ଟାଟାଷ୍ଟିଲଫାଉଣ୍ଡେସନସହଯୋଗରେ ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ଗଙ୍ଗାଧର 

Spread the love
ଯୋଡ଼ା,  ୨୩/୧/୨୬ (ସନ୍ଧାନ ନ୍ୟୁଜ)   କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଲାଲ ମାଟିରେ ଚାଷ ର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଚମକପୁର ପଞ୍ଚାୟତ ଅଧୀନ ରେଭେନ୍ସାପୁର (କ) ଗାଁର ଗଙ୍ଗାଧର ମୁଣ୍ଡା। ସ୍ଥାନୀୟ ବୃଦ୍ଧାଶ୍ରମ ନିକଟସ୍ଥ ସୁନା ନଦୀ କୂଳରେ ଆଧୁନିକ ପଦ୍ଧତିରେ ଚାଷ କରି ସଫଳତାର ନୂଆ କାହାଣୀ ଲେଖିଛନ୍ତି ଗଙ୍ଗାଧର । ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହଯୋଗ ଫଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରି ଆଜି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ୨୦୨୦ ମସିହାରେ ଏକ ସରକାରୀ ପ୍ରକଳ୍ପ ପାଇଁ ନିଜ ଜମି ହରାଇବା ପରେ ଗଙ୍ଗାଧର ଯୋଡ଼ା ଅଞ୍ଚଳକୁ ଆସିଥିଲେ । ଜମିହରା ପରିବାରର ଅଧିକାଂଶ ଲୋକ ଖଣିରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗଙ୍ଗାଧର କିନ୍ତୁ ପିଲାଦିନର ସ୍ୱପ୍ନକୁ ସାକାର କରିବାପାଇଁଲାଗିପଡ଼ିଥିଲେ। ସ୍କୁଲରେ ପାଠ ପଢିବା ବେଳେ ସେ ଯେତେବେଳେ କହୁଥିଲେ ମୁଁ ‘କୃଷକ’ ହେବି, ସେତେବେଳେ ଅନ୍ୟମାନେ ତାଙ୍କ କଥାକୁ ହସରେ ଉଡାଇ ଦେଉଥିଲେ। ହେଲେ ସେହି ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଅଣ୍ଟା ଭିଡ଼ିଥିଲେ ଗଙ୍ଗାଧର। ସ୍ଥାନୀୟ ଜମି ମାଲିକ ମାନଙ୍କ ସହଯୋଗରେ ପଡ଼ିଆ ପଡ଼ିଥିବା ଚାରି ଏକର ଜମିକୁ ଉଦ୍ଧାର କରି ସେଠାରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଜମି ମାଲିକଙ୍କୁ ବୁଝାଇବା ଓ ସେ ମାଟିରେ କିଭଳି ଚାଷ କରାଯାଇପାରିବ ଜାଣିବାକୁ ୩ ମାସ ସମୟ ଲାଗିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାସାୟନିକ ସାର ବ୍ୟବହାର ପରେ ମାଟିର ଉର୍ବରତା ହ୍ରାସ ପାଉଥିବା ଦେଖି ଗଙ୍ଗାଧର ଚିନ୍ତିତ ଥିଲେ । ଏହି ସମୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତାଙ୍କୁ ସହାୟତାର ହାତ ବଢ଼ାଇଥିଲା । ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ମଲ୍‌ଚିଂ, ବୀଜାମୃତ ଏବଂ ଜୀବାମୃତ ଭଳି ପ୍ରାକୃତିକ ଚାଷ ପ୍ରଣାଳୀ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାଦ୍ୱାରା ଚାଷ ଖର୍ଚ୍ଚ କମିବା ସହ ଅମଳ ମଧ୍ୟ ବୃଦ୍ଧି ପାଇଲା ।ଜମିରେ ବିଭିନ୍ନ ପ୍ରକାରର ପନିପରିବା, ଶାଗ ଏବଂ ପିଜୁଳି, ଅମୃତଭଣ୍ଡା ଭଳି ଫଳ ଚାଷ କରିବା ସହ ଷ୍ଟ୍ରବେରୀ ଚାଷ କରି ଗଙ୍ଗାଧର ସମସ୍ତଙ୍କୁ ଚକିତ କରିଦେଇଛନ୍ତି  ବିଗତ ତିନିବର୍ଷ ଧରି ଏହି ଜମିରେ ଷ୍ଟ୍ରବେରୀ ଚାଷ କରିଆସୁଥିବା ଗଙ୍ଗାଧର କହନ୍ତି “ଷ୍ଟ୍ରବେରୀ ଏକ ଲାଭଦାୟକ ଚାଷ I ଏ ଅଞ୍ଚଳର ଜଳବାୟୁ ଦେଖି ମୁଁ ପ୍ରଥମେ ଆଶଙ୍କା ରେ ଥିଲି I କିନ୍ତୁ ଚାଷ କଲାପରେ ଜାଣି ପାରିଲି ଏହି ଚାଷ ମଧ୍ୟ ଏଭଳି ଜାଗାରେ ହୋଇ ପାରିବ I ଏହା ମୋତେ ପ୍ରେରଣI ମଧ୍ୟ ଦେଇଛି ଆଗକୁ ଅଧିକ ରୁ ଅଧିକ ଚାଷ କରିବା ପାଇଁ I ଏ ସମସ୍ତ ସହାୟତା ଏବଂ ମାର୍ଗଦର୍ଶନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ କୁ ଧନ୍ୟବାଦ I ” ସେ କହନ୍ତି, ଏହି ଷ୍ଟ୍ରବେରୀ ଚାଷରୁ ବାର୍ଷିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଆନ୍ତି I ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପଲିହାଉସ୍, ବିହନ ଏବଂ ବୈଷୟିକ ପରାମର୍ଶ ବଳରେ ସେ ମାସିକ ପ୍ରାୟ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଖଣି ଗୁଣ୍ଡରୁ ଫସଲକୁ ସୁରକ୍ଷା ଦେବା ପାଇଁ ସେ ଡ୍ରିପ୍ ଇରିଗେସନ୍ ଏବଂ ସ୍ପ୍ରିଙ୍କଲର ବ୍ୟବହାର କରୁଛନ୍ତି । ଚାଷ ପାଇଁ ଆଗ୍ରହୀ ଥିବା ଆଖପାଖ ଅଞ୍ଚଳର ଅନେକ ଲୋକ ଗଙ୍ଗାଧରଙ୍କ ଫସଲ ବୁଲି ଦେଖିବା ସହ ତାଙ୍କଠାରୁ ପ୍ରାକୃତିକ ଚାଷ ପ୍ରଣାଳୀ ସମ୍ପର୍କରେ ପଚାରି ବୁଝୁଛନ୍ତି। ଖଣିର ଛାଇ ତଳେ ଗଙ୍ଗାଧର ବୁଣିଥିବା ଏହି ସବୁଜ ସ୍ୱପ୍ନ ଆଜି ସାରା କେନ୍ଦୁଝର ଜିଲ୍ଲାର ଚାଷୀଙ୍କୁ ଏକ ନୂଆ ଦିଗ ଦେଖାଇଛି ।ଗଙ୍ଗାଧରଙ୍କ ସଫଳତା ସମ୍ପର୍କରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡ଼ା ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର କହିଛନ୍ତି, “ଗଙ୍ଗାଧରଙ୍କ ସଫଳତା ପ୍ରମାଣ କରିଛି ଯେ, ସଠିକ୍ କୌଶଳ ଏବଂ ସହଯୋଗ ମିଳିପାରିଲେ ପ୍ରତିକୂଳ ପରିବେଶରେ ମଧ୍ୟ କୃଷିକୁ ଜୀବିକା ଭାବେ ଗ୍ରହଣ କରାଯାଇପାରିବ ।

Related Posts

About The Author

Add Comment