ନୂଆଦିଲ୍ଲୀ, 26/11/2021 (ସନ୍ଧାନ ନିଉଜ): କରୋନା ପାଇଁ ଦୀର୍ଘ ମାସ ଧରି ବନ୍ଦ ରହିଥିବା ଆନ୍ତର୍ଜାତୀୟ ବିମାନ ଚଳାଚଳ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୧୫ରୁ ପୁଣି ଥରେ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବ ବୋଲି ଡିଜିସିଏ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଆଜି ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲା । ମାତ୍ର କାର୍ଗୋ ସେବା ଜାରି ରହିଥିଲା । ସମଗ୍ର ବିଶ୍ୱରେ କୋଭିଡ -୧୯ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି । କରୋନାଭାଇରସ୍ ମହାମାରୀ ପ୍ରଭାବ ହେତୁ ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଭାରତରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି । ତେବେ କିଛି ପଡୋଶୀ ଦେଶ ଗୁଡିକରେ ସଂକ୍ରମଣ ପୁଣି ଥରେ ସଂକ୍ରମଣ ଉପର ମୁହାଁ ହୋଇଥିବାରୁ ସେହି ଦେଶ ଗୁଡିକୁ ବିମାନ ଚଳାଚଳ ଉପରେ ଏବେବି କଟକଣା ରହିଛି । ୟୁକେ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋଟସୱାନା, ଚାଇନା, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର ଭଳି ଦେଶ ଗୁଡିକରେ ଏବେବି କରୋନା କଟକଣା ରହିଛି ଓ ଏହି ଦେଶ ଗୁଡିକୁ ବିମାନ ଚଳାଚଳକୁ ବାରଣ କରାଯାଇଛି ।
ଡିସେମ୍ବର ୧୫ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ
|
November 26, 2021 |



