ବାଲିଗୁଡା, ତା, ୦୭/୦୩/୨୫: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସିମନବାଡି ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଘଟଣା ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରା ଘଟଣାକୁ ନେଇ କୌଣସି ପଦକ୍ଷେପ ନନେବା କିମ୍ବା ଘଟଣା ଘଟିଥିଲେ ମଧ୍ୟ ତଦନ୍ତ ନକରିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ବିଇଓଙ୍କ କାର୍ଯ୍ୟାଳୟରୁ ମାତ୍ର ୧୨ କିମି ଦୂରତାରେ ଉକ୍ତ ବିଦ୍ୟାଳୟ ରହିଥିବା ବେଳେ କେଉଁ ପରିସ୍ଥିତିରେ ବିଇଓ ଘଟଣା ରେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ ମଧ୍ୟ ସେ ନିରବ ରହିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଅଭିଭାବକ ମାନେ କହିଛନ୍ତି। ଘରୋଇ ଅନୁଷ୍ଠାନ କୁ ସରକାରୀ ସ୍ତରରେ ବିଇଓ ତଦନ୍ତ କରି ଏନଓସି ପ୍ରଦାନ କରିଥାନ୍ତି ସରକାରଙ୍କ ଗାଇଡଲାଇନକୁ ମାନି ଘରୋଇ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ପରିଚାଳନା କରିବା ନିୟମ ସଠିକ ଭାବେ ପାଳନ କରାଯାଉଛିକି ନାହିଁ ତାର ତଦାରଖ କରିବା ନିୟମ କୁ ତଦାରଖ କରିବା ବିଇଓଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ତାହା ପାଳନ କରାଯାଉନଥିବା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଭାବକ ମାନେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ବିଇଓ, ବ୍ଲକ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ ଖବର ପ୍ରକାଶିତ କୁ ନେଇ ରାଜ୍ୟ ଅନୁସୂଚିତ ଜନଜାତି, ଜାତି ବିଭାଗର ସଚିବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ତଦନ୍ତ କରି ଜିଲ୍ଲାକୁ ରିପୋର୍ଟ ଦେଇଛନ୍ତି ସେ ତଦନ୍ତ କରିବା ସମୟରେ ବିଦ୍ୟାଳୟର କର୍ତ୍ତ୍ୟୁପକ୍ଷଙ୍କ ଅନେକ ତ୍ରୁଟି ଥିବା ସେ ରିପୋର୍ଟ ରେ ଦର୍ଶାଇଛନ୍ତି। ଏକାଧିକ ଅଭିଭାବକ ଫି’ଦେଇପାରି ନଥିବା ବେଳେ ହାତ ଗଣତି କିଛି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରାଯାଇଛି ସେହିପରି ବକେୟା ଥିଲେ ପରୀକ୍ଷା ଦେଇପାରିବେନି ବୋଲି କୌଣସି ଅଭିଭାବକଙ୍କ ଠାରୁ ଅଣ୍ଡରଟେକିଂ ଲିଖିତ ରଖାଯାଇନଥିବା ଭଳି ତ୍ରୁଟିକୁ ସେ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ସେପଟେ ନିଜ ଭୁଲ କୁ ସୁଧାରିବାକୁ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ତଦନ୍ତ ପରେ ଅଭିଭାବକ ମାନଙ୍କୁ ବୈଠକ ଡାକିବା ସହ ପରୀକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ସୁଯୋଗ ଦେଇଛନ୍ତି। ପ୍ରକାଶ ଯେ, ସୋମବାର ଠାରୁ ଷଷ୍ଠ ଠାରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ ୫ ଦିନ ପରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିଥିବା ଅଭିଭାବକ ପ୍ରତାପ ଦିଗାଲ, ଶ୍ୟାମସେନ ଦିଗାଲ କହିଛନ୍ତି। ବିଇଓ ଆସି ନ ଥିବା ନେଇ ବିଇଓ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଯେ, ସେ ସରକାରଙ୍କ ନିୟମ ଉଲଂଘନ କରିଥିଲେ ତଦନ୍ତ କରିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଘରୋଇ ଅନୁଷ୍ଠାନରେ ଫି’ ଦେଇ ନ ପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ୫ ଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦେବାକୁ ମିଳିଲା ସୁଯୋଗ
|
March 9, 2025 |
