ନୂଆଦିଲ୍ଲୀ, ୧୧/୮ (ସନ୍ଧନ ନିଉଜ) : ନୂଆ କରି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ-କଶ୍ମୀର ଓ ଲଦାଖରେ ତାଙ୍କ କମ୍ପାନି ନିବେଶ କରିବାର ଯୋଜନା ରଖିଛି ବୋଲି ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି। ପ୍ରଥମେ ଜମ୍ମୁ-କଶ୍ମୀରରୁ ସେ ନିବେଶ ଆରମ୍ଭ କରିବାର ଯୋଜନାରେ ଅଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ନିବେଶ କରିବା ପାଇଁ ରିଲାଏନ୍ସ ଗ୍ରୁପ୍ ଏକ ବିଶେଷ ଟାସ୍କ ଫୋର୍ସ ଗଠନ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ନିଜର ଅଭିଭାଷଣ ରଖି ଅମ୍ବାନୀ ଏପରି କହିଛନ୍ତି। ଏହାବ୍ୟତୀତ ସେ ଜିଓ ଫାଇବର୍ ସେବାର ଲଞ୍ଚ୍ ସଂପର୍କରେ ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରି ଏଣିକି ଦେଶର କେଉଁ ବି ଅଞ୍ଚଳର ଲୋକ ଏଠାରେ ଜାଗା କିଣିବା ସହ ପୁଞ୍ଜି ନିବେଶ କରିପାରିବେ ବୋଲି କହିବା ପରେ ଅମ୍ବାନୀ ଏହି ଘୋଷଣା କରିଛନ୍ତି।



