ଯାଜପୁର, ୧୨ /୧୨/୨୦୨୦ (ସନ୍ଧାନ ନିଉଜ) ଶିଶୁ ଦେଶ ଜାତିର ଭବିଷ୍ୟତ, ସେମାନଙ୍କୁ ସଠିକ ଭାବରେ ସୁରକ୍ଷା ଓ ଅଧିକାର ଯୋଗାଇ ଦେବା ସମସ୍ତଙ୍କର ମୌଳିକ ଦାୟିତ୍ୱ ।ମାତ୍ର ଅନେକ ପ୍ରଚାର ଓ ପ୍ରସାର ସହ ପଞ୍ଚାୟତ ସ୍ତରୀୟ କମିଟି, ବ୍ଳକସ୍ତରୀୟ କମିଟି,ଜିଲ୍ଲା ଟାସ୍କଫୋର୍ସ,ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଭଳି ବହୁ ଶିଶୁ ସଂପର୍କୀୟ ବିଭାଗ କାମକରୁଥିବା ବେଳେ ମଧ୍ୟ ବହୁସ୍ଥାନରେ ଅବାଞ୍ଛିତ ଶିଶୁକୁ ପରିତ୍ୟକ୍ତ ଭାବରେ ଫୋପାଡିବା ଘଟଣା ବହୁଳ ଭାବରେ ଦେଖିବାକୁ ମିଳୁଛି । ଠିକ ସେହିପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ରସୁଲପୁର ବ୍ଳକ ତଥା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଢିହ ଗ୍ରାମପଞ୍ଚାୟତର ଜୟସିଙ୍ଗୁଡା ଗ୍ରାମରେ ଆଜି ଚାଷଜମିରୁ ଏକ ନବଜାତକ ଶିଶୁପୁତ୍ରର ମୃତଦେହଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳେ ଜଣେ ଯୁବକ ତାଙ୍କ ଚାଷଜମିକୁ ଯାଉଥିବାବେଳେ ନବଜାତକ ଶିଶୁ ମୃତଅବସ୍ଥାରେ ପଡିଥିବା ଦେଖି ସଙ୍ଗେସଙ୍ଗେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଶ୍ରୀ ପରମାନନ୍ଦ ସେଠୀଙ୍କୁ ଅବଗତ କରାଇଥିଲେ। ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନବଜାତକ ଶିଶୁର ଶବଜବତ କରିବା ସହ ଏକ ଅପମୃତ୍ୟୁ ମାମାଲା କେଶନଂ ୩୨୵୨୦ ରୁଜୁକରି ବ୍ୟବଛେଦ କରିବା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତତପରେ ଏହି ଖବରପାଇଁ ଆଜି ଛୁଟିଦିନ ଥିଲେ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ରସୁଲପୁର ଶିଶୁ ବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନବାଡି କର୍ମୀ ସହ ଆଲୋଚନା କରିଥିଲେ। ଏଭଳି ଅମାନବୀୟ ଘଟଣା କିପରି ଘଟିଲା ଓ ଏହା ଆଗକୁ ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୁରୁତ୍ୱ ସହ ନେଇ ପଞ୍ଚାୟତ ସ୍ତରୀୟ ଶିଶୁ କମିଟି ଜରିଆରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାସହ ଶିଶୁ ସୁରକ୍ଷା ଓ ଅଧିକାର ସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ। ଆଜିର ତଦନ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶୁ ଅଧିକାର ୟୁନିଟର ମିହିର କୁମାର ଜେନା, ରସୁଲପୁର ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ମୀନାକ୍ଷୀ ଦାସ,ବନ୍ଧଢିହ ପଞ୍ଚାୟତ ସରପଞ୍ଚ ଅମଲତା ଜେନା, ଶିଶୁ ଅଧିକାର ସାମାଜିକ କର୍ମୀ ମଣ୍ଟୁଦାସ,ଜୟସିଙ୍ଗୁଡା ଅଙ୍ଗନବାଡି କେନ୍ଦ୍ର ଏକନଂବର କର୍ମୀ ସ୍ବାଗତିକା ଜେନା,ଦୁଇ ନଂବର କର୍ମୀ ସବିତା ଜେନା ଉପସ୍ଥିତ ଥିଲେ।
ଚାଷ ଜମିରୁ ନବଜାତକ ଶିଶୁର ମୃତଦେହ ଉଦ୍ଧାର; ତଦନ୍ତକଲେ ଶିଶୁ ସୁରକ୍ଷା ଅଧିକାରୀ
|
December 12, 2020 |


