ଚାଷୀଙ୍କ ପ୍ରତି ସରକାର ନିର୍ଦ୍ଦୟ ହୁଅନ୍ତୁ ନାହିଁ – ସରକାରୀ ମଣ୍ଡିରେ ଥିବା ଚାଷୀଙ୍କ ଧାନ ତୁରନ୍ତ ସରକାର କିଣନ୍ତୁ: ନିରଞ୍ଜନ

Spread the love

ଭୁବନେଶ୍ୱର ୬/୬ (ସନ୍ଧାନ ନିୟୁଜ୍) – ଏହି କରୋନା କାଳରେ ଚଳିତ ବର୍ଷ ରବିଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ। କରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା। ଧାନ ଅମଳ ବେଳକୁ ମାଡ଼ିଆସିଲା କାଳ ବୈଶାଖୀ। ପାଚିଲା ଧାନକୁ ପାଣିରୁ ଛାଣି ଆଣି ଅମଳ କରିବା ଓ ତାକୁ ଶୁଖେଇବା ପାଇଁ ନୟାନ୍ତ ହେଲାଚାଷୀ।ତା ପରେ ପରେ ଆସିଲା ୟାସ ବାତ୍ୟା। ଅମଳ ହୋଇଥିବା ଧାନକୁ ସୁରକ୍ଷିତ ରଖିବା ପାଇଁ ଝାଳ ନାଳ ହୋଇଗଲେ ଚାଷୀ। ମାତ୍ର ଏତକିରେ ସେମାନଙ୍କର ଦୁର୍ଦ୍ଦଶା ର ଅନ୍ତ ହେଲା ନାହିଁ। ଏବେ ଦୁର୍ଦ୍ଦଶା ହେଉଛି ଧାନ ବିକିବା ପାଇଁ। ଆଗରୁ ଦୁର୍ଦ୍ଦଶାର କାରଣ ଥିଲା ମହାମାରୀ କରୋନା ଏବଂ ପ୍ରକୃତି। ମାତ୍ର ସରକାରଙ୍କର ନୀତି ନିଷ୍ପତି ଏବେ ଚାଷୀଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ କରି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ସରକାର ଅଦ୍ଭୁତ ନୀତି ଗ୍ରହଣ କରିଛନ୍ତି। ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ। କାହାର କେତେ ଧାନ ଅମଳ ହେବ ତା ପାଇଁ ସରକାର ଆରଆଇ ମାନଙ୍କ ଦ୍ୱାରା ଏକ ଆକଳନ କରିଥିଲେ। ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଲେ ରେଜିଷ୍ଟ୍ରେସନ ପାଇଁ। ସେଥିପାଇଁ ଚାଷୀ ମଧ୍ୟ କମ ଧାଁ ଧପଡ଼ କରିନାହିଁ। କିନ୍ତୁ ସେସବୁ ଚୁଲିକି ଗଲା। ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ। ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ଚାଷୀଙ୍କୁ ନିଷ୍ପତିି ଶୁଣାଇଲେ କିନ୍ତୁ କେତେ କିଣାଯିବ କହିଲେ ନାହିଁ। କହିଲେ ଚାଷୀଙ୍କ ପାଖରେ ଟୋକନ ପଂହଚିବ। ଟୋକନ ପହଁଚିଲା। ମାତ୍ର ସେଥିରେ ଚାଷୀ ଅମଳ କରିଥିବା ଧାନ ର ଏକ ତୃତୀୟାଂଶ ମାତ୍ର ଦର୍ଶା ଯାଇଥିଲା। ହେଲେ ତା ମଧ୍ୟ କିଣା ଗଲା ନାହିଁ। ଟୋକନ ନେଇ ମଣ୍ଡିକୁ ଗଲାବେଳକୁ ମିଲ ବାଲା ଆସିଲା ନାହିଁ। ଫଳରେ ଅନେକ ଚାଷୀଙ୍କ ଟୋକନ ଅକାମି ହୋଇଗଲା। ଟୋକନ ବ୍ୟବସ୍ଥା ମଧ୍ୟ ଚାଷୀ ପାଇଁ ଏକ ପେଁଚ। ଆଗରୁ ଟୋକନ ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିଲା। ମାତ୍ର ଏବେ ତାକୁ ପନ୍ଦର ଦିନ ପରେ ଅକାମି କରିଦିଆ ଯାଉଛି। ଫଳରେ ସେହି ସମୟ ଭିତରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପାରିଲା ନାହିଁ। ତାହାହିଁ ହେଉଛି ଅନେକ ଚାଷୀଙ୍କ କ୍ଷେତ୍ରରେ। ଏମିତି ବି ଚାଷୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଏବେ ସୁଦ୍ଧା ମେସେଜ ପହଂଚି ନାହିଁକି ଟୋକନ ବି ପଂହଚିଁନି। ସେମାନେ ସମସ୍ତେ ଡହଳ ବିକଳ ହେଉଛନ୍ତି ଧାନ ବିକିବା ପାଇଁ। ଏହା ସାଙ୍ଗକୁ ମିଲର ମାନଙ୍କ ମନମାନି। କେବେ ଧାନ ସେମାନେ ମଣ୍ଡିରୁ ନେବେ ତାର କୌଣସି ଠିକ ଠିକଣା ନାହିଁ। ଫଳରେ କେବେ ଧାନ ମପା ହେବ ସେ ବିଷୟରେ ଜାଣିବା ପାଇଁ ଚାଷୀ ମଣ୍ଡିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି। ଧାନ ବିକିଲା ବେଳେ ଚାଷୀଙ୍କ ଉପରେ ଜୁଲମ। ସେମାନେ କଟନୀ ଓ ଛଟନୀ ର ଶିକାର ହେଉଛନ୍ତି। ସେମାନଙ୍କ ଧାନର ଗୁଣବତା ନାହିଁ ଏବଂ ସେଥିରେ ଆଦ୍ରତା ଅଛି ବୋଲି ଅଭିଯୋଗ କରି ଠାଏ ଠାଏ ୭/୮ କିଲୋ ଧାନ କଟା ଯାଉଛି। ସବୁ ଦୋଷ ଓ ବୋଝ ଚାଷୀଙ୍କ ଉପରେ ଲଦି ଦେଉଛନ୍ତି ସରକାର। ଧାନ କିଣିଲା ବେଳେ ଅଖା ମିଲ ମାଲିକ ଦେବା କଥା। ମାତ୍ର ତାହା ହେଉ ନାହିଁ। ଚାଷୀକୁ ଅଖା ସହ ଧାନ ଦେବାକୁ ପଡ଼ୁଛି। ଅଖା ପିଛା ୨୫ ଟଙ୍କା ଚାଷୀକୁ ଭରଣା କରିବାକୁ ପଡ଼ୁଛି। ଅଫିସର, ମିଲ ମାଲିକ ଆଉ ନେତା ଏକାଠି ହୋଇ ଚାଷୀଙ୍କୁ ଲୁଟ କରିବାରେ ଲାଗିଛନ୍ତି।

ପ୍ରଦେଶ କଂଗ୍ରେସ ଚାଷୀଙ୍କ ଏହି ଦୁର୍ଦ୍ଦଶାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି ଏବଂ ସରକାର ଯଦି ଏହାର ତୁରନ୍ତ ପ୍ରତିକାର ନ କରନ୍ତି, ତେବେ ରାଜ୍ୟର ସମସ୍ତ ମଣ୍ଡି ଓ ବ୍ଲକ ଅଫିସ ସାମ୍ନାରେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି। ଅକାମୀ ହୋଇଥିବା ଟୋକନ ଗୁଡ଼ିକୁ ସଚଳ କରିବା, ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ଦେବା, ଚାଷୀ ଯେଉଁ ଧାନ ଉତ୍ପାଦନ କରିଛି ସେ ସମସ୍ତ ଧାନକୁ କିଣିବା, କଟନୀ ଛଟନୀ ବନ୍ଦ କରିବା, ଅଖାର ବୋଝ ଚାଷୀଙ୍କୁ ନ ଦେଇ ମିଲରକୁ ଭରଣା କରିବାକୁ ବାଧ୍ୟ କରିବା ଇତ୍ୟାଦି ଦାବି ଗୁଡ଼ିକ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ପୂରଣ କରିବାକୁ ଦାବି କରିଛନ୍ତି ଶ୍ରୀ ପଟ୍ଟନାୟକ। ଏବେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାକୁ ସରକାର କେନ୍ଦ୍ରିଭୁତ କରି ଭୁବନେଶ୍ୱରରୁ ନିୟନ୍ତ୍ରଣ କରୁଛନ୍ତି। ଫଳରେ ନାନା ପ୍ରକାର ଅବ୍ୟବସ୍ଥା ଦେଖା ଦେଇଛି। ତେଣୁ ପୂର୍ବଭଳି ବିକେନ୍ଦ୍ରିତ ଢ଼ାଂଚାରେ ଧାନ କିଣା ପ୍ରକ୍ରିୟାକୁ ଚାଲୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Related Posts

About The Author

Add Comment