ନୂଆଦିଲ୍ଲୀ, ୨୩/୯ (ସନ୍ଧାନ ନିଉଜ) : କେନ୍ଦ୍ର ସରକାର ଖାମଖିଆଲ ଭାବେ କଂପାନି ଟିକସ ହ୍ରାସ କରିନାହାନ୍ତି। ଏହା ପଛରେ ଏକ ସୁଚିନ୍ତିତ ଯୋଜନା ରହିଛି। ତାହା ହେଉଛି ଚୀନ୍ ଠାରୁ କାରଖାନାଗୁଡ଼ିକୁ ଛଡ଼ାଇ ଆଣିବା। ଆମେରିକା ସହ ବାଣିଜ୍ୟ ଲଢ଼େଇ ଯୋଗୁ ଚୀନ୍ରେ କାରଖାନା ସ୍ଥାପନ କରିଥିବା କଂପାନିଗୁଡ଼ିକ ଲାଗି ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଏଭଳି ଏକ ସମୟରେ କଂପାନି ଟିକସ ହ୍ରାସ କରି ଭାରତ ସେମାନଙ୍କୁ ଏକ ଉପଯୁକ୍ତ ବିକଳ୍ପ ପ୍ରଦାନ କରିଛି। ଯେଉଁମାନେ ଚୀନ୍ରୁ ନିଜ କାରଖାନାକୁ ଅନ୍ୟତ୍ର ନେବାକୁ ଚାହୁଥିବେ ସେମାନଙ୍କୁ ଭାରତ ଆଣିବା ଲାଗି ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଯୋଜନାର ଏକ ଅଂଶ ହେଉଛି କଂପାନି ଟିକସ ହ୍ରାସ ନିଷ୍ପତ୍ତି। ଏହା ଜରିଆରେ ଭାରତ ସରକାର ଚୀନ୍ରେ କାରଖାନା ସ୍ଥାପନ କରିଥିବା କଂପାନିଗୁଡ଼ିକୁ ଏକ ଦୃଢ଼ ବାର୍ତା ଦେଇଛନ୍ତି।
ଏ ସଂକ୍ରାନ୍ତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କଂପାନି ଟିକସ କମ୍ କରାଯିବା ପରେ ଆମର ଟିକସ ହାର ଚୀନ୍ ଏବଂ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଠାରୁ କମ୍ ହୋଇଯାଇଛି। ତେଣୁ କୌଣସି ବିଦେଶୀ ସଂସ୍ଥା ନିବେଶ ବିଷୟରେ ଚିନ୍ତା କରିବା ବେଳେ ଭାରତକୁ ନିଶ୍ଚିତ ଭାବେ ବିଚାରକୁ ନେବ। ପୂର୍ବରୁ ବିଦେଶୀ ନିବେଶକଙ୍କ ଲାଗି ଭାରତରେ ଅନେକ ସମସ୍ୟା ଥିଲା। ସେଥି ମଧ୍ୟରୁ ପ୍ରମୁଖ ସମସ୍ୟା ଥିଲା ୩୦%ରୁ ଅଧିକ ହାରର କଂପାନି ଟିକସ। ତାହାକୁ କମ୍ କରିବା ଲାଗି ଅନେକ ଦିନରୁ ନିବେଶକମାନେ ଦାବି କରୁଥିଲେ। ସେହି ଟିକସକୁ କମ୍ କରାଯିବା ପରେ ଭାରତ ଏବେ ଅନ୍ୟ ସବୁ ଦେଶ ଠାରୁ ଭଲ ସ୍ଥିତିରେ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କୌଣସି ଦେଶରେ ୧୫%ର କଂପାନି ଟିକସ ନାହିଁ। ଆମେ ସେହି ହାରର ଟିକସ ସୁବିଧା ଦେଉଛୁ। କେବଳ ସେତିକି ନୁହେଁ, ସେମାନଙ୍କୁ ସର୍ବନିମ୍ନ ବିକଳ୍ପ ଟିକସ (ଏମଏଟି) ମଧ୍ୟ ଦେବାକୁ ପଡ଼ିବ ନାହିଁ। ଟିକସ, ସ୍ବଚ୍ଛତା ଏବଂ ଟିକସ ପ୍ରଶାସନ ଦୃଷ୍ଟିରୁ ଭାରତ ଏବେ ଚୀନ୍ ଠାରୁ ଯଥେଷ୍ଟ ଉପରେ ରହିଛି। ତେଣୁ କଂପାନିଗୁଡ଼ିକ ସେମାନଙ୍କ କାରଖାନାକୁ ଭାରତରେ ସ୍ଥାପନ କରିବାକୁ ଚାହିବେ ବୋଲି ସେ କହିଛନ୍ତି।
ଆଇଫୋନ୍ ନିର୍ମାତା ଆପଲ୍ ପାଇଁ ଚୀନ୍ରେ ଯେଉଁ ସବୁ ସଂସ୍ଥା ଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ନିର୍ମାଣ କରୁଛନ୍ତି ସେମାନେ ସେଠାରେ ୨୫% ଟିକସ ଗଣୁଛନ୍ତି। ଭାରତ ଆସିଲେ ସେମାନଙ୍କୁ ମାତ୍ର ୧୫% ଟିକସ ଦେବାକୁ ପଡ଼ିବ। ଆଗାମୀ ଦିନରେ ଭାରତରେ କଂପାନି ଟିକସ ବଢ଼ାଇବା ଏତେ ସହଜ ହେବ ନାହିଁ। ଯିଏ ଟିକସ ହାର ବଢ଼ାଇବାକୁ ଚାହିବେ ତାଙ୍କୁ ସଂସଦ ଯିବାକୁ ପଡ଼ିବ। ସମସ୍ତଙ୍କୁ ବୁଝାଇ ଟିକସ ହାର ବଢ଼ାଇବା ଏତେ ସହଜ କାମ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।