ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଯାହାର ଆବଶ୍ୟକତା ଅଛି ତା’ପାଇଁ ମାସ୍କ ସାଇତି ରଖନ୍ତୁ। ଏହି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ଗୀତଗୋବିନ୍ଦ ସଦନରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଲେ ଅସୁସ୍ଥତା ଅନୁଭବ କରୁଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧନ୍ତୁ। ସମସ୍ତେ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ। ସେ କହିଲେ ମାସ୍କ ୨ ପ୍ରକାରର ବ୍ୟକ୍ତି ପିନ୍ଧିବା ଦରକାର। ଯେଉଁମାନେ ସଂକ୍ରମିତ ଓ ଯେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି, ସେମାନେ ମାସ୍କ ପିନ୍ଧନ୍ତୁ। ସେହିପରି ସ୍ୱାସ୍ଥ୍ୟକର୍ମୀମାନେ ମାସ୍କ ପିନ୍ଧିବା ଦରକାର। ଅଯଥାରେ ମାସ୍କ ପାଇଁ ଦୋକାନକୁ ଯାଇ ଭିଡ ଲଗାନ୍ତୁ ନାହିଁ। କିଛି ଲୋକଙ୍କ ପାଇଁ ମାସ୍କର ଅଭାବ ଦେଖାଯାଇଛି। ସେମାନେ ଅନାବଶ୍ୟକ ଭାବେ ମାସ୍କ କିଣି ରଖୁଛନ୍ତି।
ଏହାଛଡା ଏହି ଭାଇରସ ଆଖି ବାଟେ ମଣିଷକୁ ସଂକ୍ରମିତ କରିପାରେ। ତେଣୁ ମାସ୍କ ପଛରେ ନପଡି ସଚେତନ ରହିବା ଆବଶ୍ୟକ। ବଜାରରେ ସାନିଟାଇଜର ସଙ୍କଟକୁ ନେଇ ସେ କହିଛନ୍ତି ସାନିଟାଇଜର ନଥିଲେ ସାବୁନ ବ୍ୟବହାର କରନ୍ତୁ। ଦିନକୁ ୫ରୁ ୬ ଥର ସାବୁନରେ ହାତ ଧୋଇବା ଦରକାର। ଖାଇବା ପୂର୍ବରୁ କିମ୍ବା କୌଣସି ସାମଗ୍ରୀ ବା ବସ୍ତୁକୁ ଛୁଇଁଥିଲେ ହାତକୁ ଭଲ ଭାବେ ଧୋଇନିଅନ୍ତୁ। ସେହିଭଳି ଘରକୁ କାମ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସାବୁନ ଦେଇ ସଚେତନ କରିବାକୁ ଶ୍ରୀ ବାଗ୍ଚୀ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ୪୭ ଜଣଙ୍କ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୪୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ମାତ୍ର ଜଣେ ଲୋକଙ୍କ ରିପୋର୍ଟ ପଜିଟିଭ୍। ଗତକାଲି ୧୨ ଜଣଙ୍କ ସ୍ୱାବ ପରୀକ୍ଷା ପଠାଯାଇଥିଲା। ଏସବୁ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଆଜି ପୁଣି ସନ୍ଦେହରେ ୬ ଜଣଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଛି। ଏସବୁ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିବ ବୋଲି ଆଶା କରାଯାଉଛି।



