ଚାଷୀ, ମଧ୍ୟବିତ୍ତଙ୍କୁ ଉପହାର, ବନ୍ଧକ ମୁକ୍ତ ଋଣ କୃଷି ଋଣ ସୀମା ୧.୬୦ ଲକ୍ଷକୁ ବୃଦ୍ଧି

Spread the love

ମୁମ୍ବାଇ, ୮/୨ (ସନ୍ଧାନ ନିୟୁଜ) : କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ଚାଷୀ ଓ ମଧ୍ୟବିତ୍ତ ପରିବାରକୁ ଉପହାର ପ୍ରଦାନ କରାଯାଇଛି। ଚାଷୀଙ୍କ ପାଇଁ ବନ୍ଧକ ମୁକ୍ତ କୃଷି ଋଣ (କୋଲାଟରାଲ୍ ଫ୍ରି ଲୋନ୍‌) ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧ ଲକ୍ଷ ୬୦ ହଜାର ଟଙ୍କା କରାଯାଇଛି। ୨୦୧୦ ପରେ ଚାଷ କାର୍ଯ୍ୟରେ ବଢ଼ିଥିବା ଖର୍ଚର ମାତ୍ରା ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ବନ୍ଧକ ମୁକ୍ତ ଋଣ ସୀମା ବଢ଼ାଇଛି। ଏହା ଦ୍ବାରା ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀମା‌ନେ ଲାଭବାନ ହେବେ। ସେମାନେ ସୁବିଧାରେ ଓ ସହଜରେ ଋଣ ପାଇପାରିବେ। ଏହା ବ୍ୟତୀତ କୃଷି ଋଣରେ ରହିଥିବା ସମସ୍ୟାର ବାସ୍ତବ ସ୍ଥିତି ଜାଣିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଇଣ୍ଟରନାଲ୍‌ ୱାର୍କିଂ ଗ୍ରୁପ୍ ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା କୃଷି ଋଣକୁ ନେଇ ରହିଥିବା ଆଞ୍ଚଳିକ ବୈଷମ୍ୟ ଓ କେତେ ଚାଷୀଙ୍କ ପାଖରେ କୃଷି ଋଣ ପହଞ୍ଚୁଛି ତାହାର ତଥ୍ୟ ପ୍ରଦାନ କରିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ରେପୋ ହାର ହ୍ରାସ କରାଯାଇଥିବାରୁ ମଧ୍ୟବିତ୍ତ ବର୍ଗର ଲୋକମାନେ ଲାଭବାନ ହେବେ। ସେମାନଙ୍କ ଋଣର ମାସିକ କିସ୍ତି (ଇଏମ୍‌ଆଇ) ବୋଝ ହାଲୁକା ହେବ। ଘର, ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ କମ୍ ସୁଧରେ ଋଣ ନେଇପାରିବେ। କିଛି ଦିନ ତଳେ କାମଚଳା ବଜେଟ୍‌ ଘୋଷଣା କରି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଚାଷୀ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପହାର ପ୍ରଦାନ କରିଥିଲେ। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ-କିସାନ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ କ୍ଷୁଦ୍ର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ମୁକ୍ତ କରି ମଧ୍ୟବିତ୍ତ ଓ ବେତନଭୋଗୀ ବର୍ଗଙ୍କୁ ସରକାର ରିହାତି ପ୍ରଦାନ କରିଥିଲେ।

Related Posts

About The Author

Add Comment