ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

Spread the love

କେନ୍ଦ୍ରାପଡା, ୨୭/୦୫/୨୦ (ସନ୍ଧାନ ନିଉଜ) : ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ମୃତକ ପରିବାର ପକ୍ଷରୁ ବୁଧବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମର ସୁକାନ୍ତ ମଳିକଙ୍କ ଗର୍ଭବତୀ ପତ୍ନୀ ଭାନୁମତି ମଳିକ(୨୩)ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୁତି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଦାୟୀତ୍ୱରେ ଥିବା ଡା.ପାଢୀ ଭାନୁମତିଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ କହିଥିଲେ ଯେ ଏବେ ସମୟ ହୋଇନି। ଭାନୁମତିଙ୍କର ଅଲଟ୍ରାସାଉଣ୍ଡ ଓ ରକ୍ତପରୀକ୍ଷା କରିବାକୁ ପ୍ରେସକିପସନ ଲେଖି ଦେଇଥିଲେ। ସନ୍ଧ୍ୟାରେ ରାତିରେ ଡା.ପାଢୀ କହିଲେ ଭାନୁମତିଙ୍କ ପେଟରେ ଥିବା ପିଲାଟି ନର୍ମାଲ କଣ୍ଡିସନରେ ନାହିଁ ତେଣୁ ସିଜରିଆନ କରିବାକୁ ପଡିବ। ରାତିରେ ଜଣେ ନର୍ସ ଆସି ଅଲଟ୍ରାସାଉଣ୍ଡ ଓ ରକ୍ତପରୀକ୍ଷା ରିପୋର୍ଟ ମାଗିନେଇଥିଲେ। ସେହି ରିପୋର୍ଟକୁ ଦେଖି ଡା.ପାଢୀ କହିଥିଲେ ଏବେ ସମୟ ହୋଇନାହିଁ, ୨ମାସ ପରେ ପିଲା ଜନ୍ମ ହେବ। କିନ୍ତୁ ରକ୍ତରେ ହେମୋଗ୍ଲୋବିନ କମ ଥିବାରୁ ଭାନୁମତିକୁ ୨ଟି ରକ୍ତ ଦେଇ ଘରକୁ ନେଇଯାଅ। ଡାକ୍ତର ପାଢୀଙ୍କ ପରାମର୍ଶ ଅନୁଯାଇ ଭାନୁମତିଙ୍କୁ ଗୋଟିଏ ରକ୍ତ ଦିଆଯାଇଥିଲା। ସେହି ରକ୍ତଟି ସରିଗଲା ପରେ ନର୍ସଙ୍କୁ ଡକାଯାଇଥିଲେ ମଧ୍ୟ ରୋଗୀ ପାଖକୁ କେହି ଆସିନଥିଲେ। ପରେ ତା’ର ଯନ୍ତ୍ରଣା ଜୋର ହେବାରୁ ସମ୍ପର୍କୀୟମାନେ ନର୍ସ ଓ ଡାକ୍ତରଙ୍କୁ ବାରମ୍ବାର ଡାକିଥିଲେବି କେହି ଆସିନଥିଲେ। ବହୁ ବିଳମ୍ବରେ ଡା.ପାଢୀ ଆସି ରୋଗୀଙ୍କୁ ଦେଖି କହିଥିଲେ ଯେ ରୋଗୀର ଅବସ୍ଥା କ୍ରିଟିକାଲ ହୋଇଯାଇଛି ତାଙ୍କୁ ଅପରେସନ ଥେଟରକୁ ନେବାକୁ ପଡିବ। ଏହାପରେ ଭାନୁମତିଙ୍କୁ ଓଟିକୁ ନିଆଯାଇଥିଲା ଓ ଡା.ପାଢୀଙ୍କ ସହ ଡା.କର୍ଣ୍ଣ ନାୟକ ଓଟିକୁ ଯାଇଥିଲେ। ଭାନୁମତି ଓଟିକୁ ଯିବାର ୧୫ମିନିଟ ପରେ ଡା.ପାଢୀ ଓଟିରୁ ବାହାରି ଭାନୁମତିଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଅଭିଯୋଗ ହୋଇଛି। ଚିକିତ୍ସା ଅବହେଳା ଯୋଗୁଁ ଭାନୁମତିର ମୃତ୍ୟୁ ହୋଇଛି ବୋଲି ତାଙ୍କ ସ୍ୱାମୀ ଶୁକାନ୍ତ ମଳିକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଖବର ପାଇ ସୁକାନ୍ତଙ୍କ ଗ୍ରାମ ଓ ଗ୍ରାମ ଆଖପାଖରୁ ରଶ୍ମିରଞ୍ଜନ ମଳିକ, ପ୍ରଭାତ ମଳିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କଳାକାର ମଳିକ, ସୁଶାନ୍ତ ମଳିକ, ସୁନାକର ମଳିକ, କୈଳାସ ମଳିକ, ସୈାମ୍ୟରଞ୍ଜନ ମଳିକ ଓ ରତ୍ନାକର ମଳିକ ପ୍ରମୁଖ ଡାକ୍ତରଖାନାରେ ପହଁଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉର୍ମିଳା ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ସୁକାନ୍ତଙ୍କ ଅଭିଯୋଗ ଉପରେ କୈାଣସି ମାମଲା ରୁଜୁ କରାଯାଇନଥିବା ବେଳେ ନିକିରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଭାନୁମତିଙ୍କ ଶବକୁ ବ୍ୟବଛେଦ କରାଯାଇ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ବାରମ୍ବାର ଏଭଳି ଅଭିଯୋଗ ହୋଇଆସୁଥିଲେ ବି କୈାଣସି ପଦକ୍ଷେପ ନିଆନଯିବା ଯୋଗୁ ଏଭଳି ପରିସ୍ଥିତିର ପୁନରାବୃତ୍ତି ହେଉଥିବା ଅଭିଯୋଗ ହୋଇଛି।

Related Posts

About The Author

Add Comment