ଟ୍ରକ ଧକ୍କାରେ ଦୁଇ ବଣୁଆ ହାତୀ ମୃତ, ୧ ଗୁରୁତର

Spread the love

କେନ୍ଦୁଝର, ତା ୨୨/୦୮ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲାରେ ପୁଣି ବଣୁଆ ହାତୀଙ୍କ ମୃତ୍ୟୁ ଘଟିଛି । ଟ୍ରକ ଧକ୍କାରେ ଏକା ସାଙ୍ଗରେ ୨ଟି ବଣୁଆ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ହାତୀ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧିନସ୍ଥ ବାଲିଯୋଡି ଗ୍ରାମ ନିକଟରେ ବୁଧବାର ବିଳମ୍ବିତ ରାତିରେ ୧୦ଟି ହାତୀ ପଲ ଏନଏଚ ୨୦ ନମ୍ବର ରାସ୍ତାର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ଗୋଟିଏ ମାଈ ହାତୀ ସହ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ମାଈ ହାତୀ ରାସ୍ତା ଉପରେ ପଡି ଜନ୍ତ୍ରଣାରେ ଛଟପଟ ହେଉଛି । ଦୁର୍ଘଟଣା ଘଟିବା ପରେ ଗୁରୁତର ହାତୀ ଗର୍ଜନ ଶୁଣି ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଗୁରୁତର ଅବସ୍ଥାରେ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏକାଧିକ ଟ୍ରକ ଦୁର୍ଘଟଣା ଘଟାଇଥିବା ସନ୍ଦେହ ହେଉଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଟ୍ରକ ଜବତ କରିବା ସହ ହେଲପରକୁ ଅଟକ ରଖିଛି, ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଥିବା ହାତୀଟିର ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଥିବା ବେଳେ ବନବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Posts

About The Author

Add Comment