ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱାରା ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ନେଇ ସଂସଦରେ ଆଗତ ପ୍ରସ୍ତାବ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ଦେଶ ତଥା ବିଦେଶର ସମସ୍ତ ଗଣମାଧ୍ୟମରେ ଏହି ଖବର ଏକ ପ୍ରମୁଖ ଖବର ରୂପେ ସ୍ଥାନ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ପୂର୍ବାହ୍ନରେ ସରକାରଙ୍କର ଏହି ପ୍ରସ୍ତାବକୁ ସଂସଦର ରାଜ୍ୟସଭାରେ ଆଗତ କରିବା ପରେ ପରେ ବିଶ୍ୱର ସମସ୍ତ ପ୍ରମୁଖ ଗଣମାଧ୍ୟମ ଏହି ଖବରକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।
ଦ’ ଗାର୍ଡିଆନ୍
ଇଂଲଣ୍ଡର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ଦ’ ଗାର୍ଡିଆନ୍ ଏହାକୁ କଶ୍ମୀର ପାଇଁ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ବୋଲି କହିଛି। ଏଥିସହ ଜମ୍ମୁ- କଶ୍ମୀରକୁ ଦୁଇଭାଗରେ ବିଭକ୍ତ କରିବା ଘଟଣା ମୋଦୀ ସରକାରଙ୍କର ଏକ ନାଟକୀୟ ଚାଲ ଥିବା ଦର୍ଶାଇ ଏପରି ନିଷ୍ପତ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ପାରସ୍ପରିକ ସଂପର୍କକୁ ଆହୁରି ଉଗ୍ର ଓ ତିକ୍ତ କରିବା ସହ ଏହି ନିଷ୍ପତ୍ତି ପାଇଁ ମୋଦୀ ସରକାରଙ୍କୁ ଜମ୍ମୁ- କଶ୍ମୀର ବାସୀଙ୍କ ବିରୋଧ ଓ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାଇ ଦେଇଛି।
ବିବିସି
ସେହିପରି ଅନ୍ୟତମ ପ୍ରମୁଖ ସମ୍ବାଦ ପରିବେଷଣ ସଂସ୍ଥା ବିବିସି ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ମୋଦୀ ସରକାରଙ୍କର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିବା ଉଲ୍ଲେଖ କରି ଜମ୍ମୁ- କଶ୍ମୀର ଉପତ୍ୟକାରେ ଏହା ଚରମ ଅଶାନ୍ତି ସୃଷ୍ଟି କରିବ ବୋଲି ସରକାରଙ୍କୁ ଚେତାଇ ଦେଇଛି।
ସିଏନ୍ଏନ୍
ଆମେରିକୀୟ ସମ୍ବାଦ ପରିବେଷଣ ସଂସ୍ଥା ସିଏନ୍ଏନ୍ ଉଲ୍ଲେଖ କରି କହିଛି ଯେ ମୋଦି ସରକାରଙ୍କର ଏପ୍ରକାରର ନିଷ୍ପତ୍ତି ଜମ୍ମୁ- କଶ୍ମୀର ବାସୀଙ୍କୁ ମାନସିକ ସ୍ତରରେ ଦାରୁଣ ଆଘାତ ଦେବା ସହ ଜମ୍ମୁ- କଶ୍ମୀର ଉପତ୍ୟକାରେ ବାତାବରଣକୁ ଅଶାନ୍ତ କରିଦେବ।
ଦ’ ଓ୍ଵାଶିଂଟନ ପୋଷ୍ଟ
ଅନ୍ୟତମ ଆମେରିକୀୟ ସମ୍ବାଦପତ୍ର ଦ’ ଓ୍ଵାଶିଂଟନ ପୋଷ୍ଟ ନିଜ ପ୍ରକାଶିତ ରିପୋର୍ଟରେ କହିଛି ଯେ ଜମ୍ମୁ- କଶ୍ମୀରକୁ ଭାରତର ଅଙ୍ଗ ରୂପେ ବିବେଚନା କରିବା କ୍ଷେତ୍ରରେ ମୁଖ୍ୟ ଆଧାରଶିଳା ଥିଲା ସମ୍ବିଧାନର ଧାରା ୩୭୦। ତେବେ, ମୋଦୀ ସରକାର ଏବେ ଏହାକୁ ପ୍ରତ୍ୟାହାର କରି ନେଇଥିବାରୁ ଦିଲ୍ଲୀ ସହ ଜମ୍ମୁ- କଶ୍ମୀରର ସଂପର୍କ ତିକ୍ତ ହେବା ସହ କ୍ଷତିଗ୍ରସ୍ତ ହେବ।
ଦ’ ଡନ୍
ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ଦ’ ଡନ୍ ଏପ୍ରସଙ୍ଗରେ ଉଲ୍ଲେଖ କରି ଏହାକୁ ମୋଦି ସରକାରଙ୍କର ଏକ ତରବରିଆ ନିଷ୍ପତ୍ତି ଓ ଦୂରଗାମୀ ଚାଲ ବୋଲି କହିବା ସହ ଜମ୍ମୁ- କଶ୍ମୀରରେ ମୁସଲମାନମାନଙ୍କୁ ସଂଖ୍ୟା ନ୍ୟୂନରେ ପରିଣିତ କରାଇ ହିନ୍ଦୁମାନଙ୍କୁ ଗରିଷ୍ଠରେ ପରିଣତ କରାଇବା ଏକମାତ୍ର ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛି।



