ରାଉରକେଲା (ସନ୍ଧାନ ନିଉଜ): ବୈଶିକ ମହାମାରୀ କରେନା ଉପରେ ଲଗାମ ଲଗାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଚେଷ୍ଟା ଅବ୍ୟାହତ ରହିଛି । ସେପଟେ କରୋନା କାୟା ମେଲାଇବାରେ ଲାଗିଛି । କରୋନା ଠାରୁ ବର୍ତିବା ପାଇଁ ମାସ୍କ, ସାନିଟାଇଜର, ସାବୁନ ଆଦିକୁ ଲୋକେ ଅମୋଘ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି । ନିଜ ତଥା ପରିବାରର ରୋଗ ପ୍ରତିରୋଧକ ଶକ୍ତି(ଇମ୍ୟୁନିଟି ପାୱାର) ବୃଦ୍ଧି କରିବାକୁ ପ୍ରାୟ ସଭିଏଁ ଚେଷ୍ଟିତ ଥିବା ଦେଖିବାକୁ ମିଳିଛି । ଶରୀରର ପ୍ରତିରୋଧକ ଶକ୍ତ ି ବୃଦ୍ଧି ପାଇଁ ଯୁବକ ଠାରୁ ବୟସ୍କ ପର୍ଯ୍ୟନ୍ତ ଏଲୋପାଥିକ, ହୋମିଓପାଥିକ ଓ ଆର୍ୟୁବେଦିକ ଔଷଧକୁ ବ୍ୟବହାର କରୁଛନ୍ତି । ବିଭିନ୍ନ ପ୍ରକାର ଭିଟାମିନ ‘ସି’ ଟାବଲେଟ, ଲିଭର ସେଟ୍ରିଜିନ ଟାବଲେଟ, ବି- କଂପ୍ଲେକସ ଟାବଲେଟ, କଫ ସିରାଫ ଆଦିର ବିକ୍ରି କରୋନା କାଳରେ ବଢିଛି ବୋଲି ସାରନଗରୀର ଔଷଧ ବିକ୍ରେତା ଆଲୋକ ବସ୍ତିଆ ପ୍ରକାଶ କରିଛନ୍ତି ।
କିଛି ଲୋକ ଘରୋଇ ଉପଚାରକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଅନ୍ୟ ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ଘରେ ପ୍ରସ୍ତୁତ ଗ୍ରୀନ ଟି, ଲେମନ ଟି, କାଢାକୁ ପାନୀୟ ରୂପେ ଗ୍ରହଣ କରାଯାଉଛି । ଏହି ସବୁ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଉପାଦାନ ଯେପରି ଗୋଲମରିଚ,ରସୁଣ, ଅଳେଇଚ, ଡାଲଚିନି ଲେମ୍ବୁ, ହଳଦୀ, ପୁଦିନା ପାଉଡ଼ର ଅବା ପତ୍ରର ଚାହିଦା ସ୍ଥାନୀୟ ବଜାରରେ ବୃଦ୍ଧି ପାଇଛି । ଏହି ସବୁ ଜିନିଷକୁ ଜୀବାଣୁ ନିରୋଧୀ ଭାବେ ଗଣନା କରାଯାଇଥାଏ । ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା କିଛି ଲୋକ ଘରର ଛାତ ଉପରେ ଥିବା କୁଣ୍ଡରେ ଔଷଧୀୟ ଚାରା ଲଗାଇ ଏହାକୁ ଘରୋଇ ଉପଚାରରେ ନିୟୋଜିତ କରୁଛନ୍ତି । ବଜାର ସର୍ବେକ୍ଷଣ ସଂସ୍ଥା ନିଲସନ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ଏବେ ମହାମାରୀର ମୁକାବିଲା ପାଇଁ ଘରୋଇ ଉପଚାର ମଧ୍ୟରେ ହଳଦୀର ବ୍ୟବହାର ବହୁ ମାତ୍ରାରେ ବଢି ଯାଇଛି । ସମ୍ପ୍ରତି ବହୁ ଲୋକ କ୍ଷୀରରେ ହଳଦି ମିଶ୍ରିତ କରି ସେବନ କରୁଛନ୍ତି । କାଢା ବନାଇବା ପାଇଁ ହଳଦୀର ବ୍ୟବହାର ହେଉଛି । କରୋନା କାଳରେ ବଜାରରେ କ୍ଷୀର ଚା ଅପେକ୍ଷା ଲୋକେ ଲେମ୍ୁ ମିଶ୍ରିତ ନାଲି ଚା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସାରନଗରୀରେ ସି ବ୍ଲକରେ ବାସ କରୁଥିବା ଆରଏସ୍ପି କର୍ମଚାରୀ ଅନୀଲ ମଲ୍ଲିକଙ୍କ କହିବା ଅନୁଯାୟୀ ସେ ସକାଳେ ଓ ସଂଧ୍ୟାରେ ନିୟମିତ ଘରୋଇ ଉପଚାର ଭାବେ କାଢା ସେବନ କରୁଛନ୍ତି । ଗୋଟିଏ ପଟେ ଘରୋଇ ଉପଚାର ଶସ୍ତା ଓ ହାତପାହାନ୍ତାରେ ସୁବିଧାରେ ମିଳି ଯାଉଥିବାରୁ ଅନେକ ପରିବାର ଘରୋଇ ଉପଚାର ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆଗଭର ହୋଇ ଉଠିଛନ୍ତି ।
ଘରୋଇ ଉପଚାରରେ ଲାଗିପଡ଼ିଛନ୍ତି ରାଉରକେଲିଆ!
|
August 28, 2020 |



