ବାଲେଶ୍ୱର, ୨୫/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ସୋନ ନଦୀରେ ବେଆଇନ ବାଲି ଚାଲାଣକୁ ନେଇ ମାଫିଆ ଓ ଲିଜ୍ଧାରୀଙ୍କ ମଧ୍ୟରେ ପ୍ରବଳଉତ୍ତେଜନା ଲାଗିରହିଛି । ଏପରି ସମୟରେ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବାଲେଶ୍ଵରର ନୀଳଗିରି ତହସିଲଦାର ମାଫିଆମାନେ ତହସିଲଦାରଙ୍କୁ ଦୁର୍ବବହାର କରିବା ସହ ଜୋରଜବରଦସ୍ତ ସେ ଜବତ କରିଥିବା ବାଲି ବୋଝେଇ ଟ୍ରାକ୍ଟରର ଚାବି ଛଡ଼ାଇ ନେଇଛନ୍ତି । ଏହାପରେ ରାସ୍ତାରେ ଥିବା ତାଙ୍କ ଜିକୁ ଭଙ୍ଗାରୁଜା କରି ନିଆଁ ଲଗାଇଦେବାକୁ ଧମକାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ; ନୀଳଗିରି ତହସିଲ ଅଧୀନ ପୁନ୍ଦାଳ ବାଲିଖାଦାନରେ ଆଜି ଦିନ ପ୍ରାୟ ୧ଟା ସମୟରେ ଚୋରା ବାଲି ମାଫିଆ ବଳପୂର୍ବକ ବାଲି ଉଠାଉଥିଲେ। ଏନେଇ ଖବର ପାଇବା ପରେ ଘଟଣାସ୍ଥଳକୁ ଖାଦାନ ଲିଜଧାରୀ ଓ ନୀଳଗିରି ତହସିଲଦାର ଅଶେଷ ନାୟକ ସଦଳବଳେ ପହଂଚିଥିଲେ । ଏହାପରେ ବାଲିମାଫିଆ ଓ ଲିଜ୍ଧାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ତହସିଲଦାର ଶ୍ରୀ ନାୟକ ବାଲି ବୋଝେଇ ଟ୍ରାକ୍ଟରର ଚାବିକୁ ନେଇଯାଇ ପୁଲିସ ଡକାଇଥିଲେ। ହେଲେ ତାଙ୍କୁ ମାଫିଆମାନେ ମାଡ଼ ମାରିବା ସହ ଗାଡ଼ିରୁ ଓହ୍ଲାଇ ଦେଇ ଧରିଥିବା ଟ୍ରାକ୍ଟର ଚାବି ଛଡ଼ାଇ ନେଇଥିଲେ। ଏହାପରେ ତାଙ୍କ ଜିପ୍ ରାସ୍ତା ଉପରେ ଠିଆ ହୋଇଥିବାରୁ ଠେଲାପେଲା କରିବା ସହ ତା’ ଉପରେ ଟ୍ରାକ୍ଟର ଚଢ଼ାଇଦେବାକୁ ଉଦ୍ୟମ କରିଥିଲେ। ଏପରିକି ଜିଟିକୁ ନିଆଁ ଲଗାଇ ପୋଡ଼ିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ବେଆଇନ ବାଲି ଚାଲାଣ କରୁଥିବା ରମେଶ ମହାନ୍ତି, ତାଙ୍କ ଭାଇ ସୁରେଶ ମହାନ୍ତି ଏବଂ ପୁଅ ବାବୁ ମହାରି ତହସିଲଦାର ଶ୍ରୀ ନାୟକଙ୍କୁ ଧକ୍କା ମାରିବା ସହ ଘଟଣାସ୍ଥଳରେ ଉପସ୍ଥିତ ଥିବା ନୀଳଗିରି ଅଂଚଳର ଆଇନଗତ ଲିଜ୍ଧାରୀ କରୁଣାକର ନାୟକ, ଶୁଭ୍ରାଂଶୁ ଶେଖର ନନ୍ଦ ଓ କଟଲ ମହାନ୍ତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ନୀଳଗିରି ଥାନା ସବ୍-ଇନ୍ସପେକ୍ଟର ବାସୁଦେବ ଜୟସିଂହ ପୁଲିସ ଫୋର୍ସ ନେଇ ଚଢ଼ଉ କରିଥିଲେ । ଏତିକିବେଳେ ଘଟଣାସ୍ଥଳରୁ ବାଲିମାଫିଆମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ଟ୍ରାକ୍ଟରକୁ ଜବତ କରାଯାଇଥିବା ଜଣାପଡ଼ିଛି। ତହସିଲଦାର ଶ୍ରୀ ନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୪୨୨/୨୦ରେ ମାମଲା କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିବା ଆଇଆଇସି ପ୍ରଭଞ୍ଜନ ବେହେରା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏକାଧିକ ବାର ଏହି ବାଲିଖାଦାନରେ ପ୍ରଶାସନର ଚଢ଼ଉ ହୋଇଛି । ଗତ ଜୁନ୍ ମାସ ୧୧ ତାରିଖ ବିଳମ୍ବିତ ରାତିରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ ନାୟକ ସ୍ଥାନୀୟ ଆର୍ଆଇ ଓ ପୁଲିସ ଫୋର୍ସ ଧରି ସେଠାରେ ପହଞ୍ଚିଥିଲେ । ଚଢ଼ାଉ ସମୟରେ ଉକ୍ତ ଅଞ୍ଚଳର ୬୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ସଂଘବଦ୍ଧ ଭାବେ ସେମାନଙ୍କୁ ପଥରମାଡ଼ ଓ ଲାଠିମାଡ଼ କରି ହତ୍ୟା ଧମକ ଦେଇଥିଲେ । ଏହି ଘଟଣାରେ ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ମାତ୍ର ୨ ଜଣଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଛାଡ଼ିଦେଇଥିବା ତହସିଲଦାର ଅଭିଯୋଗ କରିଛନ୍ତି ।
ଚୋରା ବାଲି ମାଫିଆଙ୍କ ଦାଦାଗିରି
|
December 25, 2020 |