ବାଲିଗୁଡା, 16/10. (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନାର ସିମନବାଡି ପଞ୍ଚାୟତ ଡକରବାଡି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟି ଘଟି ମିଥୁନ ଦିଗାଲଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ ନିଆଁ ଲାଗିଯିବା ଫଳରେ ଘରଟି ସମ୍ପୂର୍ଣ ନଷ୍ଟ ହୋଇଯାଥିବା ବେଳେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଯାହା ଫଳରେ ମିଥୁନ ଦିଗାଲଙ୍କ ପରିବାର ସମ୍ପୂର୍ଣ୍ଣ ବାସହରା ହୋଇ ଯାଇଥିଲେ । ଏହି ଘଟଣାକ୍ରମେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ଅସହାୟ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ମିଥୁନ ଦିଗାଲଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପିନ୍ଧିବା ପାଇଁ ଲୁଗା ପଟା ,ଶୀତ ବସ୍ତ୍ର ସହିତ ଚାଉଳ, ଡାଲି ଆଦି ଖାଦ୍ୟ ସାମଗ୍ରୀ ଏବଂ ନଗଦ ୫ହଜାର୨ଶହ ଆର୍ଥିକ ସହାୟତା କରିଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ସହିତ ତାଙ୍କ ସାଥିରେ ସିମନବାଡି ସମିତି ସଭ୍ୟା ଟୁନି ମୁଖୀ, ଗ୍ରୀନବାଡି ସମିତିସଭ୍ୟ ପ୍ରକାଶ ପ୍ରଧାନ, କାଳୀପ୍ରସାଦ ମଲ୍ଲିକ, ସନ୍ତୋଷ ଦିଗାଲ, ପ୍ରଭାକର ପ୍ରଧାନ, ସରଶିଳା ପ୍ରଧାନ ଏବଂ ତିଆଡ଼ି ନାୟକ ପ୍ରମୁଖ ସାମିଲ ହୋଇଥିଲେ । ବ୍ଲକ ଅଧ୍ୟକ୍ଷା ମିଥୁନଙ୍କ ପରିବାରକୁ ସହାୟତା କରିଥିବାରୁ ମିଥୁନଙ୍କ ପରିବାରବର୍ଗ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ପ୍ରକାରେ ମିଥୁନଙ୍କ ଘରେ ନିଆଁ ଲାଗିଯିବା କାରଣରୁ ଘରେ ଥିବା ନଗଦ ୨୦ ହଜାର ଟଙ୍କା, ୧୦ ବସ୍ତା ଧାନ, ୨ବସ୍ତା ଚାଉଳ ,ସୁନା, ରୁପା, ଲୁଗାପଟା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା ।
ଡକରବାଡି ଅଗ୍ନି ବିପନ୍ନ ମିଥୁନଙ୍କୁ ସହାୟତା କଲେ ବ୍ଲକ ଅଧ୍ୟକ୍ଷା
|
October 16, 2020 |