ବାରିପଦା, ୨୬/୦୭/୨୦ (ସନ୍ଧାନ ନିଉଜ) : କ୍ଷମତାର ଅବ୍ୟବହାର ଯୋଗୁଁ କଳାହାଣ୍ଡି ଜିଲ୍ଲାକୁ ଡେପୁଟି କଲେକ୍ଟର ଭାବେ ରାତିଅଧିଆ ବଦଳି ହୋଇଥିବା ବେତନଟୀର ବିଦାୟୀ ତହସିଲଦାର ଅନିଶା ଦାସଙ୍କଅଡୁଆ ଏଯାଇ ତୁଟିନି, ଲଘୁ ଖଣିଜ ମାଫିଆଙ୍କ ସହିତ ସମ୍ପର୍କ କାରଣରୁ ସେ ବିବାଦୀୟ ହୋଇ ପଡିଥିବା ବେଳେ ବରିଷ୍ଠ ଅଧିକାରୀଙ୍କ କାମକୁ ବ୍ୟବହାର କରି ନିଜ ପଦ ଓ ଗାରିମାଇ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ନେଇ ଏକାଧିକ ଅଡିଓ ବାର୍ତ୍ତାଳାପ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତାଙ୍କୁ ହଟାଇ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ତହସିଲଦାର ଦାୟିତ୍ଵ ଦେଇଛନ୍ତି । ତେବେ ଏତିକିରେ ବିଦାୟୀ ତହସିଲଦାରଙ୍କ ଅଡ଼ୁଆ ସରିନାହିଁ ଗତକାଲି ବିଳମ୍ବିତ ରାତିରେ ଶ୍ରୀମତୀ ଦାସଙ୍କୁ ବେତନଟୀ ଥାନାକୁ ଡକାଯାଇ ପଚରାଉଚରା କରାଯାଇଥିବା ବେଳେ ଆଜି ବୈଶିଙ୍ଗା ଥାନାରେ ଉପସ୍ଥିତ ହୋଇ ସେ ତାଙ୍କ ପକ୍ଷ ରଖିଥିଲେ । ବ୍ୟକ୍ତିଗତ ମୁଚାଲିକାରେ ତହସିଲଦାରଙ୍କୁ ଥାନାରୁ ଛଡାଯାଇଥିବା ବେଳେ ଆଜି ତାଙ୍କୁ ରିଲିଭ୍ କରାଯାଉଛି । ତଦନ୍ତ ସରିଲେ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାଗଜପତ୍ର ଠିକ ଥିଲେ ମଧ୍ୟ ବେଆଇନ ଭାବେ ମୋରମ ବୋଝେଇ ଟ୍ରକକୁ ଅଟକାଇ କିଛି ମାଫିଆଙ୍କ ସହାୟତାରେ ତହସିଲଦାର ଚାନ୍ଦା ମାଗୁଥିବା ଘଟଣା କ୍ରମଶଃ ବିନାଦୀୟ ହେବାରେ ଲାଗିଛି । ଘଟଣାର ସମ୍ନେବନଶୀଳତା ଦୃଷ୍ଟିରୁ ଖୋଦ୍ ଏସପି ସ୍ମିତ ପି ପରମାଇ ବ୍ୟକ୍ତିଗତ ଭାବେ ଏହି ମାମଲାରେ ତଦାରଖ କରୁଛନ୍ତି।ଆଜି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ବାଲେଶ୍ଵରକୁ ବରିଷ୍ଟ ପୁଲିସ୍ ଅଧିକାରୀ (ଡିଏସପି) ମନୋଜ ରାଉତ ବୈଶିଙ୍ଗା ଆସି ମାମଲା ସମ୍ପର୍କରେ ଖୋଜତାଡ କରିଛନ୍ତି। ସେହିପରି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ବୈଶିଙ୍ଗା ଥାନା ଆସିଆଇସି ଲକ୍ଷ୍ମିଧର ସ୍ବାଇଁ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ବଡ଼ସାହି ଆଇଆଇସି ଜୟନ୍ତ କୁମାର ବେହେରା ପ୍ରମୁଖ ମଧ୍ୟ ଏହି ମାମଲାରେ ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଘଟଣା ଦିନ ବ୍ୟବସାୟୀ ଶ୍ରୀକାନ୍ତ ଦାସଙ୍କ ଡମ୍ଫରକୁ ବୈଶିଙ୍ଗାରେ ଅଟଳ ରଖାଯାଇଥିଲା ବୋଲି ବେତନଟୀ ତହସିଲଦାର ଥାନାରେ ଏତଲା ଦେଇଛନ୍ତି। ତେବେ ଏହି ଘଟଣା ବାବଦରେ ବୈଶିଙ୍ଗା ରାଜସ୍ବ ନିରୀକ୍ଷିକ (ଆର ଆଲ ) ଅହଲ୍ୟା ବେହେରାଙ୍କୁ ପଚାରିବାରୁ ସେ କୈାଣସି ଗାଡ଼ି ଜବତ କୀମ୍ବା ଯାଞ୍ଚ ବାବଦରେ ଜାଣିନଥିବା କହିଛନ୍ତି। ଯଦି ଆରଆଇ କୈାଣସି ଗାଡ଼ି ଜବତ କରିନଥିଲେ ତେବେ ଗାଡ଼ି କିଏ ଜବତ କରିଥିଲେ ବୋଲି ପ୍ରଶ୍ନ ଉଠିଛି ।
ସେପଟେ ଜଣେ ଅଜ୍ଞାତ ମହିଳାଙ୍କୁ ଉପଜିଲ୍ଲାପାଳ ଭାବେ ଚିତ୍ରଣ କରି ବିଦାୟୀ ତହସିଲଦାର ଫସିବା ପତ୍ତେ ଏବେ ଉପଜିଲ୍ଲାପାଳଙ୍କ ଚରିତ୍ରରେ ଅଭିନୟ କରିଥିବା ଉକ୍ତ ମହିଳା ମଧ୍ୟ ଫସିଛନ୍ତି। ଥାନାରେ ଏ ନେଇ ଅଭିଯୋଗ ପରେ ନିଜ ସ୍ବାମୀଙ୍କ ସହିତ ଅଞ୍ଚଳ ଛାଡି ପଳାଉଥିବାବେଳେ ପୁଲିସ ହାତରେ ଧରାପଡି ଥାନାରେ ଅଟଳ ଅଛନ୍ତି। ଉକ୍ତ ମହିଳାଙ୍କ ସହିତ ତାଙ୍କ ସ୍ବାମୀ ବେତନଟୀ ତହସିଲ ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତି ପ୍ରିୟବ୍ରତ ପଟ୍ଟନାୟକ ମଧ୍ୟ ଅଟଳ ଅଛନ୍ତି। ମହିଳାଙ୍କ ନାମ ଅମ୍ରିତା ସୁମନ ମନ୍ତ୍ରୀ ବୋଲି ଜଣାପଡିଛି। ଥାନାରେ ବୟାନ ରେକର୍ଡ କରାଯିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ତେବେ ସେ କେବଳ ଗାଡ଼ିରେ ବସିଥିବା କହିଛନ୍ତି। ତାଙ୍କ ନାମକୁ କିପରି ଏବଂ କେଉଁ ଢଙ୍ଗରେ ବ୍ୟବହାର କରାଯାଛି ତାହା ସେ ଜାଣିନଥିବା କହିଛନ୍ତି। ତହସିଲଦାରଙ୍କ ବିରୋଧରେ ତାଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କରାଯାଉଥିବା ଜଣାପଡ଼ୁଛି ।
ଚଳିତ ମାସ ୨୦ ତାରିଖ ରାତି ପ୍ରାୟ ସାଢେ଼ ୩ଟା ସମୟରେ ମୋରମ ବୋଝେଇ ଗାଡ଼ି ଜବତ ବେଳେ ଜଣେ ଅଜ୍ଞାତ ମହିଳା ଏକ କାରରେ ଉପସ୍ଥିତ ଥିଲେ । ସେହି ମହିଳାଙ୍କୁ ବେତନଟୀ ତହସିଲଦାର ଉପଜିଲ୍ଲାପାଳ ଭାବେ ସମ୍ବୋଧନ କରୁଥିବା ଟ୍ରକ ଡ୍ରାଇଭର ଥାନାରେ କହିଛନ୍ତି । ତେବେ ଉକ୍ତ ରାତିରେ ବାରିପଦା ଉପଜିଲ୍ଲାପାଳ ଅନ୍ବେଷା ରେକ୍ସୀ ଘଟଣା ସ୍ଥଳରେ ଉପସ୍ଥିତ ନଥିବା ସ୍ପଷ୍ଟ କରିଛନ୍ତି । ତେଣୁ କାରରେ ଥିବା ଉକ୍ତ ଅଜ୍ଞାତ ମହିଳାଙ୍କୁ ନେଇ ସନ୍ଦେହ ବଢିଥିଲା । ତେବେ ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳରେ ନଥିଲେ ମଧ୍ୟ ବେତନଟୀ ତହସିଲଦାର କ’ଣ ପାଇଁ ସବ୍ କଲେକ୍ଟର ମ୍ୟାଡାମ କହି ସମ୍ବୋଧନ କରିଥିଲେ ସେ ନେଇ ଜିଲ୍ଲାରେ ସରଗରମ ଚର୍ଚ୍ଚା ହେଉଛି । ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଦାବି କରିଛନ୍ତି ଅଭିଯୋଗକାରୀ । ଅନ୍ୟପକ୍ଷରେ ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ଅଭିଜିତ ମହଲକୁ ପୋଲିସ ଗତକାଲି ଗିରଫ କରିବା ସହିତ ତାଙ୍କ ଏକ୍ସଯୁଭିକୁ ଜବତ କରିଥିଲା । ଆଜି ବୈଶିଙ୍ଗ ଥାନା ଏସ୍ଆଇ ଅନନ୍ତ ବରଣ ନାଏକ, ଏସ୍ଆଇ ଅନୀତା ସ୍ବାଇଁ , ଏଏସ୍ଆଇ ସୁଶାନ୍ତ କୁମାର ମହାକୁଡ଼ ପ୍ରମୁଖ ଅଭିଜିତଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ତାଙ୍କ ଘରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସେପଟେ ଭାଇରାଲ ଅଡିଓକୁ ଯାଞ୍ଚ ପାଇଁ କୋଲକତା ପଠାଯାଇଥିବା ଜଣାପଡିଛି ।