ତିହିଡ଼ି, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଭଦ୍ରକ ଜିଲା ଅଧୀନ ତିହିଡ଼ି ବ୍ଲକର ସଦର ଖାଙ୍କିହାଟରେ ଗରୁବାରରାତିରେ ଅଗ୍ନିକାଣ୍ଡ ଘଟି ୧୩ଟି ଦୋକାନ ଜଳିଯିବା ସହ ୫୦ ଲକ୍ଷରୁ ଅଧିକ ଟଙ୍କାର ସମାଗ୍ରୀ ଭଗ୍ନୀଭୂତ ହୋଇଯାଇଥିବା ଜଣାଯାଇଛି । ନିଆଁ ଜଳୁଥିବା ସମୟରେ ଦୋକାନଭିତରେ ଶୋଇଥିବା ଜଣେ ଦୋକାନୀ ଅଳ୍ପକେ ବରି ଯାଇଛନ୍ତି । ଅଗ୍ନିକାଣ୍ଡରେ କ୍ରିଷନ ଗୁପ୍ତା, କୁନାଲ ଗୁପ୍ତା, ସୁରେଶ ଗୁପ୍ତା, ମଧୁସୂଦନ ନାୟକ, ଚକ୍ରଧର ଓଝା, ବାବୁରାମ ଦାସ, କାଶୀନାଥ ବେହେରା, ରବୀନ୍ଦ୍ର କୁମାର ପଣ୍ଡା, ମାଧବାନନ୍ଦ ନାୟକ, ବିଜୟ କୁମାର ବିଶ୍ୱାଳ, ସାଧୁଚରଣ ବେହେରା,ଭଗବାନ ଲେଙ୍କା ଓ ବାବୁଲା ଦିକ୍ଷୀତଙ୍କ ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି । ଗୁରୁବାର ରାତି ପ୍ରାୟ ୧୧ଟା ୩୦ରେ ତିହିଡ଼ି ବଜାରର ମଧ୍ୟସ୍ଥଳରେ ଥିବା ଏହି ସବୁ ଦୋକାନର ପଛପଟୁ ନିଆଁ ଦେଖା ଦେଇଥିଲା । ଚାହୁଁ ଚାହୁଁ ଏହା ଖୁବ ବେଗରେ ମାଡ଼ିଯାଇଥିଲା । ରାତି ହୋଇଥିବା କାରଣରୁ ସମସ୍ତେ ଶୋଇଥିବା ବେଳେ କେହି ଜଣେ ଦୋକାନୀ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ। ଅନ୍ୟମାନଙ୍କୁ ଡାକିବା ପରେ ଦୋକାନୀମାନେ ଉଠି ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ସ୍ଥାନୀୟ ତିହିଡ଼ି ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନି ଅଣାୟତ ହେଉଥିବା ବେଳେ ମଧୁସୂଦନ ନାୟକ ଦୋକାନରେ ଶୋଇଥିବା କେତେକ ଲୋକ ଜାଣିବା ପରେ ତାଙ୍କୁ ଡାକିଥିଲେ ମଧୁସୂଦନ କୌଶଳକ୍ରମେ ନିଆଁ ଘେରାରୁ ବାହାରକୁ ଚାଲି ଆସିବାରୁ ରକ୍ଷା ପାଇ ଯାଇଥିଲେ । ତିହିଡ଼ି ଏବଂ ପଦି ଦମକଳ ବାହିନୀର ୪ଟି ଗାଡ଼ି ପହଞ୍ଚି ନିଆଁକୁ ଆୟର କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଖବର ପାଇ ଭାଟପଡ଼ା ସମିତିସଭ୍ୟ ସଂଗ୍ରାମ ଦାସ, ଯୁବନେତା ପ୍ରତାପ ଜେନା, ତିହିଡ଼ି ଥାନା ଅଧୁକାରୀ ରମେଶ ସିଂ, ଅତିରିକ୍ତ ଥାନା ଅଧିକାରୀ ତପନକୁମାର ପ୍ରଧାନ ପ୍ରମୁଖ ନିଆଁ ଲିଭାଇବାରେ ସହଯୋଗ କରିଥିଲେ । ସକାଳେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତତା ନାୟକ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଶାସନ ପକ୍ଷରୁ ତହସିଲଦାର ରମେଶଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତକୁମାର ସାହାଣୀ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରିଥିବା ପ୍ରକାଶ ।
ଜଳିଗଲା ୧୩ ଦୋକାନ, ଅଳ୍ପକେ ବର୍ତ୍ତିଲେ ଦୋକାନୀ
|
January 9, 2021 |