ଭୁବନେଶ୍ବର, ୫/୨(ସନ୍ଧାନ ନିୟୁଜ) : ସନ୍ସାଇନ୍ ହସ୍ପିଟାଲ୍ର ବିଶିଷ୍ଟ ଅର୍ଥୋସ୍କୋପିକ୍ ସର୍ଜନ ଡକ୍ଟର (ମେଜର) ସାର୍ଥକ ପଟ୍ଟନାୟକଙ୍କୁ ନାଲ୍କୋ ଟେକ୍ନୋଲୋଜି ଇନୋଭେସନ୍ ଏକ୍ସିଲେନ୍ସ ଆୱାର୍ଡ (ନାଲ୍କୋ ପ୍ରଯୁକ୍ତି ନୂତନତ୍ବ ଉତ୍କର୍ଷ ପୁରସ୍କାର) ପ୍ରଦାନ କରାଯାଇଛି। ନିକଟରେ ହୋଟେଲ ମେ ଫେୟାରରେ ଅନୁଷ୍ଠିତ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ ଓ ପ୍ରଦର୍ଶନୀ (ଇନ୍କାଲ୍) ୨୦୧୯ର ତୃତୀୟ ଦିବସର ଏକ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଠାରୁ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ନାଲ୍କୋର ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ। ନିଜ ସଂସ୍ଥା ଲାଇଫ୍ଲିଙ୍କ୍ ତରଫରୁ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଲାଇଫ୍ଲିଙ୍କ ଏହାର ଅଭିନବ ପଦକ୍ଷେପ ପାଇଁ ଜଣାଶୁଣା। ଏହି ସଂସ୍ଥା ପକ୍ଷରୁ ବଲାଙ୍ଗୀର ଓ ସୋନପୁରରେ ଗ୍ରାମୀଣ ଡିଜିଟାଲ୍ ହେଲ୍ଥ ସେଣ୍ଟର୍ ସ୍ଥାପନ କରାଯାଇଛି ଯାହା ଦ୍ବାରା ଗରିବ ଓ ଅସହାୟ ଲୋକମାନେ ବିଶେଷ ଭାବେ ଲାଭବାନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜ୍ୟର ଆଇଟି ଓ ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍ଗୁଡ଼ିକୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ନବରତ୍ନ କଂପାନି ନାଲ୍କୋ ପକ୍ଷରୁ ନାଲ୍କୋ ପ୍ରଯୁକ୍ତି ପୁରସ୍କାର/ଷ୍ଟାର୍ଟ ଅପ୍ ପୁରସ୍କାର ସ୍ଥାପନ କରାଯାଇଛି।
ଡ. ସାର୍ଥକ ପଟ୍ଟନାୟକଙ୍କୁ ନାଲ୍କୋ ଟେକ୍ନୋଲୋଜି ଇନୋଭେସନ୍ ଏକ୍ସିଲେନ୍ସ ପୁରସ୍କାର
|
February 5, 2019 |
