍ବରୁ ଜେଟ୍ର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହା ପାଖରେ ଆଉ ମାତ୍ର ୨୬ଟି ବିମାନ ରହିଯାଇଛି। ତାହାକୁ ନେଇ କଂପାନି କେତେକ ରୁଟ୍ରେ ଉଡ଼ାଣ ଜାରି ରଖିଛି। ଲିଜ୍ ସୂତ୍ରରେ ବିମାନ ଦେଇଥିବା କଂପାନିଗୁଡ଼ିକୁ ଜେଟ୍ ପେମେଣ୍ଟ୍ ଦେଇପାରୁନାହିଁ। ତେଣୁ ଏହି ବିମାନଗୁଡ଼ିକ ଆଉ କେତେ ଦିନ ଜେଟ୍ ପାଖରେ ରହିବ ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର। ପେମେଣ୍ଟ୍ ଠିକ୍ ସମୟରେ ନମିଳିଲେ ବିମାନ ଫେରାଇ ନେବେ ବୋଲି ଲିଜ୍ରେ ବିମାନ ଦେଇଥିବା କଂପାନିଗୁଡ଼ିକ ଜେଟ୍କୁ ଧମକ ଦେଇଛନ୍ତି। ଜେଟ୍ ଏହାର କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସଂଘର୍ଷ କରୁଛି।
ତେଲ କିଣିବାକୁ ଟଙ୍କା ନାହିଁ
|
April 6, 2019 |
