ନୂଆଦିଲ୍ଲୀ, ୧୭/୪ (ସନ୍ଧାନ ନିୟୁଜ) : ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ କେନ୍ଦ୍ର ସରକାର ଭାରତୀୟ ସେନା ବାହିନୀକୁ ଏକ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ସେନା ବାହିନୀକୁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଏହି ସ୍ୱତନ୍ତ୍ର ଆର୍ଥିକ କ୍ଷମତା ବଳରେ ଭାରତୀୟ ସେନାର ତିନି ବାହିନୀ- ସ୍ଥଳସେନା, ବାୟୁସେନା ଓ ନୌସେନା- ସେମାନଙ୍କର ଜରୁରୀକାଳୀନ ଆବଶ୍ୟକତାର ପୂରଣ ଓ ସଜାଗ ରହିବା ପାଇଁ ଆବଶ୍ୟକ ପଡ଼ୁଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ ବିନା କୌଣସି ମଞ୍ଜୁରୀରେ ତତ୍କ୍ଷଣାତ କିଣି ପାରିବେ। ଏ କ୍ଷେତ୍ରରେ ଦେଶର ତିନି ସେନା ୩୦୦ କୋଟି ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରିପାରିବେ। ଏଥିପାଇଁ ସେମାନଙ୍କୁ ପ୍ରାକ୍ ଅନୁମତି ନେବାର ଆବଶ୍ୟକତା ପଡ଼ିବ ନାହିଁ।
ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ ଏବେ ଭାରତ ପାକ୍ ସୀମାନ୍ତରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ଶତ୍ରୁ ପକ୍ଷର ଶକ୍ତିକୁ ଅନୁଧ୍ୟାନ କରିବା ପରେ ନିଜର ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ଦେଶର ତିନି ସେନା ଜରୁରୀକାଳୀନ ପରିସ୍ଥିତିରେ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିପାରିବେ ବୋଲି କେନ୍ଦ୍ର ସରକାର ଦେଶର ତିନି ସେନା ବାହିନୀକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥିବା ଜାଣିବାକୁ ମିଳିଛି।