ଭଦ୍ରକ, ୨୮/୮ (ସନ୍ଧାନ ନିୟୁଜ) ଭଦ୍ରକରେ ଅଷ୍ଟମ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକ ଜିଲ୍ଲା ପରିଷଦର ଅଧକ୍ଷ ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ,ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ୍, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ,ବାସୁଦେବପୁର ବିଧାୟକ ବିଷ୍ରୁବ୍ରତ ରାଉତରାୟ,ଜିଲ୍ଲାପାଳ ଜ୍ଞାନ ଦାସ,ପ୍ରକଳ୍ପ ନିଦେ୍ର୍ଦଶକ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜୋସ୍ନାରାଣୀ ମହାନ୍ତିଙ୍କ ସମେତ ଜିଲ୍ଲାପରିଷଦର ସମସ୍ତ ସଭ୍ୟସଭ୍ୟା, ସମସ୍ତ ବ୍ଲକର ପଂଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନାରରେ ଅଂଶଗ୍ରହଣ କରିଥିଲେ । ଏହି ଅଷ୍ଟମ ଜିଲ୍ଲା ପରିଷଦ ବୈଠକରେ ପୂର୍ବବୈଠକର ବିବରଣୀ ଅନୁମୋଦନ ଓ ଅନୁପାଳନ ଲାଭ କରିବା ସହ କୃଷି ବିଭାଗ, ଶିକ୍ଷା ବିଭାଗ, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ଆଦି ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଓ ଧାମନଗର ବ୍ଳକର ୯୧ଟି ସମୁଦ୍ର ଉପକୂଳବର୍ତ୍ତୀ ଓ ଲୁଣା ପ୍ରବଣ ଅଂଚଳରେ ମେଘା ବୃହତ୍ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପ କାର୍ଯ୍ୟ ଦୁଇବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ୪ଟି ବ୍ଲକର ୯୧ଟି ପଂଚାୟତର ୫୦୪ଟି ଗ୍ରାମର ୫୬୯୧୩୮ ଲୋକ ଉପକୃତ ହେବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି କୃଷିବିଭାଗ ପକ୍ଷରୁ ବୈଠକରେ କାଳିଆ ଯୋଜନା ଉପରେ ଆଲୋଚନା କରାଯାଇଥିଲା । କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ହୋଇଥିଲେ ମଧ୍ୟ କିଚି ଅଯୋଗ୍ୟ ହିତାଧିକାରୀ ଏହାର ସୁବିଧା ଲାଭ କରିଛନ୍ତି । ଏକ ଯାଂଚ କମିଟି ଜରିଆରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ବୈଠକରେ ନିଷ୍ପତି ହୋଇଛି । ଶିକ୍ଷାବିଭାଗ ଉପରେ ଗୃହରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଜିଲ୍ଲାରେ ୧୪୬ଜଣ ଶିକ୍ଷକଙ୍କୁ ଅତିରିକ୍ତ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁ ବ୍ଳକରେ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଅଛନ୍ତି ସେହି ବ୍ଲକରୁ କିଛି ଶିକ୍ଷକଙ୍କୁ ଅନ୍ୟ ବ୍ଲକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଓ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯିବାକୁ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଭଦ୍ରକ ଜିଲ୍ଲାର ୨୦୧୯ -୨୦ ଆର୍ଥିକ ବର୍ଷରେ ୩୦ହଜାର ଗୃହନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ସେଥିମଧ୍ୟରୁ ଅଦ୍ୟାବଧି ୨୪୯୪୨ ହିତାଧିକାରୀଙ୍କ ନାମ ଅନ୍ଲାଇନ୍ରେ ପଞ୍ଜି କରଣ କରାଯାଇଅଛି ଏବଂ ୧୭୪୭୮ଜଣଙ୍କୁ ଗୃହର ମାନ୍ୟତା ମିଳିଛି । ସେହିପରି ଜିଲ୍ଲାରେ ୨୦୧୮ / ୧୯ ବର୍ଷରେ ୧ହଜାର ବିଜୁ ପକ୍କାଘର ଯୋଜନା ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ୬୬୧ଟି ଘର ସଂମ୍ପୂର୍ଣ୍ଣ ହୋଇସାରିଛି । ଏବଂ ଅବଶିଷ୍ଟ ଘର ଶେଷ କରିବାକୁ ବିଭାଗୀୟ କତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ମହାତ୍ମାଗାନ୍ଧି ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପରେ ଆଲୋଚନା କରାଯାଇ ଥିଲା । ଏହି ଯୋଜନା ଜରିଆରେ ପ୍ରତ୍ୟେକ ପଂଚାୟତରେ ରୁରାଲ୍ ପାର୍କ ନିର୍ମଣ ସହ ବଡ଼ପୋଖରୀ ଗୁଡ଼ିକୁ ପୁନଉଦ୍ଧାର କରାଯାଇ ତାର ସୌନ୍ଦର୍ଯ୍ୟକରଣ କରାଯିବାକୁ ଆଲୋଚନା ହୋଇଥିଲା । ଶେଷରେ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ୟାମଭକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ପରିକ୍ରମା ଭଦ୍ରକରେ ଅଷ୍ଟମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
|
August 28, 2019 |



