ନୂଆଦିଲ୍ଲୀ, ୧୨/୯ (ସନ୍ଧାନ ନିଉଜ) : ଚନ୍ଦ୍ରପୃଷ୍ଠରେ ସୂଷ୍ମ ଅବତରଣ କରିବାରେ ବିଫଳ ହେବାପରେ ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିଜର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏବେ ଏହି ମାମଲାରେ ଇସ୍ରୋ ସହ ହାତ ମିଳାଇଛି ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା। ବିକ୍ରମ ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନାସାକୁ ଇସ୍ରୋ କର୍ତ୍ତୃପକ୍ଷ ଅନୁମତି ଦେବାପରେ ନାସା କର୍ତ୍ତୃପକ୍ଷ ଏବେ ରାତିଦିନ ଏକ କରି ଏହି କାର୍ଯ୍ୟରେ ଲାଗି ପଡ଼ିଥିବା ଜାଣିବାକୁ ମିଳିଛି।
ନାସା ଏବେ ନିଜର ଜେଟ୍ ପ୍ରଣୋଦନ ପ୍ରୟୋଗଶାଳା, ‘ଜେଟ୍ ପ୍ରୋପୁଲସନ୍ ଲାବୋରେଟୋରି’ (ଜେପିଏଲ୍) ମାଧ୍ୟମରେ ନିଜର ଗଭୀର ଅନ୍ତରୀକ୍ଷ ନେଟ୍ଓ୍ଵାର୍କ, ‘ଡିପ୍ ସ୍ପେସ୍ ନେଟଓ୍ଵାର୍କ’ (ଡିଏସ୍ଏନ୍)କୁ ବ୍ୟବହାର କରି ଲ୍ୟାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛି। ଏହି ଉଦ୍ଦେଶ୍ୟରେ ନାସା ଭୂପୃଷ୍ଠରେ ରହିଥିବା ନିଜର ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆସ୍ଥିତ ଗୋଲଡ୍ଷ୍ଟୋନ୍, ସ୍ପେନ୍ର ମାଦ୍ରିଦ୍ ଓ ଅଷ୍ଟ୍ରେଲିଆର କାନ୍ବେରାରେ ଅବସ୍ଥିତ ଭୂପୃଷ୍ଠ କେନ୍ଦ୍ରଗୁଡ଼ିକରୁ ନିଜର ଗଭୀର ଅନ୍ତରୀକ୍ଷ ନେଟ୍ଓ୍ଵାକ ବ୍ୟବହାର କରି ଲ୍ୟାଣ୍ଡର ବିକ୍ରମକୁ ହାଇ ଫ୍ରିକ୍ୟୁଏନ୍ସି ରେଡିଓ ଓ ଲେଜର ସିଗ୍ନାଲ ପଠାଇବା ସହ ବିଚ୍ଛିନ୍ନ ହୋଇ ପଡ଼ିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଆରମ୍ଭ କରିଛି। କାରଣ ନାସାର ଏହି ସବୁ ଭୂପୃଷ୍ଠ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଡିଗ୍ରିରେ ବିଭିନ୍ନ ଉଚ୍ଚତା ବିଶିଷ୍ଟ ଉଚ୍ଚଶକ୍ତି ସଂପନ୍ନ ଆଣ୍ଟେନା ଓ ରାଡାର ମହଜୁଦ୍ ରହିଛି। ମହାକାଶକୁ ଛଡ଼ା ଯାଉଥିବା ଯେ କୌଣସି ସାଟେଲାଇଟ୍ ସହ ଏହି ସବୁ କେନ୍ଦ୍ରରୁ ଯୋଗାଯୋଗ ସ୍ଥାପନ କରାଯାଇ ପାରିବ।