ନୂଆଦିଲ୍ଲୀ, ୨୬।୧୨ (ସନ୍ଧାନ ନିୟୁଜ) : ରିଲାଏନ୍ସ ଜିଓ ପ୍ରଥମେ ନିଜର ଶସ୍ତା ଡାଟା ଦେବା ପରେ ଜିଓଫୋନ୍ ଲଞ୍ଚ କରିଥିଲା। ଏବେ ଜିଓ ଏକ ବଡ଼ ସ୍କ୍ରିନ୍ ଥିବା ଶସ୍ତା ସ୍ମାର୍ଟଫୋନ୍ ବଜାର ପ୍ରବେଶ କରିବା ଯୋଜନା ରଖିଛି। ଏଥିପାଇଁ ପାର୍ଟନର୍ସ ସହିତ ହାତ ମିଳାଇଛି। କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବଡ଼ ସ୍କ୍ରିନ୍ ଥିବା ସ୍ମାର୍ଟଫୋନ୍ ଜରିଆରେ ରିଲାଏନ୍ସ ଜିଓ ସେହି ଗ୍ରାହକଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି ଯେଉଁମାନେ ୪ଜି ସ୍ମାର୍ଟଫୋନ୍ରେ ଅପଗ୍ରେଡ ହେବାକୁ ଚାହୁଁଛନ୍ତି। ଅର୍ଥାତ୍ କମ୍ପାନି ସେହି ଗ୍ରାହକଙ୍କୁ ଟାର୍ଗେଟ କରିବ ଯେଉଁମାନଙ୍କ ପାଖରେ ଫିଚର ଫୋନ୍ ରହିଛି, କିନ୍ତୁ ୪ଜି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ।
ରିଲାଏନ୍ସ ଜିଓରେ ଚାନେଲ ଡେଭଲପ୍ମେଣ୍ଟର ସେଲସ୍ ହେଡ୍ ସୁନିଲ ଦତ୍ତଙ୍କ କହିବାନୁସାରେ, ଆମେ ଏପରି କିଛି ପାଟନର୍ସଙ୍କ ସହିତ ମିଶି କାମ କରିବାକୁ ଚେଷ୍ଟା କରୁଛୁ, ଯିଏକି ୪ଜି ସ୍ମାର୍ଟଫୋନ୍କୁ ସିଫ୍ଟ ହେବାର ଇଚ୍ଛା ରଖିଥିବା ଗ୍ରାହକଙ୍କ ଲାଗି ବଡ଼ ସ୍କ୍ରିନ୍ ଥିବା ସ୍ମାର୍ଟଫୋନ୍ ଆଣି ପାରିବ। ଜିଓ ଆମେରିକାର ହ୍ୟାଣ୍ଡସେଟ୍ ନିର୍ମାତା ଫ୍ଲେକ୍ସ ସହିତ ମିଶି ସ୍ମାର୍ଟଫୋନ୍ ତିଆରି କରିବାକୁ ଆଲୋଚନା କରୁଛି।


