ଭୁବନେଶ୍ୱର, 15/12/2023: ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD)। ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧.୧୨.୨୦୨୩ ବା ତା’ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା VLTD ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର। ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି କଣ୍ଟ୍ରୋଲ ସେଣ୍ଟର ୨୪ ଘଣ୍ଟା କାମ କରିବ। ଦୁଇ ଓ ତିନି ଚକିଆ ଗାଡ଼ିକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ନଜର ରଖିବ ଏହି ସେଣ୍ଟର।
ଗାଡ଼ି ଷ୍ଟାର୍ଟ ହେବା ଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, ଗାଡ଼ିରେ କିଛି ସମସ୍ୟା ଉପୁଜିଲା କି, ସେହିପରି କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ। ଏହାସହ ଗାଡ଼ିର ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରକୁ ବି ଖବର ପହଞ୍ଚିଯିବ । ଫଳରେ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ । (sandhannews)