ମାଲକାନଗିରି, ୦୧/୦୬/୨୦ (ସନ୍ଧାନ ନିଉଜ) : ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇ ମାନବ ସମାଜକୁ ଗ୍ରାସକରି ଆତଙ୍କ ସୃଷ୍ଟି କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେନ୍ଦୁଗୁଡା ଗ୍ରାମରେ ଅଚିହ୍ନାରୋଗରେ ତିନିମାସ ମଧ୍ୟରେ ପ୍ରାୟ ୧୭ଜଣଙ୍କର ମୃତ୍ୟୁ ହୋଇଥିବାର ଗ୍ରାମବାସୀ ମାନେ କୁହନ୍ତି । ଗତ ୧୦ଦିନ ମଧ୍ୟରେ ୪ଜଣଙ୍କର ମୃତ୍ୟୁ ଘଟାଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଆଜି ଘଟଣାସ୍ଥଳରେ ଡାକ୍ତରି ଦଳ ପହଁଚି ଅନୁଧ୍ୟାନ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନାରୋଗ ଆରମ୍ଭ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟିଚାଲିଛି । ଆକ୍ରାନ୍ତ ମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି, କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳୁଛି । ଆଜି ଗତକାଲି ରାତ୍ରରେ କେନ୍ଦୁଗୁଡା ଗ୍ରାମର ମୁନା କବାସୀ(୨୨) ନାମକ ଜଣେ ଆଦିବାସୀ ଯୁବକର ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ ସମରା କବାସୀ(୨୫) ଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଦିନମଧ୍ୟରେ ଉଙ୍ଗା ମାଡକାମି,ଆଇତା ମୁସାକି ଙ୍କର ମୃତ୍ୟୁ ହୋଇଛି । ଗତ ମାର୍ଚ ଓ ଅପ୍ରିଲ ମାସରେ ଲକ୍ଷ୍ମା ସୋଡି,ଏରା କୁରାମୀ,ଭିମା କବାସୀ, ସୁଲେ କବାସୀ,ରାମଚନ୍ଦ୍ର ମାଡକାମୀ,ଆଇତା ମାଡକାମୀ, ଆଡମା ମାଡକାମି ଙ୍କୁ ମିଶାଇ ଗତ ତିନିମାସ ମଧ୍ୟରେ ପ୍ରାୟ୧୭ଜଣଙ୍କର ମୃତ୍ୟୁଘଟିଥିବାର ଗ୍ରାମବାସୀ ମାନେ କହିଛନ୍ତି । ଏହି ଖବର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ ଜାଣିବା ପରେ ସେ କେନ୍ଦୁଗୁଡା ଗ୍ରମ କୁ ଗସ୍ତ କରି ମୃତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ଓ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଗ୍ରାମରରେ ଅଚିହ୍ନାରୋଗରେ ଲୋକମାନଙ୍କର ମୃତ୍ୟୁ ଘଟୁଥିବା ସଂପର୍କରେ ସୁଚନା ଦେଇଥିଲେ । ଆଜି ସକାଳେ ପାଣ୍ଡ୍ରୀପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜ୍ୟୋତି ରଂଜନ ନାୟକ,ପଦ୍ମଗିରି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମରେଶ ଜେନା ଓ ସ୍ୱାସ୍ଥ୍ୟକର୍ମୀ କେନ୍ଦୁଗୁଡା ଗ୍ରାମରେ ପହଁଚି ଗ୍ରାମବାସୀ ମାନଙ୍କୁ ଭେଟି ମୃତମାନଙ୍କ ସଂପର୍କରେ ପଚାରି ବୁଝିବା ସହିତ ଆକ୍ରାନ୍ତଙ୍କୁ ଜିଲ୍ଲା ହସପିଟାଲ ରେ ଚିକିତ୍ସା ହେବାପାଇଁ ପରାମର୍ଶ ଦେଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହି ଗ୍ରାମରେ ଅସ୍ଥାୟୀ ଚିକିତ୍ସା କ୍ୟାମ୍ପକରି ଆକ୍ରାନ୍ତ ମାନଙ୍କୁ ଭେଟି ସେମାନଙ୍କୁ ପରୀକ୍ଷା କରି ସ୍ୱାସ୍ଥ୍ୟସେବା ଯୋଗାଇ କେତେଜଣଙ୍କୁ ପଦ୍ମଗରି ସ୍ୱସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାନିମନ୍ତେ ପଠାଇଥିଲେ । ଏ ସଂପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅରୁଣକୁମାର ପାଢୀ ଙ୍କୁ ପଚାରିବାରୁ ସେ କହିଛନ୍ତି କେନ୍ଦୁଗୁଡା ଗ୍ରାମରେ ଗତ ତିନିମାସ ମଧ୍ୟରେ କିଛି ଲୋକଙ୍କର ମୃତ୍ୟୁଘଟିଛି, ସେମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଓ ବୃଦ୍ଧା ଅଛନ୍ତି । ଅନ୍ୟମାନଙ୍କର ଗୋଡ ହାତ ଫୁଲିଯାଇ କିଛି ଦିନପରେ ଅଚଳ ହୋଇ ଯାଉଥିବାର ଜଣାପଡିଛି,କିଡନୀ, ଲିଭର,ରକ୍ତହିନତା କିମ୍ବା ହୃଦ ରୋଗ ହେଲେ ଏପରି ଲକ୍ଷଣ ଦେଖା ଦେଇଥାଏ, କିମ୍ବା ଅନ୍ୟ ରୋଗର ଲକ୍ଷଣ ହୋଇଥାଇ ପାରେ । ଆକ୍ରାନ୍ତ ମାନେ ଡାକ୍ତର ଖାନାକୁ ନ ଯାଇ ଡାକ୍ତରଙ୍କୁ ନଦେଖାଇ ଗାଁର ଦିଶାରୀ ଗୁଣିଆ, କ୍ୱାକ ମାନଙ୍କ ନିକଟକୁ ଯାଉଛନ୍ତି । ସେଠାରେ ଭଲ ନହେବା ପରେ ଡାକ୍ତରଖାନା କୁ ଆସିଲା ବେଳକୁ ରୋଗ ବଢି ଶେଷଅବସ୍ଥାରେ ପହଁଚି ଯାଉଛି,କିଏ ଭଲ ହେଉଛି ତ ଆଉ କାହାର ମୃତ୍ୟୁ ଘଟୁଛି, ଗତ ଏପ୍ରିଲ ମାସରେ ସେହି ଗାଁର କିଛି ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା ନିମନ୍ତେ ଅଣା ଯାଇଥିଲା, ସେମାନେ ସୁସ୍ଥ ହୋଇ ଗାଁକୁ ଫେରି ଥିଲେ । ଏହା କୌଣସି ଅଚିହ୍ନା କିମ୍ବା ମାରତ୍ମକ ରୋଗ ନୁହଁ ଏଥିରେ ଭୟଭିତ ହେବାର କିଛି ନାହିଁ, ବର୍ତମାନ କେନ୍ଦୁଗୁଡା ଗ୍ରାମରେ ପରିସ୍ଥିତି ନିୟନ୍ତ୍ରାଣଧିନ ରହିଛି, ସେପରି କିଛି ଭୟାବହ ପରିସ୍ଥତି ସୃଷ୍ଟି ହୋଇ ନାହିଁ । ସେଠାରେ ସ୍ୱତନ୍ତ୍ରଭାବେ ଗତ କାଲିଠାରୁ ଡାକ୍ତର ଟିମ ରହି ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ସିଡିଏମଓ ଡା. ପାଢୀ କହିଛନ୍ତି । ଅପର ପକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି କହିଛନ୍ତି ଗତ ତିନିମାସ ମଧ୍ୟରେ କେନ୍ଦୁଗୁଡା ଗୋଟିଏ ଗ୍ରାମରେ ପ୍ରାୟ୧୭ଜଣରୁ ଉର୍ଦ୍ଦ ଆଦିବାସୀ ଲୋକଙ୍କର ଅଚିହ୍ନା ରୋଗରେ ମୃତ୍ୟୁ ଘଟିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ନ ଦେଇ ଖାଲି ଅନୁଧ୍ୟାନ ଚଳାଇଛନ୍ତି । ଆକ୍ରାନ୍ତଙ୍କ ଲକ୍ଷଣ ଜଣାପଡୁଥିଲେ ମଧ୍ୟ ରୋଗର ଓ ମୃତ୍ୟୁ ହେବାର କାରଣ କଣ ଜଣାପଡୁନଥିବାରୁ ପ୍ରତି ମାସ କେନ୍ଦୁଗୁଡା ଗ୍ରାମର କିଛି ଲୋକଙ୍କର ମୃତ୍ୟୁଘଟୁଛି ।ତୁରନ୍ତ ଏହି ରୋଗର କାରଣ ପରୀକ୍ଷା କରି ଗ୍ରାମବାସୀ ମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଶ୍ରୀ ପଡିଆମି ଦାବିକରିଛନ୍ତି ।
ତିନି ମାସ ମଧ୍ୟରେ ଅଚିହ୍ନା ରୋଗରେ ୧୭ମୃତ
|
June 1, 2020 |