ତୀବ୍ର ହେବ ଢେଙ୍କାନାଳ ଲୋକ ସଭା ଲଢ଼େଇ, ୧୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ କେପି

Spread the love

ଢେଙ୍କାନାଳ: ୫/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ପୁଣିଥରେ ଢେଙ୍କାନାଳ ରାଜପରିବାର ଉପରେ ଭରସା କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂଦେଓ (କେପି)ଙ୍କୁ ମିଳିଛି ଲୋକସଭା ଟିକେଟ। ନୂଆ ସମୀକରଣ ଆଶାରେ ଦୀର୍ଘ ୧୫ବର୍ଷ ପରେ କେପି ପ୍ରତ୍ୟକ୍ଷ ରାଜନୀତିକୁ ଫେରିଥିବାବେଳେ ଢେଙ୍କାନାଳ ଲୋକ ସଭା ଲଢ଼େଇ ତୀବ୍ର ହେବ ବୋଲି ଚର୍ଚ୍ଚା ହେଉଛି।

୨୦୦୪ ଲୋକ ସଭା ନିର୍ବାଚନରେ କଂଗ୍ରେସରୁ ଏମ୍‌ପି ପ୍ରାର୍ଥୀ ହୋଇଥିଲେ କାମାକ୍ଷାପ୍ରସାଦ। ହେଲେ ତାଙ୍କୁ ସଫଳତା ମିଳି ନ ଥିଲା। ଏହାପରେ ସେ ଦଳ ସହ ସଂଶ୍ଲିଷ୍ଟ ଥିଲେ ମଧ୍ୟ ନିଜକୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରଖିଥିଲେ। ୧୯୬୭ରେ କେପି ସ୍ବତନ୍ତ୍ର ପାର୍ଟିରୁ ଏମ୍‌ପି ଭାବେ ବିଜୟୀ ହୋଇଥିଲେ। ଏହାପରେ ୧୯୮୦, ୧୯୮୪, ୧୯୯୧, ୧୯୯୬, ୧୯୯୯ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବାଜିମାତ୍‌ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପି.ଭି. ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା, ସୂଚନା ପ୍ରସାରଣ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ରହି କେପି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୧୯ ନିର୍ବାଚନରେ ତାଙ୍କୁ ପୁଣି ଥରେ ସୁଯୋଗ ମିଳିଥିବାରୁ ଏହା ତାଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି।

ଅପରପକ୍ଷେ ଢେଙ୍କାନାଳ ଲୋକ ସଭା ଆସନକୁ ଝୁଲାଇ ରଖିଛି ବିଜେଡି। ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନାହିଁ। କଂଗ୍ରେସ କେପିଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଗୋଟିଚାଳନା କରିଥିବାବେଳେ ବିଜେଡି ଆଶାୟୀ ଦୌଡ଼ରେ ଥିବା ତାଙ୍କ ପୁତ୍ରବଧୂ ତଥା ଜ୍ୟେଷ୍ଠ ପୁତ୍ର ଅମରଜ୍ୟୋତି ସିଂଦେଓଙ୍କ ସ୍ତ୍ରୀ ମିନାଲ କୁମାରୀଙ୍କ ପ୍ରାର୍ଥିତ୍ୱକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଧାୟକ ସରୋଜ କୁମାର ସାମଲଙ୍କ ସ୍ତ୍ରୀଙ୍କୁ ବିଜେଡି ଲୋକ ସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ସହରରେ ଚର୍ଚ୍ଚା ହେଉଛି। ବିଜେଡି ମହିଳା କାର୍ଡ ଖେଳି ସମସ୍ତଙ୍କୁ ଅକଳରେ ପକାଇପାରେ ବୋଲି ଯେଉଁ ଆଲୋଚନା ହେଉଛି, ଏହି ପ୍ରସଙ୍ଗ ତାକୁ ଅଧିକ ରୋଚକ କରିଛି।
ସେହିପରି ଭାଜପା ପକ୍ଷରୁ ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି ଏମ୍‌ପି ପ୍ରାର୍ଥୀ ହୋଇଛନ୍ତି। କେପି ଏବଂ ରୁଦ୍ରନାରାୟଣ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ବିଜେଡି ନୂଆ ମୁହଁ ଦେଇପାରେ ବୋଲି ଆଲୋଚନା ଜୋର୍‌ ଧରିଛି। ଏହାକୁ ନେଇ ନିର୍ବାଚନ ବାତାବରଣ ବେଶ୍‌ ସରଗରମ ହୋଇଛି।

Related Posts

About The Author

Add Comment