ଟ୍ବେଣ୍ଟି-୨୦ରେ ୮୦୦୦ ରନ୍‌: ରାଇନା ପ୍ରଥମ ଭାରତୀୟ

Spread the love

ନୂଆଦିଲ୍ଲୀ, ୨୬/୨ (ସନ୍ଧାନ ନିଉଜ) : ଭାରତୀୟ ଦଳରେ ସ୍ଥାନ ପା‌ଇବା ପାଇଁ ସଂଘର୍ଷ ଚଳାଇଥିବା ସୁରେଶ ରାଇନା ସୋମବାର ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଭାରତୀୟ କୀର୍ତିମାନ ପାଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ କ୍ରିକେଟ୍‌ର ଏହି ଫଟାଫଟ୍‌ ଫର୍ମାଟ୍‌ରେ ୮୦୦୦ ରନ୍‌ ପୂରଣ କରିଛନ୍ତି। ପୁଡୁଚେରିରେ ଅନୁଷ୍ଠିତ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ଟ୍ବେଣ୍ଟି-୨୦ର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ରାଇନା ମାତ୍ର ୧୨ ରନ୍‌ କରିଥିଲେ ମଧ୍ୟ ଏହି ମାଇଲଖୁଣ୍ଟ୍‌ ଅତିକ୍ରମ କରିଯାଇଥିଲେ। ଟ୍ବେଣ୍ଟି-୨୦ରେ ୮୦୦୦ ରନ୍‌ ପୂରଣ କରିବାରେ ରାଇନା ଭାରତର ପ୍ରଥମ କ୍ରିକେଟର୍‌ ହୋଇଥିଲା ବେଳେ ବିଶ୍ବର ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ପରିଗଣିତ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଆଇପିଏଲ୍‌ ଖେଳୁଥିବା ରାଇନାଙ୍କ ମୋଟ ଟ୍ବେଣ୍ଟି-୨୦ ରନ୍‌ ସଂଖ୍ୟା ୮୦୦୧ ହୋଇଛି। ୩୦୦ ଟ୍ବେଣ୍ଟି-୨୦ ଖେଳିଥିବା ରାଇନା ମଧ୍ୟ ସର୍ବାଧିକ ରନ୍‌ କ୍ଷେତ୍ରରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କଠୁ ୧୬୮ ରନ୍‌ ଉପରେ ରହିଛନ୍ତି। କୋହଲି ୨୫୧ ମ୍ୟାଚ୍‌ ଖେଳି ୭୮୩୩ ରନ୍‌ କରିସାରିଛନ୍ତି। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ କୀର୍ତିମାନ ୱେଷ୍ଟଇଣ୍ଡିଜ୍‌ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ (୧୨, ୨୯୮, ୨୬୯ ମ୍ୟାଚ୍‌)ଙ୍କ ନାମରେ ରହିଥିଲା ବେଳେ ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌ଲମ୍ (୯୯୨୨, ୩୭୦ ମ୍ୟାଚ୍‌), ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ (୮୮୩୮), ପାକିସ୍ତାନୀ ଅଲ୍‌ରାଉଣ୍ଡର ସୋଏବ୍‌ ମଲ୍ଲିକ (୮୬୦୩) ଏବଂ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର (୮୧୧୧) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।
ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ରାଇନା ଭାରତୀୟ ଭାବେ ସର୍ବାଧିକ ରନ୍‌ କରିଥିଲା ବେଳେ ୩୦୦ ମ୍ୟାଚ୍‌ ଖେଳି ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ପୁରୁଖା ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଧୋନି ୩୦୧ ମ୍ୟାଚ୍‌ ଖେଳି ପ୍ରଥମ ସ୍ଥାନରେ ରହିଥିଲା ବେଳେ ସୀମିତ ଓଭର ଦଳର ଉପଅଧିନାୟକ ରୋହିତ ଶର୍ମା ୨୯୯ ମ୍ୟାଚ୍‌ ଖେଳି ଏହି କ୍ଲବ୍‌ର ସଦସ୍ୟ ହେବା ନିକଟରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ରାଇନା ମଧ୍ୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୩୦୦ ଛକା ମାରିବା‌ରେ ରୋହିତଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ନାମରେ ସର୍ବାଧିକ ୩୨୬ ଛକା (୨୯୯ ମ୍ୟାଚ୍‌) କୀର୍ତିମାନ ରହିଛି।

Related Posts

About The Author

Add Comment