ଚିଟ୍‌ଫଣ୍ଡ ତଦନ୍ତ କମିଶନ ବନ୍ଦ, କ୍ଷତିଗ୍ରସ୍ତ ଜମାକାରୀ ହତାଶ

Spread the love

ଭୁବନେଶ୍ୱର , ୬/୩/୨୦ (ସନ୍ଧାନ ନିଉଜ) : ଚିଟ୍‌ଫଣ୍ଡ ସ୍କାମର ତଦନ୍ତ କରୁଥିବା ଜଷ୍ଟିସ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ବନ୍ଦ ହୋଇଯିବା ଫଳରେ ସାରା ରାଜ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଜମାକାରୀମାନେ ହତାଶ ହୋଇପଡିଛନ୍ତି ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ ରାଉତରାୟ ଅଭିଯୋଗ କରିଛନ୍ତି। ଶ୍ରୀରାଉତରାୟ କହିଛନ୍ତି ଯେ ବିଜେଡି ସରକାରର ବିଧାୟକ, କର୍ମକର୍ତା ଓ ବହୁ ନେତା ଚିଟ୍‌ଫଣ୍ଡ ସ୍କାମରେ ଜଡିତ ଥିବାରୁ ଚିଟ୍‌ଫଣ୍ଡ ସ୍କାମର ତଦନ୍ତ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ରାଉତରାୟ କହିଛନ୍ତି। ସେପଟେ ଚିଟ୍‌ଫଣ୍ଡ ସ୍କାମ ବିରୁଦ୍ଧରେ ଚିତ୍କାର କରୁଥିବା ବିଜେପିର ରାଜ୍ୟ ଓ ଜାତୀୟ ନେତୃତ୍ୱ ଚିଟ୍‌ଫଣ୍ଡ ସ୍କାମ ପ୍ରସଙ୍ଗରେ ବିଜେଡି ସରକାର ସହ ହାତ ମିଳେଇ ସାରିଲେଣି। ବିଜେପି ଏ ପ୍ରସଙ୍ଗରେ ମୁହଁ ଖୋଲୁ ନାହିଁ। କାରଣ ଏ ପ୍ରସଙ୍ଗରେ ବିଜେଡି ବିଜେପି କୋଳାକୋଳି।

ସମୁଦ୍ରକୁ ଶଙ୍ଖେ ଭଳି ସରକାର ହଜାର ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ସ୍କାମ୍‌ରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାତ୍ର ୩ ଶହ କୋଟି ଟଙ୍କା କର୍ପସ ଫଣ୍ଡ ଘୋଷଣା କରିଥିଲେ। ଏଥିରେ କିଏ ପାଇଲା କିଏ ନପାଇଲା ତାର ହିସାବ ନାହିଁ। ଏଠାରେ ସୂଚନାଯୋଗ୍ୟ ଠକ ଚିଟ୍‌ଫଣ୍ଡ କମ୍ପାନୀମାନେ ବିଜେଡି ନେତାଙ୍କ ସାଙ୍ଗରେ ହାତ ମିଳାଇ ସେମାନଙ୍କର ଦଳୀୟ କାର୍ଯ୍ୟକ୍ରମ ପାଇଁ ଅର୍ଥ ସହାୟତା ଦେଉଛନ୍ତି। ସେଥିପାଇଁ ବିଜେଡି ବିଧାୟକ ଓ ସାଂସଦ ଜେଲ୍ ମଧ୍ୟ ଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିବିଆଇ ଦ୍ୱାରା ତଦନ୍ତ କରାଯାଉଥିବା ଚିଟ୍‌ଫଣ୍ଡ ସ୍କାମର ତଦନ୍ତ ପ୍ରକ୍ରିୟାକୁ କେନ୍ଦ୍ରର ବିଜେପି ସରକାର ବର୍ତମାନ ଦୁର୍ବଳ କରିଦେଇଛନ୍ତି। ଏଣୁ ରାଜ୍ୟର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜନସାଧାରଣ ସେମାନଙ୍କର ଅର୍ଥ ଆଉ ଫେରି ପାଇବାର ଆଶା ହରାଇଲେଣି। ଅନେକ ଆତ୍ମହତ୍ୟା କଲେଣି। ଯେଉଁମାନେ ଏଜେଂଟ ଥିଲେ ସେମାନେ ବି ଆତ୍ମହତ୍ୟା କଲେଣି। ବିଜେଡିର ନେତୃବର୍ଗ ଦିନେ ଏହି ଚିଟ୍‌ଫଣ୍ଡ କମ୍ପାନୀଗୁଡିକର ପ୍ରଚାରକ ବା ବ୍ରାଣ୍ଡ ଆମ୍ବାସଡର ଥିଲେ। ଏବେ ତଦନ୍ତ କମିଶନକୁ ବନ୍ଦ କରି ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ହତାଶ କରିବା ସହ ଏହି ସ୍କାମକୁ ସଂପୂର୍ଣ୍ଣ ଭାବେ ଚପାଇ ଦେବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତ। ଶାସକଦଳର ଶିଖରୁ ନଖ ପର୍ଯ୍ୟନ୍ତ ସମସ୍ତେ ଏହି ସ୍କାମରେ ଜଡିତ ଥିବାରୁ ସାଧାରଣ ଲୋକଙ୍କୁ ସରକାର ନ୍ୟାୟ ଦେବେ ବୋଲି ମନେ ହେଉନଥିବାର ଶ୍ରୀ ରାଉତରାୟ କହିଛନ୍ତି।

Related Posts

About The Author

Add Comment