ନୂଆଦିଲ୍ଲୀ, ୨୦/୧୦ (ସନ୍ଧାନ ନିଉଜ) : ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ୪ଟି ସାଂସ୍କୃତିକ ଭିଡିଓ ଉନ୍ମୋଚନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅମିର ଖାନ, ଶାହରୁଖ ଖାନ, ରାଜକୁମାର ହିରାନୀ, କଙ୍ଗନା ରାଣାୱତ, ଆନନ୍ଦ ଏଲ. ରାୟ, ଏସ.ପି ବାଲସୁବ୍ରମଣ୍ୟମ, ସୋନମ କପୁର, ଜ୍ୟାକି ଶ୍ରଫ, ସୋନୁ ନିଗମ, ଏକତା କପୁର, ତାରକ ମେହେଟା ଗ୍ରୁପର ସଦସ୍ୟ, ଇଟିଭି ଗ୍ରୁପର ସଦସ୍ୟଙ୍କ ସମେତ ଭାରତୀୟ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଏହି ଆଲୋଚନା କାଳରେ ତାଙ୍କର ବ୍ୟକ୍ତିଗତ ଅନୁରୋଧ ରକ୍ଷା କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେମାନଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆସିଥିବାରୁ କଳା ଜଗତର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମନୋରଞ୍ଜନଧର୍ମୀ, ପ୍ରେରଣାଦାୟୀ ସର୍ଜନା ଦ୍ୱାରା ଦେଶର ଜନସାଧାରଣଙ୍କୁ ଅନୁପ୍ରାଣିତ କରିବା ଲାଗି ନିଜର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଓ ମନୋରଞ୍ଜନ ଉଦ୍ୟୋଗ ଜଗତକୁ ଆହ୍ୱାନ କରିଥିଲେ । ବର୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀ ଏପରି ଜଣେ ବ୍ୟକ୍ତି, ଯାହାଙ୍କ ବିଚାର ଆଜି ସାରା ବିଶ୍ୱର ଲୋକମାନଙ୍କୁ ଯୋଡ଼ି ପାରୁଛି ।ତାଙ୍କ ଦ୍ୱାରା ପ୍ରସ୍ତାବିତ ଆଇନଷ୍ଟାଇନ ଆହ୍ୱାନ ବିଷୟରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ବିଚାରକୁ ସାମ୍ନାକୁ ଆଣିବା ଲାଗି ପ୍ରଯୁକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ଚଳଚ୍ଚିତ୍ର ଜଗତକୁ ଆହ୍ୱାନ କରିଥିଲେ ।ପ୍ରଧାନମନ୍ତ୍ରୀ ମାମଲ୍ଲାପୁରମ ଠାରେ ଚୀନ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଆଲୋଚନା ବିଷୟରେ ସ୍ମରଣ କରାଇଥିଲେ, ଯେଉଁଥିରେ ଦଙ୍ଗଲ ଭଳି ଭାରତୀୟ ସିନେମାର ଚୀନରେ ଲୋକପ୍ରିୟତା ବିଷୟରେ ଚୀନ ରାଷ୍ଟ୍ରପତି ଉଲ୍ଲେଖ କରିଥିବା ସେ କହିଥିଲେ । ଦକ୍ଷିଣ ପୂର୍ବ ଏସିଆରେ ରାମାୟଣର ଲୋକପ୍ରିୟତା ବିଷୟରେ ସେ ମଧ୍ୟ ଉଲ୍ଲେଖ କରିଥିଲେ ।ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ସେମାନଙ୍କ ସଫ୍ଟ ପାୱାରକୁ ଉପଯୋଗ କରିବା ଲାଗି ଚଳଚ୍ଚିତ୍ର ଜଗତକୁ ସେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୨୨ରେ ଭାରତ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, ୧୮୫୭ରୁ ୧୯୪୭ ପର୍ଯ୍ୟନ୍ତ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ୧୯୪୭ରୁ ୨୦୨୨ ପର୍ଯ୍ୟନ୍ତ ଭାରତର ବିକାଶ ଆଧାରିତ ପ୍ରେରଣାଦାୟୀ କାହାଣୀ ପ୍ରଦର୍ଶିତ କରିବା ଲାଗି ସେ ଅନୁରୋଧ କରିଥିଲେ । ଭାରତରେ ଏକ ବାର୍ଷିକ ଅନ୍ତର୍ଜାତୀୟ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବାର ଯୋଜନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ସମୟରେ ସାରା ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ପ୍ରସାର ଲାଗି ଯୋଗଦାନ ଦେବାକୁ ଅନୁପ୍ରାଣିତ କରିଥିବାରୁ ଅଭିନେତା ଅମିର ଖାଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ ଉଲ୍ଲେଖ କରିଥିଲେ ଯେ ଆଜି ଉନ୍ମୋଚନ ହୋଇଥିବା ଭିଡିଓ ଭିତରୁ ଗୋଟିଏ ‘ନିଜ ଭିତରେ ପରିବର୍ତନ’ ଆଣିବାର ବିଷୟବସ୍ତୁ ଆଧାରିତ । ଲଗାତାର ପ୍ରୋତ୍ସାହନ, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏକ ମହାନ ଉଦ୍ଦେଶ୍ୟ ଲାଗି ସମଗ୍ର ଚଳଚ୍ଚିତ୍ର ଜଗତକୁ ଗୋଟିଏ ମଂଚରେ ଏକାଠି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିଶିଷ୍ଟ ଅଭିନେତା ଶାହରୁଖ ଖାନ କହିଥିଲେ ଯେ ଏପରି ପ୍ରୟାସ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ପୁନଃସ୍ଥାପିତ କରିବା ସହିତ ସାରା ବିଶ୍ୱକୁ ଗାନ୍ଧୀ ୨.୦ ସମ୍ପର୍କରେ ପରିଚିତ କରାଇବ । ରାଷ୍ଟ୍ର ନିର୍ମାଣରେ ମନୋରଞ୍ଜନ ଜଗତର ଯୋଗଦାନ ବିଷୟରେ ଅବଗତ କରାଇଥିବାରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ଆନନ୍ଦ ଏ ରାୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମନୋରଞ୍ଜନ ଜଗତର ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ବ୍ୟକ୍ତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପରେ ଆଧାରିତ ଏହି ଭିଡିଓଗୁଡ଼ିକ ରାଜକୁମାର ହିରାନୀ, ଇଟିଭି ଗ୍ରୁପ, ତାରକ ମେହେଟା ଗ୍ରୁପ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପନା ଓ ନିର୍ମାଣ କରାଯାଇଛି ।
ଚଳଚ୍ଚିତ୍ର ଓ ମନୋରଞ୍ଜନ ଉଦ୍ୟୋଗର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
|
October 20, 2019 |
