ବଡ଼ଚଣା,୧୪/୧୦ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ)-ଗୋଟେପଟେ ମହାମାରୀ କରୋନାରେ ବହୁ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଅନ୍ୟପଟେ ଘରୋଇ ସ୍କୁଲମାନଙ୍କର ଅତ୍ୟଧିକ ମନମୁଖି ସ୍କୁଲ ଦେୟ ଆଦାୟ ସାଧାରଣଙ୍କର ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେଉଅଛି । ବିଶେଷ କରି ଚଣ୍ଡିଖୋଲ ଛକରୁ ୩/୪ କିମି ମଧ୍ୟରେ ଥିବା କିଛି ଶିକ୍ଷାନୁଷ୍ଠାନ ଉପରେ ବଡ଼ଚଣାର ପ୍ରାୟ ଶତକଡ଼ା ୬୦ ଭାଗ ଅଭିଭାବକ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ଏହାର ସୁଯୋଗ ନେଇ ଘରୋଇ ସ୍କୁଲ ମାନଙ୍କର ମନମୁଖି ଦେୟ ଆଦାୟ ଅଭିଭାବକ ଅସନ୍ତୋଷ ପ୍ରକାଶ ପାଉଛି । କରୋନା ସମୟରେ ବହୁ ଲୋକମାନେ କର୍ମ ସଂସ୍ଥାନ ହାରାଇଛନ୍ତି । ବ୍ୟବସାୟ କରୁଥିବା ଓ ବେସରକାରୀ ଚାକିରୀ କରୁଥିବା ଲୋକମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ କରୋନା ଯୋଗୁଁ ଖରାପ ହୋଇ ପଡ଼ିଛି । ଏଭଳି ସମୟରେ ବହୁ ଅଭିଭାବକମାନେ ନିଜ ନିଜର ପିଲାମାନଙ୍କର ବିଦ୍ୟାଳୟର ଫିସ୍ ଦେବାକୁ ଅସମର୍ଥ ହୋଇ ପଡ଼ିଛନ୍ତି । ଏହି ଫିସ୍କୁ ନେଇ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଅଭିଭାବକମାନେ ଫିସ୍କୁ ନେଇ ଆଇନ୍ର ଆଶ୍ରୟ ନେଉଛନ୍ତି । ଏ ପର୍ଯ୍ୟନ୍ତ ଏହି ଫିସ୍ ବାବଦ ନିଷ୍ପତି ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରଧିନ ରହିଅଛି କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନମାନେ ଏବେ ଛାତ୍ରଛାତ୍ରୀମାନଙ୍କ ଠାରୁ ପୂର୍ବଭଳି ପୁନଃପ୍ରବେଶ ଦେୟ ଓ ମାସିକିୟା ଦେୟ ଆଦାୟ କରୁଛନ୍ତି ଯାହାକୁ ନେଇ ବଡ଼ଚଣା ଅଂଚଳର ଥିବା ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବଡ଼ଚଣା ବ୍ଲକ୍ ଅଂଚଳରେ ଏହିଭଳି ୫ରୁ ଉଦ୍ଧ୍ୱର୍ ସିବିଏସଇ ଓ ଆଇସିଏସଇ ପାଠ୍ୟକ୍ରମ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଅଛି । ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରୁ ସରକାର କରୋନା ପାଇଁ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦେଇଥିଲେ ସେବେଠାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନଯାଇ ଘରେ ରହି ପଢ଼ାପଢ଼ି କରୁଥିଲେ କିଛି ବିଦ୍ୟାଳୟ ଅଗଷ୍ଟ/ସେପ୍ଟେମ୍ବର ମାସରେ ଅନ୍ଲାଇନ୍ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ମାତ୍ର ଏହି ଅନଲାଇନ୍ ପାଠ୍ୟକ୍ରମ ସପ୍ତାହର ପ୍ରତ୍ୟେକଦିନ ହେଉନଥିଲା କିନ୍ତୁ ଏବେ ପୁନଃପ୍ରବେଶ ଓ ମାସିକିୟା ଦେୟ ବାବଦକୁ ଘରୋଇ ଶିକ୍ଷାନୁଷ୍ଠାନମାନେ ଅର୍ଥ ଦାବୀ କରୁଛନ୍ତି । ମାସିକିୟା ଦେୟ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଓ ପୁନଃପ୍ରବେଶ ଦେୟ ଏକକାଳୀନ ପୈଠ ନକଲେ ଷାଣ୍ମାସିକ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବହୁ ଅଭିଭାବକଙ୍କୁ ଫୋନ୍ ମାଧ୍ୟମରେ ଜଣାଇଦେଇଛନ୍ତି । କିଛି ଅଭିଭାବକ ନିଜର ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଧାର-ଉଧାର, ସୁନା-ରୂପା ବନ୍ଧକ ରଖି ବିଦ୍ୟାଳୟର ଦେୟ ଦେଉଥିବାର ଦେଖାଯାଉଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏ ସଂପର୍କରେ ଏକ ଲିଖିତ ଅଭିଯୋଗ କିଛି ବଡ଼ଚଣାର ବୁଦ୍ଧିଜୀବୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଜଟକୁ ପଠାଇଛନ୍ତି ଏବଂ ଏହାର ତଦନ୍ତ କରିବାକୁ ଅନୁରୋଧ ଜଣାଇଛନ୍ତି । ଏ ସଂପର୍କରେ କିଛି ଅଭିଭାବକମାନେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କୁ ପଚାରିବାରୁ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବାବଦକୁ ଏହି ଅର୍ଥ ନେଉଛୁ ବୋଲି ସଫେଇ ଦେଇଛନ୍ତି । ଏବଂ ଏ ଅର୍ଥ ଅଭିଭାବକମାନେ ଦେବାକୁ ବାଧ୍ୟ ବୋଲି ଦର୍ଶାଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଘରୋଇ ଶିକ୍ଷାନୁଷ୍ଠାନମାନେ ଛାତ୍ରଛାତ୍ରୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ କୋଭିଡ଼-୧୯ ଭଳି ଆର୍ଥିକ ମାନ୍ଦାବସ୍ଥା ସମୟରେ ସ୍କୁଲ ବନ୍ଦ ଥିବା ବେଳେ ସ୍କୁଲ ଫି ଏବଂ ପୁନଃପ୍ରବେଶ ଦେୟ ନେବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ଘରୋଇ ସ୍କୁଲମାନଙ୍କର ମନମୁଖି ଫିସ୍ ଆଦାୟକୁ ବିରୋଧ, କାର୍ଯ୍ୟନୁଷ୍ଠାନ ଦାବୀ
|
October 14, 2020 |



