ତାଳଚେର,୯/୬ (ସନ୍ଧାନ ନିୟୁଜ୍): କୋଇଲା ନଗରୀ ତଥା କଳାହୀରାର ସହର ତାଳଚେର । ଭୂଗର୍ଭ କୋଇଲାରେ ଭରପୂର । କୋଇଲା ଖନନ ଏବଂ ପରିବହନ ବାବଦରେ ଉଭୟ ରାଜ୍ୟ କେନ୍ଦ୍ର ସରକାର ଏଠାରୁ ବାର୍ଷିକ କୋଟ କୋଟି ଟଙ୍କା ରାଜସ୍ୱ ପାଆନ୍ତି । ସେହିପରି ବିଦୁ୍ୟତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ତାଳଚେର ଦେଶର ବହୁ ଅଂଚଳକୁ ଆଲୋକିତ କରିଥାଏ । ଭରପୁର ରୋଜଗାର ଦେଉଥିବା ଏହି ସହରକୁ ଦୈନନ୍ଦିନ କାମଧନ୍ଦା ଅନ୍ୱେଷଣ ଆଶାରେ ବିଭିନ୍ନ ଅଂଚଳରୁ ଛୁଟି ଆସନ୍ତି ଅନେକ ଲୋକ । ତେବେ ଏଠାରେ ମଧ୍ୟ ଲୁଚି ରହିଛି ଦାରିଦ୍ର୍ୟର କରୁଣ ଚିତ୍ର,ଯାହାକୁ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଗତ ଅପପୃଷ୍ଟିର ଶୀକାର ହୋଇ ଏକ ଶିଶୁ ପ୍ରାଣ ହରାଇବା ପରେ ତାଳଚେରରେ ଲୁଚି ରହିଥିବା ଚରମ ଦାରିଦ୍ର୍ୟ ଏବଂ ପ୍ରଶାସନର ଅପାରଗତା ଲୋକଲୋଚନକୁ ଆସିଛି । ଉପଯୁକ୍ତ ଖାଦ୍ୟର ଅଭାବ ବଂଚିବାକୁ ଦେଇନି ଆଗାମୀ କାଲିର ଜଣେ ଭବିଷ୍ୟତକୁ । ଶିଶୁଙ୍କ ଖାଦ୍ୟପେୟ, ବିକାଶ ପାଇଁ ସରକାର ଅନେକ ହିତକର ଯୋଜନା ଲାଗୁ କରିଥିଲେ ହେଁ ତାହା ଏପରି ଅପପୃଷ୍ଟି ଜନିତ ମୃତୁ୍ୟ ତଳେ ଚାପି ହୋଇଯାଇଥିବା ପରି ଲାଗୁଛି । ତାଳଚେର ପୈାରାଂଚଳର ୱାର୍ଡ଼ ନମ୍ବର ୧୦ ଅନ୍ତର୍ଗତ ଡମ ସାହିର ଭିନ୍ନକ୍ଷମ ତଥା ଅତି ଗରିବ ଶ୍ରେଣୀର ଶିବ ବେହେରାଙ୍କ ୨ବର୍ଷର ପୁଅ ଅଧା ବେହେରା ଅପପୃଷ୍ଟିର ଶୀକାର ହୋଇ ମୃତ୍ୟୁବରଣ କରିଛି । ଶିବ ବେହେରା ଜଣେ ଭିନ୍ନକ୍ଷମ ହୋଇଥିଲେ ହେଁ ଟ୍ରଲି ବୋହି ପରିବାର ପ୍ରତିପୋଷଣ କରି ଆସୁଥିଲେ । ତେବେ ତାଙ୍କ ପୁତ୍ର ଅଧା ଜନ୍ମରୁ ସ୍ୱାଭାବିକ ଥିଲେ ହେଁ ବୟସ ବଢ଼ିବା ସାଙ୍ଗକୁ ଖାଦ୍ୟାଭାବ ଯୋଗୁଁ ଅପପୃଷ୍ଟିର ଶୀକାର ହୋଇଥିଲେ । ତେବେ ଅଧା ଅପପୃଷ୍ଟିର ଶିକାର ହେବା ଘଟଣାକୁ କେହି ହେଲେ ଧ୍ୟାନ ଦେଇନଥିଲେ । ଫଳରେ ଶିଶୁଟି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ଗତ ପ୍ରାୟ ଦେଢ଼ ମାସ ହେବ ଅଧା ଏକ କଙ୍କାଳ ସଦୃଶ ପ୍ରତୀୟମାନ ହେଉଥିଲା । ୩ ଦିନ ତଳେ ଅଧା ଜ୍ୱରରେ ପୀଡ଼ିତ ହେବାରୁ ସମାଜସେବୀ ବାପି ମହାନ୍ତି ତାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ନେଇ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଶ୍ରୀ ମହାନ୍ତି ଅଧାଙ୍କୁ କଟକ ବଡ଼ ମେଡ଼ିକାଲ ନେବାବେଳେ ବଅଁରପାଳ ନିକଟରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଆହୁରି ଗୁରୁତର ହୋଇଥିଲା । ଫଳରେ ଶିଶୁଟିକୁ ତୁରନ୍ତ ଅନୁଗୋଳ ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଫଳରେ ଆଗାମୀ କାଲିର ଜଣେ ଭବିଷ୍ୟତର ଅପପୃଷ୍ଟର ଶିକାର ହୋଇ ଅକାଳରେ ଜୀବନ ଚାଲିଗଲା । ଶିଶୁମାନଙ୍କୁ ଅପପୃଷ୍ଟିରୁ ବଂଚାଇବା ପାଇଁ ସରକାର ସ୍ୱତନ୍ତ୍ର ଉପଚାର କେନ୍ଦ୍ର ଖୋଲିଥିଲେ ସୁଦ୍ଧା ଅନେକ ଗରିବ ପରିବାର ଏଥିରୁ କୈାଣସି ଲାଭବାନ ହୋଇ ପାରୁନଥିବାର ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ବିଭାଗୀୟ ଅଧିକାରୀ ମାନେ କେବଳ କାଗଜ କଲମରେ ହିଁ ଅପପୃଷ୍ଟି ଦୂରିକରଣ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି ତାଙ୍କ ଘରଠାରୁ ମାତ୍ର ୨ଶହ ମିଟରରେ ଅବସ୍ଥିତ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧ୍ୟ କେବଳ ଦେଖଣାହାରୀ ସାଜିଥିବାର ମଧ୍ୟ ଅଭିଯୋଗ ହୋଇଛି । ଦରଦାମ ବୃଦ୍ଧି ଯୋଗୁଁ ଆନେ୍ଦାଳନ କରି ସମ୍ବାଦପତ୍ରରେ ଧ୍ୟାନ ଆକର୍ଷଣ କରୁଥିବା ଜନ ପ୍ରତିନିଧି, କୁଜି ନେତା,ପୈାର ପ୍ରଶାସନ, ପାରିଷଦଗଣ,ବ୍ଲକ ପ୍ରଶାସନ ଏବଂ ବିଭିନ୍ନ ସଭାସମିତି ମାନ ଆୟୋଜନ କରି ଚର୍ଚ୍ଚାରେ ରହୁଥିବା ସାମାଜିକ ଅନୁଷ୍ଠାନଗୁଡ଼ିକର ଆଖି ମଧ୍ୟ ନିରୀହ ଅଧା ଉପରେ ପଡ଼ି ନଥିବା ବାସ୍ତବିକ କ୍ଷୋଭର ବିଷୟ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ତେବେ ଦେଖାଯାଉ ଅପପୃଷ୍ଟିରେ ଜଣେ ଶିଶୁର ଜୀବନ ଚାଲିଯିବା ପରେ ରାଜ୍ୟ ସରକାର ତଥା ପ୍ରଶାସନ ବର୍ତମାନ କଣ ପଦକ୍ଷେପ ନେଉଛନ୍ତି ।