ଢାକା/ ନୂଆଦିଲ୍ଲୀ,୨୪/୨(ସନ୍ଧାନ ନିଉଜ) : ଢାକାରୁ ଭାୟା ଚିଟାଗଙ୍ଗ ଦେଇ ଦୁବାଇ ଅଭିମୁଖେ ଯାଉଥିବା ବାଂଲାଦେଶ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନକୁ କେତେକ ଦୁର୍ବୃତ୍ତ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିମାନଟି ରବିବାର ଜରୁରିକାଳୀନ ଅବତରଣ କରିଛି।
ବଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ବିମାନ ବିଜି୧୪୭ ଚିଟାଗଙ୍ଗର ସାହାଅମାନତ ଓ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରରଣ କରିଛି। ଜାଣିବାକୁ ମିଳିଛି ଯେ କେତେକ ବନ୍ଧୁକଧାରୀ ବିମାନର କକ୍ପିଟ୍ ଭିତରେ ପ୍ରବେଶ କରି ବିମାନଟିକୁ ନିଜ ନିୟନ୍ତ୍ରଣକୁ ନେଇ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ, ବିମାନର ପାଇଲଟ୍ ଅପହର୍ତାଙ୍କ ଧମକରେ ଡରି ନଯାଇ ବିମାନଟିକୁ ଚିଟାଗଙ୍ଗ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରାଇ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଏୟାର୍ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍ ସେଣ୍ଟର୍କୁ ବିମାନ ଅପହରଣ ହେବା ନେଇ ଶନିବାର ଏକ ଫୋନ୍ କଲରେ ଧମକ ଆସିବା ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି(ବିସିଏସି) ପକ୍ଷରୁ ସମସ୍ତ ଏୟାର୍ଲାଇନ୍ ଓ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ସିଆଇଏସ୍ଏଫ୍)କୁ ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ କୁହାଯାଇଥିଲା।



