ଡାକ୍ତରଙ୍କ ଅନୁଭବ

Spread the love

ଡାକ୍ତର ହରପ୍ରସାଦ ପରିଛା ଘରୁ ବାହାରି ଆସିଲା ବେଳକୁ ତାଙ୍କ ପିତା ପରମେଶ୍ବର ପରିଛା ଗୀତା ପଢିବାକୁ ଆରମ୍ଭ କରୁଥିଲେ – ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା। ଆରମ୍ଭ ମାତ୍ର କରିଛନ୍ତି, ସେ ବାପାଙ୍କ ସାମନାରେ ଠିଆ ହେଇଗଲେ।
ପୁଅକୁ ହଠାତ୍ ଏମିତି ଠିଆ ହେବାର ଦେଖି ପରମେଶ୍ବର ବୁଝି ପାରୁଥିଲେ ବି ପଚାରିଲେ – କଣ କହୁଥିଲୁ କି ମୋତେ ?

ଡାକ୍ତର ହରପ୍ରସାଦ କଣ କହିବେ ଭାବି କିଛି ସମୟ ଠିଆ ହେଇଗଲେ। ତାଙ୍କୁ ଯିଏ ଜାଣିଛି, ତାଙ୍କର ଗାମ୍ଭିର୍ଯ୍ୟକୁ ଦେଖିଲେ ନିଶ୍ଚିତ ଡରି ଯାଇଥାନ୍ତା। ତାଙ୍କ ବାପା ବୋଲି ଅନାଇ ରହିଲେ।

ଡାକ୍ତର ହରପ୍ରସାଦ ହୃଦରୋଗ ବିଶେଷଜ୍ଞ ହିସାବରେ ବେଶ ପରିଚିତ। ତାଙ୍କ ସହ ଯୋଗାଯୋଗ ପାଇଁ ଲୋକଙ୍କୁ ମାସ ମାସ ସମୟ ଲାଗିଯାଏ। ତାଙ୍କ ଲୋକପ୍ରିୟତା ତାଙ୍କ କାର୍ଯ୍ୟ କୁଶଳତା ର ପରିଚୟ ଦିଏ। ତାଙ୍କ ଚିକିତ୍ସାରେ ବ୍ୟତିକ୍ରମ ହେବା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। ତାଙ୍କର ରୋଗ ଚିହ୍ନଟ କରିବା ଶୈଳୀ ଅତି ନିଖୁଣ ଓ ଚମତ୍କାର କହିଲେ ବି ଚଳିବ । ଯୋଉ ରୋଗୀର କେସକୁ ସମ୍ଭବ ନୁହେଁ କହି ସେ ମନା କରି ଦିଅନ୍ତି ତାକୁ ଅନ୍ୟ କୌଣସି ଡାକ୍ତର ନିଅନ୍ତି ନାହିଁ, ନେଲେ ମଧ୍ୟ ବଞ୍ଚାଇ ପାରି ନାହାନ୍ତି। ଶରୀର ର ପ୍ରତିଟି ଶିରା ପ୍ରଶିରାରେ ଥିବା ସୂକ୍ଷ୍ମ ଅବୟବକୁ ଏତେ ତନ୍ନ ତନ୍ନ କରି ସେ ଅନୁଧ୍ୟାନ କରନ୍ତି ଯେ ରୋଗୀ ଶରୀରର ସମସ୍ତ ପ୍ରଣାଳୀ ତାଙ୍କ ମସ୍ତିଷ୍କରେ ଗଛିତ ହୋଇ ରହିଯାଏ। ପାଖରେ ଥିବା ସହାୟକ ଡାକ୍ତର ମାନେ ଅନୁଭବ କରନ୍ତି ଯେମିତି ଆଖିରେ ଅନ୍ଧପୁଟୁଳି ଦେଲେ ବି ସେ ନିର୍ବିଘ୍ନରେ ଅସ୍ତ୍ରୋପଚାର କରି ଦେଇ ପାରିବେ। ସବୁ କାମ ତାଙ୍କର ସ୍ଵତନ୍ତ୍ର ଓ ନିର୍ଭୁଲ। ବିଶୃଙ୍ଖଳା ସେ ବରଦାସ୍ତ କରି ପାରନ୍ତି ନାହିଁ। ସେ ନିଜର ବାପା ହୁଅନ୍ତୁ କି ଯିଏ ବି ହୁଅନ୍ତୁ। ମାଆ ଚାଲିଗଲା ଦିନ ଠାରୁ ବାପାଙ୍କ ପ୍ରତି ସେ ଟିକିଏ ଅଧିକ ଯତ୍ନବାନ ହେଇ ଯାଇଛନ୍ତି।

ଡାକ୍ତର ପରିଛା ଙ୍କ ସହାୟକ ରବି ବାବୁ ପଛରୁ ଫେରି ଆସି ଡାକ ଦେଲେ – ସାର୍ ଆସନ୍ତୁ ଯିବା ।

ଡାକ୍ତର ପରିଛା କିନ୍ତୁ ବାପାଙ୍କୁ ଏକଲୟରେ ଅନେଇ ଥାଆନ୍ତି। ପରମେଶ୍ବର ସେତେବେଳକୁ ଆଉଥରେ ପଚାରି ସାରିଲେଣି – କଣ କହୁଛୁ କି?

– ତମେ କଣ ଜାଣିନ ବାପା ମୁଁ କଣ କହିବାକୁ ଚାହୁଁଛି।
ପରମେଶ୍ବର ସେମିତି ଅନେଇ ଥାଆନ୍ତି।
ଡାକ୍ତର ହରପ୍ରସାଦ ପଚାରିଲେ – ଆଜି ମର୍ଣିଂ ଵାକ୍ କରିବାକୁ ଯାଇଥିଲ।
– ଆଜି ଉଠୁ ଉଠୁ ଟିକିଏ ଡେରି ହେଇଗଲା ତ!
– ଡେରି ହେଲେ କଣ ହେଲା। ଯେତେବେଳେ ଉଠିଲ ଯାଇଥାନ୍ତ।
– ଆରେ ଗାଧୁଆ ଠାକୁର ପୂଜା କେତେ କାମ ଅଛି। ଦେଖୁଛୁ ସବୁ ସାରି ଏବେ ଗୀତା ପଢୁଛି।
– ତମ ଗୀତା ପଢିବା ଠାରୁ ତମ ଚାଲିବାଟା ବେଶି ଜରୁରୀ ବୋଲି ଜାଣିଛ କି ନାହିଁ !
– ମୋର କିଛି ହେବନି। ତୁ କାହିଁକି ବ୍ୟସ୍ତ ହେଉଛୁ
– ତମେ ଏତେ ବଡ ଭବିଷ୍ୟତ ବକ୍ତା କେବେଠୁ ହେଲଣି ଯେ କହୁଛ ତମର କିଛି ହେବନି। ସବୁ ଜିନିଷ ର ଗୋଟିଏ ଶୃଙ୍ଖଳା ଅଛି। ତମେ ଯେମିତି ସକାଳୁ ଗାଧେଇବା, ପୂଜା କରିବା, ଗୀତା ପଢିବାକୁ ନିଜର ଶୃଙ୍ଖଳା ଭାବୁଛ, ଶରୀର ପାଇଁ ସେସବୁ ବିଶୃଙ୍ଖଳା କରୁଛି। ଯୋଉଟା ଆମ ପାଇଁ ବେଶି ଜରୁରୀ ଆମେ ତା ଉପରେ ବେଶି ଧ୍ୟାନ ଦେବା କଥା ବୋଲି କାହିଁକି ଭାବୁନ। ଏଇଟା କଣ ମୁଁ ତମକୁ ଶିଖେଇବି। ତମେ ଚାଲିବାକୁ ଯାଇ ତାପରେ ଏସବୁ କରୁନ। ତମେ ତ ଏ ପର୍ଯ୍ୟନ୍ତ ଜଳଖିଆ ବି କରିନ। ତମ ଦେହର ଔଷଧ ସହ ଖାଇବାର ବି ତାଳମେଳ ରହିବା ଉଚିତ୍।
– ତୁ ଯା। ମୁଁ ଗୀତା ପଢା ସାରି ଖାଇଦେବି ।
– ତମେ ଏବେ ଗୀତା ପଢା ଦ୍ଵିପ୍ରହର ସମୟକୁ ରଖ। ତମର ନହେଲେ ସବୁ ଏପଟସେପଟ ହେଇ ଯାଉଛି।

– ଏ ଜୀବନ ତ ଭଗବାନଙ୍କର। ତାଙ୍କ ମୂଖ ନିଃସୃତ ବାଣୀକୁ ଏତେ ଅବହେଳା କଣ ପାଇଁ।
– ତମକୁ ଅବହେଳା କରିବାକୁ ତ ମୁଁ କହୁନି। ତମେ ପରେ ପଢିବ ବୋଲି କହୁଛି। ତାପରେ ତମେ ସେଇ ଏକା ଜିନିଷକୁ ତ ବର୍ଷ ବର୍ଷ ଧରି ପଢୁଛ। ତମେ କଣ ଜାଣିନ ଗୀତା କଣ। ଯୋଉଦିନ ତମର ଉଠିବା ଡେରି ହେବ ସେଦିନ ଗୀତା ପଢା ବନ୍ଦ କରିଦିଅ। ନହେଲେ ଖାଇସାରି ପଢ।
– ନାଇ ବାପା। ଆଉ କେତେ ଦିନ ବଞ୍ଚିବି ଯେ ! ମୁଁ ଏମିତି କରି ପାରିବିନି।
– ତାହେଲେ ମୋତେ ବୁଝାଅ ପ୍ରଥମ ଅଧ୍ୟାୟ ପଢି ତମେ ଠାକୁର ଙ୍କ ପ୍ରତି କଣ ଜଣାଇବାକୁ ଚାହୁଁଛ, କହି ହରପ୍ରସାଦ ବସି ପଡିଲେ।
ପରମେଶ୍ଵର ଙ୍କୁ ଅଡୁଆ ଲାଗିଲା।
ହରପ୍ରସାଦ କହିଲେ, ତମେ ଯଦି କହୁନ ମୁଁ କହି ଦେଉଛି ଶୁଣ – ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରୁଛନ୍ତି ଯୁଦ୍ଧ କ୍ଷେତ୍ରରେ କଣ କଣ ହେଉଛି। ତାପରେ ସଞ୍ଜୟ ଗୋଟି ଗୋଟି କରି କହୁଛନ୍ତି କୋଉ ମହାବୀର କୋଉଠି ଠିଆ ହୋଇଛନ୍ତି। କିଏ କୋଉ ଶଙ୍ଖ ନାଦ କରୁଛନ୍ତି ଇତ୍ଯାଦି । ଯୁଦ୍ଧ କ୍ଷେତ୍ରର ବର୍ଣ୍ଣନା ଓ ଅର୍ଜୁନ ଙ୍କ ଯୁଦ୍ଧ ନକରିବାର ଇଛା ପ୍ରଥମ ଅଧ୍ୟାୟର ବିଷୟବସ୍ତୁ । ଏହା କଣ ସବୁଦିନ ପଢିବା ଜରୁରୀ। ଆମର ବିଶ୍ୱାସ ଅଛି ବୋଲି କଣ ଅନ୍ଧଙ୍କ ପରି ଅନୁକରଣ କରିବା ଆମ ସ୍ଵାସ୍ଥ୍ୟ କୁ ବାଜି ଲଗାଇ। ଏସବୁ ବାପା ଭଲ ନୁହେଁ। ତମର ବୟସ ହେଲାଣି। ତମର ସକାଳେ ଗୀତା ଅପେକ୍ଷା ଚାଲିବା ବେଶି ଜରୁରୀ।
ପରମେଶ୍ବର କଥା ଆଗକୁ ନ ବଢାଇ କହିଲେ – ହୋଉ ହେଲା ତୁ ଯା। କାଲିଠାରୁ ଚାଲିବା ଆଗ ତାପରେ ଗୀତା।
ହରପ୍ରସାଦ ଗଲାବେଳେ ଗୁଣୁ ଗୁଣୁ ହେଇ କହି ଦେଇଗଲେ – ଏ ଗୀତା ପଢାରୁ କଣ ମିଳୁଛି କେଜାଣି। କୋଉ ବାଟରେ ଭଗବାନ ଆସି କାହାର ପିଠିରେ ପଡନ୍ତି। ନିଜେ ନକଲେ କାହା ପାଇଁ ଏଠି କେହି କିଛି ବି କରିବେ ନାହିଁ। ଯାଦୃଶି ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶି।
ପରମେଶ୍ବରଙ୍କୁ କଥାଟା ଭଲ ଲାଗିଲା ନାହିଁ। ସେ ପ୍ରଭୁଙ୍କୁ ପ୍ରଣାମ କରି କହିଲେ – ମୋ ପୁଅର ଭ୍ରମ ଦୂର କରିଦିଅ ପ୍ରଭୁ।

ହରପ୍ରସାଦ ଓ ରବି ଗାଡ଼ିରେ ବସି ବାହାରି ଗଲେ। ଡାକ୍ତର ରବି କହିଲେ, ଆଜିର ଆପୋଏଣ୍ଟମେଣ୍ଟ ରେ ଜଣେ ଆଠ ବର୍ଷର ଝିଅ ଅଛି । ବହୁତ ଜଟିଳ କେସ। ସବୁଆଡୁ ନିରାଶ ହେଇ ଆସିଛନ୍ତି।
ଡାକ୍ତର ହରପ୍ରସାଦ ପଚାରିଲେ – ତମେ କଣ ତାର ରିପୋର୍ଟ ଆଗରୁ ଦେଖିଛ।
– ସାର୍ ଦେଖିଛି। ଆପଣ ବ୍ୟସ୍ତ ଥିଲେ ବୋଲି କହି ପାରି ନଥିଲି।
– ଛୋଟ ପିଲାଙ୍କ ର କ୍ରିଟିକାଲ କେସ ଥିଲେ ମୋତେ ଆଗ ଜଣେଇବ ବୋଲି କହିଥିଲି।
– ସରି ସାର୍ ।
ଗାଡି ନର୍ସିଂ ହୋମ୍ ସାମନାରେ ରହିବା କ୍ଷଣି ହରପ୍ରସାଦ ନିଜ ଚାମ୍ବର ଭିତରକୁ ପଶିଗଲେ। ରବି ପଛେ ପଛେ ଫାଇଲ ଧରି ଚାଲୁଥାନ୍ତି ।
ହରପ୍ରସାଦ ଫାଇଲକୁ ଓଲଟାଇ ଦେଇ ରୋଗୀ ଡାକିବାକୁ ଆଟେଣ୍ଡାଣ୍ଟ କୁ କହିଲେ।
ଆଠ ବର୍ଷର ଝିଅକୁ ଧରି ତାର ବାପା ଓ ମାଆ ପହଞ୍ଚି ଗଲେ। ଉଭୟଙ୍କ କାନ୍ଦ କାନ୍ଦ ଅବସ୍ଥା।
ହରପ୍ରସାଦ ସବୁ ଅନୁକ୍ଷଣ କରି କହିଲେ – କେସ ପ୍ରକୃତରେ ବହୁତ କ୍ରିଟିକାଲ। ମୋ ପାଖକୁ ତମେ ବହୁତ ଡେରିରେ ଆସିଛ। ଅପରେସନ୍ କରାଗଲେ ବି ବଞ୍ଚିବାର ଆଶା ମାତ୍ର ତିରିଶ ଭାଗ। ସତୁରି ଭାଗର ବିପଦକୁ ବରଣ କରି ଯଦି କହିବ ମୁଁ ଆଗେଇ ପାରେ କିନ୍ତୁ ମୋର ପାଠ ମଧ୍ୟ ମୋତେ ଭରସା ଦେଇ ପାରୁ ନାହିଁ ବଞ୍ଚିବ ବୋଲି। ଏମିତି ବିନା ଅପରେସନ ରେ ଝିଅ କିନ୍ତୁ ଆଉ ଛ ମାସ ବଞ୍ଚି ଯାଇପାରେ।
ଝିଅ ର ମାଆ ମୂହୁର୍ତ୍ତେ ମଧ୍ୟ ଅପେକ୍ଷା ନକରି କହିଲେ – ଆପଣ ଅପରେସନ ପାଇଁ ଆଗେଇ ଚାଲନ୍ତୁ। ଆମେ ଚିନ୍ତା କରି ଆଉ ଡେରି କରିବାକୁ ଚାହୁଁନୁ। ବାକି ସବୁ ଭଗବାନଙ୍କ ଇଛା।
ହରପ୍ରସାଦ ଭଗବାନ ଙ୍କ ନାଁ ଶୁଣି ବାପାଙ୍କ ସହ ହେଇଥିବା ବଚସା ମନେ ପଡିଗଲା। ଭ୍ରୂକୁଞ୍ଚନ କରି କହିଲେ – ଭଗବାନ ଙ୍କୁ କାହିଁକି ୟା ଭିତରକୁ ଟାଣୁଛନ୍ତି। ପ୍ରଥମରୁ ତ ଠିକ୍ ଭାବରେ ଯତ୍ନ ନନେଇ ରୋଗ ବଢେଇ ଦେଇଛନ୍ତି। ଏବେ ନିଜ ଦୋଷ ଲୁଚାଇବା ପାଇଁ ଭଗବାନଙ୍କ ଇଛା କହିବାର କୌଣସି ଆବଶ୍ୟକତା ନାହିଁ।
ଝିଅ ର ବାପା ମାଆ ଡାକ୍ତର ଙ୍କ କଥା ଶୁଣି ଡରିଗଲେ। କାହିଁକି ଭଗବାନ ଙ୍କ ନାଁ ନେଉଥିଲେ ବୋଲି ମନେ ମନେ ନିଜେ ନିଜକୁ ଗାଳି ଦେଲେ।
ହରପ୍ରସାଦ ଝିଅ କୁ ଗେଲ କରି ପଚାରିଲେ – ତମ ନାଁ କଣ !
ଝିଅ ଟି ନିର୍ଭିକ ହୋଇ କହିଲା – ଲୁସି
ତମକୁ ଏବେ କେମିତି ଲାଗୁଛି ?
ଝିଅଟି ତା ମାଆକୁ ଅନେଇଲା। ତା ମାଆ କିଛି କହିବାକୁ ଯାଉଥିଲେ, ଡାକ୍ତର ହାତ ଦେଖାଇ ମନାକଲେ। କହିଲେ ଲୁସି ଯେତିକି ପାରୁଛି ନିଜେ କହୁ।
ଡାକ୍ତର ପୁଣି ଲୁସିକୁ ଅନେଇ ପଚାରିଲେ।
ଲୁସି ର ନୀରବତା ଦେଖି ଡାକ୍ତର କହିଲେ – କଣ ଡର ଲାଗୁଛି। ଜମାରୁ ଡର ନାହିଁ।
ଏଥରକ ଲୁସି କହିଲା – ମୁଁ ଡରୁନି। ଡରିବି କାହିଁକି। ମୋ ପାଇଁ ତ ଭଗବାନ ଅଛନ୍ତି।
ଡାକ୍ତର ଲୁସିର ବାପା ମାଆଙ୍କୁ ଚାହିଁଲେ ।

ଭଗବାନଙ୍କ ନାଁ ଲୁସି ମୁହଁରୁ ଶୁଣି ସମସ୍ତେ କିଛି ସମୟ ନୀରବ ହୋଇ ଗଲେ।
ଡାକ୍ତର ହରପ୍ରସାଦ ପରିସ୍ଥିତି କୁ ଦେଖି ହସି ଦେଇ କହିଲେ – ହୋଉ ହେଲା ବଢିଆ କଥା। ତମର ତ ଭଗବାନ ଅଛନ୍ତି। ମୁଁ ଆଉ କଣ କରିବି। ଏତିକି କହି ଡାକ୍ତର ଉଠିଲେ।
ଡାକ୍ତର ରାଗିକି ଚାଲି ଯାଉଛନ୍ତି ବୋଲି ଭାବି ଲୁସିର ମାଆ ବ୍ୟସ୍ତ ହୋଇ ପଡି କହିଲେ – ସାର ପ୍ଲିଜ। ଝିଅ ଟାର କଥାକୁ ଧରନ୍ତୁନି। ମୋର ଭୁଲ ହେଇ ଯାଇଛି। ମୁଁ ହିଁ ଶିଖେଇଛି ଯେ ଭଗବାନ ଆମ ଭିତରେ ଅଛନ୍ତି। ସେ ସବୁ ଠିକ୍ କରିଦେବେ।
ଡାକ୍ତର କହିଲେ – ନାଇ ମୁଁ ରାଗୁନି। ତମେ ପ୍ରସ୍ତୁତ ହୁଅ। ଅପରେସନ ସୋମବାର କରିବା।
– ଠିକ୍ ଅଛି ସାର୍। ଆମେ ରାଜି।
ସୋମବାର ଦିନ ଓଟି ଟେବୁଲ ଉପରେ ଝିଅ ଷ୍ଟେରିଲାଇଜ ପୋଷାକ ରେ ଶୋଇଥାଏ।
ହରପ୍ରସାଦ ପହଞ୍ଚି ଝିଅ କୁ ଚାହିଁ ହସିଦେଲେ। କହିଲେ – କେମିତି ଅଛ ?
ଝିଅଟି ଉତ୍ତର ଦେଲା -ଭଲ ଅଛି।
ହରପ୍ରସାଦ ହସିଦେଇ ପୁଣି କହିଲେ – ଭଲ! ଜମାରୁ ଡରିବନି । ତମର କିଛି ହେବନି।
– ମୁଁ ଡରୁନି ଡାକ୍ତର ଅଙ୍କଲ।
– ବଢିଆ ! ଜମାରୁ ଡରିବନି।
– ମୁଁ ଡରୁନି କହିଲି ପରା।
– ତମର କଣ ହେବ ଜାଣିଛ।
– ହଁ! ମୋ ଛାତି ଚିରା ହେବ।
– ଛାତି ଚିରା ହେବ ଜାଣିକି ବି ଡର ଲାଗୁନି।
– ନା! ଡର କାହିଁକି ଲାଗିବ।
-ଓ଼ଃ! ତମର ବା ଭଗବାନ ଅଛନ୍ତି।
– ଡାକ୍ତର ଅଙ୍କଲ। ମୁଁ ଗୋଟେ କଥା କହିବି।
– ହଁ କୁହ
-ରଖିବ ତ
– ହଁ କୁହ
– ଛାତି ଚିରିଲା ବେଳେ ଟିକେ ଭଲ କରି ଦେଖିବ।
– କଣ ଦେଖିବି
-ଭଗବାନଙ୍କୁ। ସେ କେମିତି ଦିଶନ୍ତି ମୋତେ କହିବ।
– ଭଗବାନ କଣ ସେଠି ଥାଆନ୍ତି!
-ହଁ ସେଇଠି ଥାଆନ୍ତି। ମୋ ମାଆ କହୁଥିଲା। ଭଗବାନ କୁଆଡ଼େ ଆମ ହୃଦୟରେ ରହିଥାଆନ୍ତି। ତମେ ତ ମୋ ହୃଦୟ ଚିରିବ। ଯେମିତି ହେଲେ ଟିକେ ଦେଖିବ। କେମିତି ଦିଶନ୍ତି ମାଆ ଜମାରୁ ଜାଣିନି। ତମେ ମୋତେ କହିବ। ମୁଁ ମୋର ସବୁ ସାଙ୍ଗ ମାନଙ୍କୁ କହିବି।
ହରପ୍ରସାଦ କଣ ଉତ୍ତର ଦେବେ ଭାବି ପାରିଲେ ନାହିଁ। ମୃତ୍ୟୁ ଠାରୁ ମାତ୍ର କେଇ ପାଦ ଦୂରରେ ଥାଇ ବିଶ୍ଵାସ ମଣିଷକୁ କୋଉ ଚିନ୍ତାରେ ବାନ୍ଧି ରଖିଛି। ନା ଯନ୍ତ୍ରଣା ର ଚିନ୍ତା ନା ମୃତ୍ୟୁ ର କଳ୍ପନା କିଛି ବି ଗ୍ରାସ କରୁ ନଥିଲା ଝିଅ ଟିର ମୂଖ ମଣ୍ଡଳରେ। ଭଗବାନ ଙ୍କ ରୂପ ଜାଣିବାର ଅବଦମିତ ଇଛାକୁ ଆଜି ସେ ପ୍ରକାଶ କରି ଦେଇ ଅଚିନ୍ତ୍ୟ ପ୍ରଶାନ୍ତି ରେ ଅବିଚଳିତ। ମୂଖ ମଣ୍ଡଳ ରେ ବିରାଜୁଥିବା ଆନନ୍ଦକୁ ନଷ୍ଟ କରିବା ପାଇଁ ଚାହୁଁନଥିଲେ ଡାକ୍ତର ।
ହରପ୍ରସାଦ କହିଲେ – ଠିକ୍ ଅଛି। ମୁଁ ଭଲ କରି ଦେଖିବି। ଭଗବାନ ଙ୍କୁ ପାଇଲେ ତମକୁ ନିଶ୍ଚୟ ଜଣେଇବି।
ଲୁସି ବୁଝି ପାରିଲା ପରି ହସି ଦେଇ ରହିଗଲା।
ଅପରେସନ ଆରମ୍ଭ ହେଲା। ଜଟିଳତା ରେ ଭରପୁର ଲୁସି ର ହୃଦଯନ୍ତ୍ର ଓ ରକ୍ତ ଧମନୀ ଅବିଶ୍ରାନ୍ତ ଚେଷ୍ଟା କଲା ପରେ ମଧ୍ୟ କାବୁ ହୋଇ ପାରିଲା ନାହିଁ। ହରପ୍ରସାଦ ଯାହା ଆଶା କରୁଥିଲେ ତାହା ହିଁ ହେଲା। ଲୁସିର ଜୀବନ ବଞ୍ଚାଇବାକୁ ସେ ସକ୍ଷମ ନୁହଁ ବୋଲି ଜାଣି ପାରିଲେ। ତାଙ୍କର ସମସ୍ତ ବିଦ୍ୟା କୌଶଳ ସବୁ ପ୍ରୟୋଗ କଲେ। ସବୁ ଅସଫଳ ହେଲା। ହତାଶ ହୋଇ ସାଥି ଡାକ୍ତର ମାନଙ୍କୁ ଚାହିଁଲେ।
ଡାକ୍ତର ରବି କହିଲେ – ଚିନ୍ତା କାହିଁକି କରୁଛନ୍ତି। ଆପଣ ତ ଆଗରୁ ଜାଣିଛନ୍ତି। କହିବି ଦେଇଥିଲେ କିଛି କରି ହେବ ନାହିଁ ବୋଲି। ଆମର ତ କୋଉଠି କିଛି ଭୁଲ ରହିନାହିଁ। ସବୁ ଜିନିଷ ସିଷ୍ଟମେଟିକାଲି କରା ଯାଇଛି।
ହରପ୍ରସାଦ ଙ୍କ ମନରେ କିନ୍ତୁ ପିଲାଟିର ପ୍ରଶ୍ନ ବାରମ୍ବାର ପିଟି ହେଉଥିଲା – ଛାତି ଚିରିଲେ ଭଗବାନ ଙ୍କୁ ଦେଖିବେ। କେମିତି ଦିଶୁଛନ୍ତି କହିବେ।
ହରପ୍ରସାଦ ଖୋଲା ହୃତପିଣ୍ଡ କୁ ଆଉଥରେ ଅନାଇଲେ। ସତରେ କଣ ଭଗବାନ ଙ୍କ ରୂପ ଏଇଠି ଦେଖିବାକୁ ମିଳିଯିବ। ପୁଣି ନିଜ ମୂର୍ଖାମୀ କୁ ଭାବି ନିଜକୁ ବିଦ୍ରୂପ କଲେ।
ସାର୍ କଣ ଭାବୁଛନ୍ତି – ଡା ରବି ପଚାରିଲେ।
– ନାଇ କିଛି ନାହିଁ। ବିଚରା ଝିଅଟା! ଆଉଥରେ ଦେଖିଲ ହୃତପିଣ୍ଡ କୁ ରକ୍ତ ସଞ୍ଚାଳନ ହେଉଛି କି?
– ନାଇ ସାର। ପୁରା ବନ୍ଦ ହେଇ ଯାଇଛି।
– ହୋଉ ! ମୃତ ଘୋଷଣା କରିଦିଅ କହି ଡାକ୍ତର ମନଦୁଃଖରେ ବାହାରି ଆସୁଥିଲେ।
ଡା ରବିଙ୍କ ଚିତ୍କାରରେ ହରପ୍ରସାଦ ପଛକୁ ବୁଲି ଚାହିଁଲେ।
ସାର୍ ରକ୍ତ ସଞ୍ଚାଳନ ଆରମ୍ଭ ହେଇ ଯାଇଛି। ରବିଙ୍କ କଥା ନସରୁଣୁ ହରପ୍ରସାଦ ପାଖକୁ ମାଡି ଆସି ଦେଖିଲେ। ସତ କଥା। ରକ୍ତ ସଞ୍ଚାଳନ ହୃତପିଣ୍ଡ କୁ ଚାଲିଛି। ଯେମିତି ଆଗମ ଓ ନିଗମରେ କୌଣସି ବାଧା ନାହିଁ।
ହରପ୍ରସାଦ ସାଙ୍ଗେ ସାଙ୍ଗେ ଲାଗି ପଡିଲେ ନିଜର ଯନ୍ତ୍ରପାତି ଧରି। ଦୀର୍ଘ ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏକ ସୁଦୀର୍ଘ ନିଃଶ୍ୱାସ ପକାଇ ପାଖ ଚେୟାର ଉପରେ ବସି ପଡିଲେ।
ଡାକ୍ତର ରବି ପଚାରିଲେ – କଣ ହେଲା ସାର୍। ଆମେ ସଫଳ ତ!
ଆତ୍ମସନ୍ତୋଷ ର ହସ ହସି ଦେଇ କହିଲେ – ଇୟେସ ଡକ୍ଟର ଗଡ୍ ସେଭଡ୍ ହର୍ ଲାଇଫ୍
ରବି କାବା ହେଇ ହରପ୍ରସାଦ ଙ୍କୁ ଅନାଇଲେ।
– ଇୟେସ ରବି। ଇଟ ଇଜ୍ ନଟ୍ ମି। ଗଡ୍ ଓନଲି ସେଭଡ୍ ହର୍ ଲାଇଫ। ଉଇ ହାଭ୍ ଓନଲି ପ୍ଲେଡ ଆଜ୍ ଡାଇରେକ୍ଟେଡ।
ଓଃ ଗଡ୍। ପ୍ଲିଜ ଫରଗିଭ ମି। କହି ହରପ୍ରସାଦ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ।
ନର୍ସିଂ ହୋମ୍ ସାରା ଘଟଣା ଚହଳ ପଡିଗଲା। ଡାକ୍ତର ନିଜ ପ୍ରଶଂସା ର ଶ୍ରେୟ ଟିକିଏ ବି ନେବାକୁ ଚାହୁଁ ନଥିଲେ। ବାରମ୍ବାର କହୁଥାନ୍ତି – ଭଗବାନ ହିଁ ତାର ପ୍ରାଣ ରଖିଦେଲେ।
ସମସ୍ତେ ହରପ୍ରସାଦ ଙ୍କ ଆଚରଣରେ ବିସ୍ମୟ ପ୍ରକାଶ କରୁଥାନ୍ତି।
ଡିସଚାର୍ଜ ହେଲା ଦିନ ଲୁସି ହସିଦେଇ ଡାକ୍ତର ଙ୍କୁ ପଚାରିଲା – ମୋ କଥା ମନେ ଅଛି।
କେହି କିଛି ବୁଝି ପାରୁ ନଥାନ୍ତି। ଡାକ୍ତର ରାଗିଯିବେ ବୋଲି ଲୁସି ର ମାଆ ପାଖକୁ ଭିଡି ଆଣିବେ ବୋଲି ଆଗେଇ ଆସିଲେ।
ହରପ୍ରସାଦ କିନ୍ତୁ ଉଠିଯାଇ ଲୁସିକୁ କୋଳାଗ୍ରତ କରି କହିଲେ – ଭଗବାନ ହୃଦୟରେ ଅଛନ୍ତି ମା! କିନ୍ତୁ କେବଳ ଅନୁଭବ କରି ହୁଏ, ଦେଖି ହୁଏ ନାହିଁ। ହରପ୍ରସାଦ ନିଜ ଅନୁଭବକୁ ମନରେ ଆଣୁ ଆଣୁ ନିଜ ଲୁହକୁ ସମ୍ବରଣ କରି ପାରିଲେ ନାହିଁ। ଆଖିର ଲୁହ ବୋହି ଆସିଲା।
ନର୍ସ ଠାରୁ ଆରମ୍ଭ କରି ପାଖରେ ଠିଆ ହୋଇ ଥିବା ସମସ୍ତଙ୍କ ଆଖିରେ ବି ଲୁହ ଭରି ଆସୁଥିଲା.

Related Posts

About The Author

Add Comment