ଜାତୀୟ ପ୍ରେସ୍ ଦିବସ: ସାମ୍ବାଦିକତା – ବାର୍ତା ଓ ବ୍ୟାଖ୍ୟାନ ଏକ ଯାତ୍ରା’ ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଟିତ

Spread the love

ରାଉରକେଲା, ୧୭/୧୧ (ସନ୍ଧାନ ନିୟୁଜ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ରାଉରକେଲା ଓ ରାଉରକେଲାର ବିଭିନ୍ନ ସାମ୍ବାଦିକ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଳନୀ କକ୍ଷଠାରେ ଜାତୀୟ ପ୍ରେସ୍ ଦିବସ-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାମ୍ବାଦିକତା-ବାର୍ତା ଓ ବ୍ୟାଖ୍ୟାନ ଏକ ଯାତ୍ରା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ରାଉରକେଲା ପ୍ରେସ୍ କ୍ଲବ୍ ଉପସଭାପତି ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଅତିଥି ପରିଚୟ ଦେଇଥିବା ବେଳେ ବଣେଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର, ଜିଲ୍ଲା କୃଷି ଅଧିକାରୀ ହିରଞ୍ଜନ ମହନ୍ତ, ବଣେଇ ଏସ୍ଡିପିଆଇଆର୍ଓ ସୀମା ଫତିମା ଏକ୍କା, ରାଉରକେଲାର ପୂର୍ବତନ ଡିଆଇପିଆର୍ଓ ତଥା ହାଇଟେକ୍ ମେଡିକାଲ କଲେଜର ଅତିରିକ୍ତ ପ୍ରଶାସକ ସଲୀଲ ପଟ୍ଟନାୟକ, ଦୈନିକ ସମାଜ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ପ୍ରମୁଖ ମଂଚାସୀନ ଥିଲେ । ଅତିଥି ବୃନ୍ଦ ଜାତୀୟ ପ୍ରେସ୍ ଦିବସ ଅବସରରେ ସମସ୍ତ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଶେଷ କରି ସାମ୍ବାଦିକମାନେ ସତ୍ୟ ତଥା ଅନୁସନ୍ଧାନ ପୂର୍ବକ ଲୋକମାନଙ୍କ ସମସ୍ୟା ଉପରେ ବାର୍ତା ପ୍ରେରଣ କଲେ ତାର ସୁଫଳ ନିଶ୍ଚିତ ସମାଜରେ ପ୍ରତିଫଳିତ ହେବ । ପୁନଶ୍ଚ ନିରପେକ୍ଷ, ନିର୍ଭୀକ ଏବଂ ସକାରାତ୍ମକ ମନୋଭାବ ସମ୍ପନ୍ନ ହୋଇ ଗଣମାଧ୍ୟମ ପ୍ରତିନିଧି ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇପାରିବ ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର ଜାତୀୟ ପ୍ରେସ୍ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସାମ୍ବାଦିକତା ଏକ ଶିଳ୍ପ । ଏଥିରେ କାର୍ଯ୍ୟରତ ପ୍ରତିନିଧିମାନେ ଶ୍ରମିକ । ତେଣୁ ସେମାନେ ମଧ୍ୟ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ପାଇବା ଉଚିତ୍ ବୋଲି କହିଥିଲେ । ଆବଶ୍ୟକୀୟ ବ୍ୟକ୍ତିଗତ କିମ୍ବା ଆନୁଷ୍ଠାନିକ ସେମିତି କିଛି ସମସ୍ୟା ଥିଲେ ତାଙ୍କ ସହ ପରାମର୍ଶ କରି ଏ ଦିଗରେ ସହାୟତା ନେଇପାରିବେ ବୋଲି କହିଥିଲେ । ଜିଲ୍ଲା କୃଷି ଅଧିକାରୀ ହିରଞ୍ଜନ ମହନ୍ତ ଜାତୀୟ ପ୍ରେସ୍ ଦିବସ ଉପରେ ମତବ୍ୟକ୍ତ କରି କହିଲେ ଯେ, କୌଣସି ସମ୍ବାଦକୁ ସନ୍ତୁଳିତ ଏବଂ ସତ୍ୟାସତ୍ୟ ଭାବେ ସାମ୍ବାଦିକମାନେ ପରିବେଷଣ କଲେ ତାହା ସମାଜର କଲ୍ୟାଣ ଦିଗରେ ସହାୟକ ହୋଇ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥାଏ । ଏହି ଅବସରରେ ଦୈନିକ ସମାଜ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜାତୀୟ ପ୍ରେସ୍ ଦିବସ ଶୁଭେଚ୍ଛା ଜଣାଇବା ସହ ନିରପେକ୍ଷ ତଥା ନିର୍ଭୀକ ସମ୍ବାଦ ପରିବେଷଣ ପାଇଁ ଆହ୍ୱାନ ଦେଇ ରାଉରକେଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିଷ୍ଠାପରତା ଉପରେ ପ୍ରଶଂସା କରିଥିଲେ । ଏହି ଅବସରରେ ଉକ୍ରଳ ମେଲ୍ ସମ୍ପାଦକ ପୀତବାସ ମିଶ୍ର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିବା ବେଳେ ଆଗାମୀ ଦିନରେ ସାମ୍ବାଦିକଙ୍କ ଆର୍ଥିକ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ସାପ୍ତାହିକ କୋଶଳ ହୋରାଇଜନ ସମ୍ପାଦକ ବୈଦ୍ୟନାଥ ମିଶ୍ର, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଦେବବ୍ରତ ଗଡତିଆ ପ୍ରମୁଖ ଦିବସ ପାଳନର ଶୀର୍ଷକ ଉପରେ ନିଜ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଉରକେଲାରର ବିଭିନ୍ନ ସାମ୍ବାଦିକ ସଙ୍ଗଠନ କର୍ମକର୍ତା, ବରିଷ୍ଠ ସାମ୍ବାଦିକ, ଫଟୋ ସାମ୍ବାଦିକ, ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧି ସମୂହ ଉପସ୍ଥିତ ଥିଲେ । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସମସ୍ତ ଗଣମାଧ୍ୟମ ପ୍ରତିନିଧମାନଙ୍କୁ ଉତରୀୟ ପ୍ରଦାନ ପୂର୍ବକ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ଭାଷା ତଥା ଦେଶ, ବିଦେଶର ଅନୂ୍ୟନ ୪୦୦ରୁ ଊଦ୍ଧ୍ୱର୍ ଖବରକାଗଜ, ସାପ୍ତାହିକ, ମାସିକ ପତ୍ରିକାର ଏକ ପ୍ରଦର୍ଶନୀ କରାଯାଇଥିଲା ।

Source- ASHWINI KUMAR BHOI, D.I & P.R.O, ROURKELA

Related Posts

About The Author

Add Comment