ଭୁବନେଶ୍ୱର,୨/୫ (ସନ୍ଧାନ ନିୟୁଜ) ଧନ ଓ ଜୀବନର ସାଂଘାତିକ କ୍ଷତି କରୁଥିବା ଏକ ପ୍ରକାର ଭୟାବହ ପ୍ରାକୃତିକ ଘଟଣାକୁ ବାତ୍ୟା କୁହାଯାଇ ପାରେ। ଏ ଭଳି ଦୁର୍ବିପାକର ନାମକରଣ କରିବା ମଧ୍ୟ ପିଲାଳିଆମି ମନେହୋଇ ପାରେ। କିନ୍ତୁ ଗୋଟିଏ ବାତ୍ୟା ଠାରୁ ଅନ୍ୟ ବାତ୍ୟାକୁ ପୃଥକ କରାଇବା ହେଉଛି ବାତ୍ୟାର ନାମକରଣ କରିବାର ବାସ୍ତବ ଉଦ୍ଦେଶ୍ୟ।
ବହୁ ଶତାବ୍ଦୀ ତଳୁ ବାତ୍ୟାର ନାମକରଣ ହୋଇ ଆସୁଛି। ପୂର୍ବେ ରୋମାନ୍ କ୍ୟାଥୋଲିକ୍ ସନ୍ଥମାନଙ୍କର ନାମାନୁସାରେ ବାତ୍ୟାର ନାମକରଣ କରାଯାଉଥିଲା।
୧୯୪୪ ମସିହାରେ ସୈପାନ୍ ପାଣିପାଗ ବିଭାଗସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ଏୟାର୍ ଫୋର୍ସେସ୍ର ପାଣିପାଗ ପୂର୍ବାନୁମାନକାରୀମାନେ ନିଜ ନିଜର ପତ୍ନୀ କିଂବା ପ୍ରେମିକାମାନଙ୍କ ନାମାନୁସାରେ ବାତ୍ୟାର ନାମ କରଣ ଆରମ୍ଭ କଲେ। କିନ୍ତୁ ବାତ୍ୟାର ନାମକରଣକୁ ସେଠା ସରକାର ଗ୍ରହଣ କଲେ ନାହିଁ।
୧୯୫୦ ମସିହା ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏକା ବେଳେକେ ତିନିଟି ବିଷୁବ ବୃତ୍ତୀୟ ବାତ୍ୟା ଆମେରିକାକୁ ଛାରଖାର କରିବାରୁ କେଉଁ ବାତ୍ୟା କି, କ’ଣ କ୍ଷୟକ୍ଷତି କଲା ସେ ସଂକ୍ରାନ୍ତରେ ଗଣମାଧ୍ୟମ ଓ ସର୍ବସାଧାରଣ ବାଉଳା ହୋଇଗଲେ। ଫଳରେ ସେବେ ଠାରୁ ହିଁ ବାତ୍ୟାକୁ ଚିହ୍ନିବା ପାଇଁ ସେମାନଙ୍କର ନାମ କରଣ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା। ୧୯୫୩ ମସିହାରେ ଆନୁଷ୍ଠାନିକ ଭାବେ ବାତ୍ୟାଗୁଡ଼ିକ ନାରୀ ନାମ ଦିଆଯିବା ପ୍ରଥା ଗ୍ରହଣ କରାଗଲା। ପରେ ଏଥିପାଇଁ ପ୍ରତିବାଦ କରାଯିବାରୁ ସେଥିରେ ପୁରୁଷଙ୍କ ନାମ ବି ସାମିଲ କରାଗଲା।
କିନ୍ତୁ ଭାରତ ମହାସାଗରୀୟ ବେଲ୍ଟ୍ରେ ବାତ୍ୟାର ନାମକରଣ କରାଯିବାରେ ଟିକିଏ ଭିନ୍ନତା ରହିଛି। ୨୦୦୪ ମସିହାରେ ଆଠଟି ଏସୀୟ ଦେଶ ଏକତ୍ର ହୋଇ ‘ଭବିଷ୍ୟତର ବାତ୍ୟା’ ପାଇଁ ଗୋଟାଏ ତାଲିକା ପ୍ରସ୍ତୁତ କରିଛନ୍ତି।
ଏବେ କରାଳ ରୂପ ଧାରଣ କରି ଲୋକଙ୍କୁ ଆତଙ୍କିତ କରିଥିବା ବାତ୍ୟା ଯାହାକୁ ଇଂଗ୍ରାଜୀ ଲିପିରେ ‘ଫନି’ ବା ‘ଫୋନି’ ବୋଲି ଲେଖାଯାଉଛି, ତାହାର ନାମକରଣ କରିଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ। ବଙ୍ଗଳା ଲିପିରେ ଏହା ଲେଖାଯାଏ ‘ଫନି’ ଏବଂ ଉଚ୍ଚାରଣ ହୁଏ ‘ଫୋନି’।
ଓଡ଼ିଆ ଭାଷାରେ ‘ଫୋନି’ର ଅର୍ଥ ‘ଫଣୀ’ ବା ଫଣାଯୁକ୍ତ ସର୍ପ କିଂବା ଫଣା ଥିବା ସାପ। ଅର୍ଥାତ୍ ପୁରାଣ ବର୍ଣ୍ଣିତ ବାସୁକୀ।
ଏହା ପରେ ଯଦି ଭବିଷ୍ୟତରେ କେବେ ବାତ୍ୟା ଆସେ ତା’ର ନାମ ରଖାଯିବ ‘ବାୟୁ’। ଏ ନାମଟି ଦେଇଛି ଭାରତ।