ଝରାଫୁଲ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟଘେରକୁ ଟାଣି ହୋଇଯାଉଛି

Spread the love

ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟଘେରକୁ ଟାଣି ହୋଇଯାଉଛି । ବୟଫ୍ରେଣ୍ଡ କୁହାଯାଉଥିବା ରାକେଶ ସ୍ବାଇଁକୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟରୁ ଅନେକ ପରଦା ହଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ତେବେ ଆଜି ଆଉ ଏକ ସିସିଟିଭି ଫୁଟେଜ୍ ହାତରେ ଲାଗିଥିବାବେଳେ ଭୁବନେଶ୍ବର ଧର୍ମବିହାର ସ୍ଥିତ ହୋଟେଲରେ ପୋଲିସର ତଦନ୍ତ ଜାରି ରହିଛି। ଯାଜପୁର ପୋଲିସ ସହ ଫରେନସିକ୍‌ ଟିମ୍‌ର ଯାଞ୍ଚ ଜାରି ରହିଛି। ରାକେଶ ଓ ଝରାଫୁଲ ରହିଥିବା ରୁମ୍‌ରେ ଛାନ୍‌ଭିନ୍‌ ଜାରି ରହିଛି। ସଂପୃକ୍ତ ରୁମ୍‌ ନମ୍ବର ୨୦୧କୁ ସିଲ୍‌ କରାଗଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା ତଦନ୍ତକାରୀ ଟିମ୍‌।   ସୂଚନାଯୋଗ୍ୟ ଯେ, ମୃତ୍ୟୁର ପୂର୍ବ ରାତିରେ ରାକେଶଙ୍କ ସହ ଝରାଫୁଲ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ ଥିଲେ । ଏହା ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଉକ୍ତ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ । ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ଏକ ସିସିଟିଭିରେ ଏହି ଚିତ୍ର କଏଦ ହୋଇଥିଲା । ତେବେ ଆଜି ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ଯେ, ଝରାଫୁଲ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଝରାଫୁଲଙ୍କୁ ଗାଡିରେ ବସାଇ ରାକେଶ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ତାପରେ ଝରାଫୁଲ ମଧ୍ୟ ରେଷ୍ଟୁରାଣ୍ଟ ଭିତରକୁ ଯାଇଥିଲେ । ସେଠାରେ ସେମାନ ଖାଇବା ଅର୍ଡର କରିଥିଲେ । ଉଭୟ ଖାଇବାକୁ ବସିଥିଲେ । ଖାଇବା ଅଧାରୁ ଝରାଫୁଲ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରେ ସେ ବାନ୍ତି ମଧ୍ୟ କରିଥିଲେ । ଫଳରେ ଅଧା ଖାଇବାରୁ ଉଠି ଆସିଥିଲେ ଉଭୟ ଝରାଫୁଲ ଓ ରାକେଶ । ରେଷ୍ଟୁରାଣ୍ଟରୁ ଉଭୟ ବାହାରି କେଉଁଆଡେ ଗାଡି ନେଇ ଚାଲିଯାଇଥିଲେ । ତେବେ ସେଠାରୁ ସେମାନେ ଘରୋଇ ଗେଷ୍ଟହାଉସ୍‌ କୁ ଯାଇଥିବା ସନ୍ଦେହ କରାଯାଉଛି । ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ରହିଛି । ରାକେଶ ସ୍ବାଇଁ ଓ ଝରାଫୁଲ ରେଷ୍ଟୁରାଣ୍ଡରେ ଏମିତି କଣ ଖାଇଥିଲେ ଯେ ତାଙ୍କର ବାନ୍ତି ହୋଇଥିଲା । ଗେଷ୍ଟ ହାଉସ୍‌ରେ କଣ ହେଲା ଯେ ତାଙ୍କ ଦେହ ଖରାପ ହୋଇଗଲା ଆଉ ପାଟିରୁ ଫେଣ ବାହାରିଥିଲା ଏସବୁ ଏବେବି ରହସ୍ୟ ଘେରରେ । ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

Related Posts

About The Author

Add Comment