ଭୋଗରାଇ, ୧/୧୧(ସନ୍ଧାନ ନ୍ୟୁଜ୍): ଭୋଗରାଇ ରସଲପୁର ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମର ଜନୈକ ଚୋରା ମଦ ବ୍ୟବସାୟୀ ଏବଂ ତାଙ୍କ ପରିବାର ଲୋକଙ୍କ ମିଳିତ ଆକ୍ରମଣରେ ଜନୈକ ନାବାଳକ ଗୁରୁତର ହୋଇଥିବା ଅଭିଯୋଗ ଆସିଛି । ମୋବାଇଲରେ ଚୋରା ମଦ କାରବାରର ଫଟୋ ଉଠାଉଥିବା ସନ୍ଦେହ କରି ନବଳକଙ୍କୁ ସେମାନେ ପିଗମରା କରିଥିବା ଜଣାପଡ଼ିଛି। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନାବାଳକ ହେଲେ ସେହି ଗ୍ରାମର ଖୋକନ ଖଣ୍ଡଙ୍କ ପୁଅ ଶୁଭଙ୍କର (୧୨) । ଅଭିଯୋଗରୁ ପ୍ରକାଶ ; ଗୁରୁବାର ସନ୍ଧ୍ୟାରେ ଶୁଭଙ୍କର ବାପା-ମାଆଙ୍କ ସହିତ ସେହି ଗ୍ରାମର ପ୍ରହ୍ଲାଦ ଗଙ୍ଗେଇଙ୍କ ନୂତନ ଗୃହ ପ୍ରବେଶ ଉତ୍ସବକୁ ଯାଇଥିଲା । ଅନ୍ୟ କେତେ ଜଣ ପିଲାଙ୍କ ସହ ରାସ୍ତାରେ ଛିଡ଼ା ହୋଇ ମୋବାଇଲରେ ଗୀତ ଶୁଣୁଥିବା ସମୟରେ ଶୁଭଙ୍କର ମଦ ବ୍ୟବସାୟର ଫଟୋ ଉଠାଉଥିବା ସନ୍ଦେହ କରି ସେହି ଗ୍ରାମର ଚୋରା ମଦ ବ୍ୟବସାୟୀ ବାବୁଲି ଖଣ୍ଡାଙ୍କ ପତ୍ନୀ ନମିତା ଖଣ୍ଡା, ମହେଶ୍ୱର ଖଣ୍ଡାଙ୍କ ପୁଅ ସୁଶାନ୍ତ ଓ ଝାଡ଼େଶ୍ୱର, ଝାଡ଼େଶ୍ୱର ଖଣ୍ଡାଙ୍କ ପତ୍ନୀ ଲିଲି, କାର୍ତ୍ତିକ ଖଣ୍ଡାଙ୍କ ପୁଅ ବସନ୍ତ, ଭୂଷଣ ଖଣ୍ଡାଙ୍କ ପୁଅ ପ୍ରଭାତ ଓ ମଣ୍ଠୁ ଗଙ୍ଗେଇଙ୍କ ଝିଅ ମାନୀ ସେଠାରେ ପହଞ୍ଚି ତା’ଠାରୁ ମୋବାଇଲ ଛଡ଼ାଇ ନେବା ସହ ବିଧା ଗୋଇଠା ମାରିଥିଲେ ଏହାସହିତ ଶୁଭଙ୍କରକୁ ଉଠାଇ ରାସ୍ତାରେ କଚାଡ଼ିଥିଲେ । ଏଥିରେ ଶୁଭଙ୍କର ଲହୁଲୁହାଣ ହେବା ସହ ଚେତାଶୂନ୍ୟ ହୋଇଯାଇଥିଲା। ସେଠାରେ ଥିବା ଅନ୍ୟ ପିଲାମାନଙ୍କ
ଚିତ୍କାର ଶୁଣି ଶୁଭଙ୍କରର ବାପା ଖୋକନ ଓ ମାଆ ସୁମିତ୍ରା ପହଞ୍ଚିଥିଲେ । ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ପନିକି, ଦାଉଲି ଆଦି ନେଇ ଉଭୟଙ୍କୁ ଆକ୍ରମଣ କରିଥିଲେ । ଏପରିକି ସୁମିତ୍ରାଙ୍କ ଲୁଗାପଟ ଛିଣ୍ଡାଇ ଅସଦାଚରଣ କରିଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଆକ୍ରମଣକାରୀମାନେ ଖୋକନଙ୍କ ପରିବାରକୁ ଜୀବନରୁ ଶେଷ କରିଦେବାର ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ। ଗାଁ ଲୋକେ ଗୁରୁତର , ଶୁଭଙ୍କରକୁ ଜଳେଶ୍ୱରପୁର ସିଏଚସିରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଶୁକ୍ରବାର ସକାଳେ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶୁ ଭଙ୍କରର ବାପା ଖୋକଙ୍କ ଲିଖୁତ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।



