ଜେନାପୁର/୦୯/୦୫/ସନ୍ଧାନ ନିଉଜ୍(ପ୍ରଶାନ୍ତ ସାମଲ )
ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକ ସାଧାରଣତଃ ପାହାଡିଆ ଅଞ୍ଚଳ । ଉକ୍ତ ପଞ୍ଚାୟତରେ ଲୋକମାନଙ୍କର ମୁଖ୍ୟ ସମସ୍ୟା ପିଇବା ପାଣି । ଏ ପର୍ଯ୍ୟନ୍ତ ଉକ୍ତ ପଞ୍ଚାୟତରେ ଲୋକମାନଙ୍କ ପାଇଁ ପିଇବା ପାଣିର ସମସ୍ୟା ଦୁରୀଭୂତ ହୋଇ ପାରିନଥିବା ବେଳେ ଏଠାରେ କିନ୍ତୁ ସରକାରୀ ଅନୁଦାନକୁ ବିଭିନ୍ନ ଅନାବଶ୍ୟକ କାର୍ଯ୍ୟ କରି ଉକ୍ତ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ବ୍ଲୁ ପ୍ରିଣ୍ଟର ଯୋଜନା କରି ଟଙ୍କା ହରିଲୁଟ ଉଦ୍ଧେଶ୍ୟରେ ଖର୍ଚ୍ଚ କରାଯାଇଥାଏ । ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଏହି ପଞ୍ଚାୟତରେ ହେଉଥିବା ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ । ପଞ୍ଚାୟତ ନିର୍ବାଚନ ପରେ ଅନେକ ପ୍ରକାର ଉର୍ଣ୍ଣତି ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ପାଣ୍ଠିରୁ ଅନୁଦାନ ଆସିଛି । ଆଉ ଏହି ଅନୁଦାନ ରାଶିକୁ କିପରି ସୁପରିକଳ୍ପିତ ଭାବେ ହଡ଼ପ କରିହେବ ଗତ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ କାର୍ଯ୍ୟରୁ ତାହାର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଯାହାକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ପ୍ରକଟ କରିବେ । ଉକ୍ତ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁଠାରେ ଗଡମଧୁପୁର ଫରେଷ୍ଟ ବିଭାଗ ଉକ୍ତ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିକୁ ସୁରକ୍ଷା ଦେବାକୁ ଯାଇ ଗଛ ଲଗାଇ ବଡ଼ କରିଛି । ସେହି ଜଙ୍ଗଲ ଜମି (ପାହାଡର ପଦଦେଶ)ରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ପ୍ରାୟ ୧୦-୧୨ଟି ବଡ଼ ବଡ଼ ଗଛକୁ କାଟି ନଷ୍ଟ ଭ୍ରଷ୍ଟ କରି ପ୍ରାୟ ୫୦୦ ମିଟର ପାଖାପାଖି ବିନା ସୂଚନା ଫଳକରେ ଲୋକଙ୍କ ବଦଳରେ ପ୍ରୋକ୍ଲିନ ମେସିନ ଲଗାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଯାହାକୁ ଏହା ଏକ ବେଆଇନ କାର୍ଯ୍ୟ ବୋଲି ଖୋଦ ବନପାଳ ଉକ୍ତ ସ୍ଥାନ ପରିଦର୍ଶନ କରି ମଧ୍ୟ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଗଛ ଲଗାଇ ବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ ଏହି ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ବିଭିନ୍ନ ପ୍ରକାର ଗଛ ଲଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିନ୍ତୁ ପଞ୍ଚାୟତରେ ଲୋକଙ୍କ ଜଳ ଭଳି ମୌଳିକ ସୁବିଧା ଓ ଗଛ ଲଗାଇବା କାର୍ଯ୍ୟକ୍ରମକୁ ଏଡାଇଯାଇ ଏହି ଜଙ୍ଗଲ କାଟି ନିର୍ମାଣ କରାଯାଉଥିବା ରାସ୍ତା ଯାହା ଲୋକଙ୍କ ସେବାରେ ଲାଗିବନାହିଁ ସେଠାରେ କଣ ପାଇଁ ରାସ୍ତା ନିର୍ମାଣ କରାଯାଉଛି ଆଉ ଏହି ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଲୋକପ୍ରତିନିଧି ମାନେ କିଭଳି ସମର୍ଥନ କରିଛନ୍ତି ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି । ଏ ବାବଦରେ ଜେଇଙ୍କ ସମେତ ଜିଆରଏସ, ବନପାଳ ଓ ପିଇଓଙ୍କୁ ପଚାରିବାରୁ ଏଭଳି କାର୍ଯ୍ୟ ପାଇଁ କୌଣସି ଅନୁଦାନ ଆସିନଥିବା ନେଇ ସଫେଇ ଦେଇଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ଏନଓସି ଦିଆଯାଇନାହିଁ ବୋଲି ମଧ୍ୟ ବନପାଳ କହିଛନ୍ତି। ଜଣେ ବିଜେଡି କର୍ମୀଙ୍କ ପ୍ରରୋଚନାରେ ଏଭଳି ଜଙ୍ଗଲ କାଟି ଉକ୍ତ ରାସ୍ତାକାର୍ଯ୍ୟ ହେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଉକ୍ତ ରାସ୍ତା ନିର୍ମାଣ କରିଛନ୍ତି ବନବିଭାଗ ଏହାର ଉଚ୍ଚସ୍ଥରୀୟ ତଦନ୍ତ କରି ସେମାନଙ୍କ ପ୍ରତି ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ଦାବିକରିଛନ୍ତି ।