ଜଗନ୍ନାଥଙ୍କ କୃପାରୁ ବଞ୍ଚିଗଲି

Spread the love

ପୁରୀ, ୦୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ମୁଁ ପ୍ରଭୁ ଜଗନ୍ନାଥଙ୍କର ଜଣେ ଭକ୍ତ ପ୍ରତ୍ୟେକ ରବିବାର ଅଫିସ୍‌ କାମ ସାରି ଅପରାହ୍ନରେ ମାସକୁ ୪ ଥର ଭୁବନେଶ୍ୱରରୁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରି ଆସିଥାଏ । ଜଗନ୍ନାଥ ମୋର ଜୀବନ । ଯେତେବେଳେ କୌଣସି ବିପଦ ଆସିଥାଏ, ଜଗନ୍ନାଥ ସେହି ବିପଦରୁ ମତେ ଉଦ୍ଧାର କରିଥାନ୍ତି । ବିଶ୍ୱାସ ନହେଲେ ମଧ୍ୟ ଏହା ନିରାଟ ସତ୍ୟ କଥା । ଶ୍ରଦ୍ଧାରେ ଜଣେ ଭକ୍ତ ଭାବରେ ଡାକିଲେ, ମୁଁ ତାଙ୍କରି ସତ୍ତା ଓ ଉପସ୍ଥିତି ଅନୁଭବ କରିଥାଏ । ମଣିଷ ତାର କର୍ମ ଫଳ ଭୋଗିବ ହିଁ ଭୋଗିବ, ଏଥିରେ ସନ୍ଦେହ ନାହିଁ । ମଣିଷ ଜୀବନ ବଡ଼ ଦୁର୍ଲଭ ଜୀବନ । ବିଗତ ଜନ୍ମର ପବିତ୍ର କାମ କରିଥିଲେ, ଏହି ଜନ୍ମରେ ମଣିଷ ରୂପରେ ଜନ୍ମ ନେଇଥାଏ । ଆପଣ ଶ୍ରଦ୍ଧାରେ ଜଗନ୍ନାଥଙ୍କ ପାଖକୁ ଦର୍ଶନ ପାଇଁ ଗଲେ, ଜଗନ୍ନାଥ ଭକ୍ତ ପାଇଁ ଚାଲିଆସିବେ । ପ୍ରବାଦ ଅଛି ଦାସିଆ ବାଉରୀଠାରୁ ନଡ଼ିଆ ନେବା, ଭକ୍ତ ସାଲବେଗ ପାଇଁ ବଡ଼ ଦାଣ୍ଡରେ ରଥ ଅଟକିଯିବା, ଏହା ନିରାଟ ସତ୍ୟ କଥା । ମୋର ନିଜ ଗ୍ରାମ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ହିଁଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ଦୟାନିଧିପୁର ଶାସକ । ଏହା ଏକ ଆଦର୍ଶ ବ୍ରାହ୍ମଣ ଶାସକ । ବର୍ତ୍ତମାନ ମୋର ବୟସ ୫୮ ବର୍ଷ । ମୁଁ ମୋର ଜୀବନରେ କେବେ ନିଶାପାଣି ଖାଇ ନାହିଁ । ୨୦୧୧ ମସିହାର କଥା ମୁଁ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱରକୁ ବଦଳି ହୋଇ ଆସିଥାଏ । ମୋର ଏଲ.ପି.ସି ଆସିନଥାଏ । ତେଣୁ ମୁଁ ଦରମା ପାଉନଥିଲି । ପାଖରେ ପଇସା ନଥିବାରୁ ଘରୁ କିଛି ଟଙ୍କା ଆଣିବା ପାଇଁ ଛୁଟି ନେଇ ବ୍ରହ୍ମପୁର ଯାଇଥିଲି । ସେଦିନ ଥାଏ ଡିସେମ୍ପର ୨୬ ତାରିଖ । ରାତି ୩ଟାରେ ହଠାତ୍‌ ମୋର ଛାତିରେ ଯନ୍ତ୍ରଣା ହେଲା ଓ ଗାଧୋଇଲା ଭଳି ଦେହରୁ ଝାଳ ବାହାରିଲା । ସେଦିନ ଥାଏ ମାର୍ଗଶିର ମାସ ଶେଷ ଗୁରୁବାର । ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଏ । କିଛି ବୁଦ୍ଧି ବାଟ ଦିଶୁନଥାଏ । ତାପରେ ମୋର ଦେହ ଖରାପ ହେବା ଜାଣି ମୋର ଜଣେ ପଡ଼ୋଶୀ ହୋତାବାବୁ ତାଙ୍କର ଗାଡ଼ିରେ ମତେ ବସାଇ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଗଲେ । ସେଠାରେ ମୋର ଛାତିର ଫଟୋ ଉଠାଯାଇଥିଲା । ଫଟୋର ମୋର ଧମନୀରେ ରକ୍ତ ଜମାଟ ହୋଇଥିବାର ଦେଖିଲୁ । ଏହା ମୋ ପାଇଁ ଚକିତ କରି ଦେଲା ଭଳି ଥିଲା । ମୁଁ ନିଶାପାଣି ଖାଉନଥିଲି ତଥାପି ମୁଁ ଏତେ ଅସୁସ୍ଥ କେମିତି ହୋଇପଡିଲି ଜାଣିପାରିନଥିଲି । ତାପୂର୍ବରୁ ମୁଁ ଔଷଧ କ, ଆମ୍ବୁଲାନ୍ସ କଣ ଜାଣିନଥିଲି । ମୋ ଦେହ ଏତେ ଅସୁସ୍ଥ କେବେ ବି ହୋଇନଥିଲା । ଜଗନ୍ନାଥଙ୍କ କୃପାରୁ ମୁଁ ସବୁବେଳେ ସୁସ୍ଥ ଥିଲି । ହେଲେ ହଠାତ୍‌ ମୋର ଏହି ଛାତି ଯନ୍ତ୍ରଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ମୁଁ ଓ ମୋର ପରିବାର ଜଗନ୍ନାଥଙ୍କୁ ଆକୁଳରେ ଜୀବନ ବଞ୍ଚାଇବା ପାଇଁ ଡାକୁଥିଲୁ । ମୋର ଅପରେସନ୍‌ ହେବାର ଥିଲା । ଡାକ୍ଟରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସରେ ମତେ ଆପୋଲୋ ହସ୍ପିଟାଲକୁ ଅପରେସନ୍‌ ପାଇଁ ଅଣାଗଲା । ଗୋଟିଏ ପଟେ ମୋର ଅପରେସନ୍‌ ଚାଲିଥାଏ ଅନ୍ୟପଟେ ମୋର ପରିବାର ଜଗନ୍ନାଥଙ୍କୁ ଡାକୁଥାନ୍ତି । ପ୍ରଭୁ ମୋ ପରିବାର ଲୋକଙ୍କ ଡାକ ଶୁଣିପାରିଥିଲେ । ମୋର ଅପରେସନ୍‌ ଭଲରେ ଭଲରେ ସରିଲା । ୫ଦିନ ଆଇସିୟୁରେ ରହିଲି । ଅପରେସନ୍‌ ସମୟରେ ମୋର ପରିବାର ସମସ୍ତେ ବିକଳରେ ଜଗନ୍ନାଥଙ୍କୁ ରକ୍ଷାକର, ରକ୍ଷାକର ବୋଲି ଡାକୁଥିଲେ । ଜଗନ୍ନାଥଙ୍କ ଦୟାରୁ ମୁଁ ହୃଦଘାତରୁ ବଞ୍ଚିଗଲି । କିଛି ଦିନ ମେଡିକାଲରେ ରହିବା ପରେ ମୁଁ ମୋ ନିଜ ଗ୍ରାମ ଦୟାନିଧିପୁରକୁ ଆମ୍ବୁଲାନ୍ସରେ ଆସିଲି । ଜଗନ୍ନାଥଙ୍କ କୃପା ଯୋଗୁ ମୁଁ ସୁସ୍ଥ ହେଲି । ତାପରେ ସପରିବାର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲୁ । ଦର୍ଶନ ସମୟରେ ଆଖିରୁ ଲୁହ ବାହାରୁଥାଏ । ଆଜକୁ ଦଶ ବର୍ଷ ହୋଇଗଲାଣି ସେଦିନର କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ବାସ୍ତବରେ ଜଗନ୍ନାଥଙ୍କ ଦୟାରୁ ମୁଁ ବଞ୍ଚିଗଲି ।

Related Posts

About The Author

Add Comment