ଜରିମାନା ପ୍ରଭାବ: ପେଟ୍ରୋଲ୍‌, ଡିଜେଲ ବିକ୍ରି ୧୫% କମିଲା

Spread the love

ଭୁବନେଶ୍ବର, ୯/୯ (ସନ୍ଧାନ ନିଉଜ) : ରାଜ୍ୟରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହୋଇଛି। ଲୋକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଜରିମାନା ଭୟରେ ଲୋକମାନେ ଗାଡ଼ିମଟର ବାହାରକୁ ବାହାର କରିବା ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବରେ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। ଉତ୍କଳ ପେଟ୍ରୋଲିୟମ୍ ଡିଲର୍‌ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ଙ୍କ ସୂଚନା ମୁତାବକ, ବିଗତ ୮ ଦିନରେ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ୧୫% ହ୍ରାସ ଘଟିଛି। ଦୈନିକ ପେଟ୍ରୋଲ୍ ବିକ୍ରି ୪ ଲକ୍ଷ ୮ ହଜାର ଲିଟର୍‌ କମିଯାଇଛି। ସେହିପରି ଡିଜେଲ୍ ବିକ୍ରି ପରିମାଣ ଦିନକୁ ୧୨ ଲକ୍ଷ ୫୦ ହଜାର ଲିଟର୍‌ ହ୍ରାସ ପାଇଛି। ରାଜ୍ୟରେ ଦିନକୁ ୨୭ ଲକ୍ଷରୁ ଅଧିକ ଲିଟର୍‌ ପେଟ୍ରୋଲ୍‌ ଓ ୮୩ ଲକ୍ଷରୁ ଅଧିକ ଲିଟର୍‌ ଡିଜେଲ୍ ବିକ୍ରି ହୋଇଥାଏ। ଉଲ୍ଲେଖଯୋଗ୍ୟ, ରବିବାର ଭୁବନେଶ୍ବରରେ ପେଟ୍ରୋଲର ଲିଟର ପିଛା ଦାମ୍ ୭୦ ଟଙ୍କା ୮୪ ପଇସା ଓ ଡିଜେଲ୍ ଦାମ୍ ୬୯ ଟଙ୍କା ୮୬ ପଇସା ଥିଲା। ସୋମବାର ପାଇଁ ପେ‌ଟ୍ରୋଲ୍ ଦାମ୍ ୭୦ ଟଙ୍କା ୭୮ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଦାମ୍ ୬୯ ଟଙ୍କା ୮୬ ପଇସା ରହିଛି।

Related Posts

About The Author

Add Comment