ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ବେଳେ   ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ:

Spread the love
ବାଲିଗୁଡା,୨୩/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କୋରୋନା ମହାମାରୀର ଦ୍ୱିତୀୟ ଲହର ସମଗ୍ର ଦେଶରେ ତାଣ୍ଡବ ରଚି ଚାଲିଥିବା ବେଳେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ଏପରି ସ୍ଥଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ କିରୀକୁଟି ପଞ୍ଚାୟତର ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ପ୍ରଭୃତି ଗ୍ରାମରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅଶୀରୁ ଉର୍ଦ୍ଧ୍ବ ଲୋକ ସପ୍ତାହେ ହେଲା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଗତ ତିନିଦିନ ତଳେ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ସହସ୍ର ମଲିକ। ଏନେଇ ଖବର ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ଜନସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତରାୟ ଏକ ଟିମ ନେଇ ସେଠାରେ ପହଞ୍ଚିଥିଲେ। ତାଙ୍କ ସହ ଦାରିଙ୍ଗବାଡି ବିଡି଼ଓ ଅଭିମନ୍ୟୁ ବେହେରା ଏବଂ ତହସିଲଦାର କଳାକୃଷ୍ଣ ପ୍ରଧାନ ମଧ୍ୟ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ଘର ଘର ବୁଲି ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ନିଜ ଗାଁରେ ସ୍ଥାନୀୟ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝୁଥିବାରୁ ଗ୍ରାମର ଅନେକ ଲୋକ ଭୟରେ ନିଜ ଘରର ତାଟି କବାଟରେ ତାଲା ପକାଇ କିଏ କୁଆଡ଼େ ଚାଲିଯାଇଥିଲେ। ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ଆଣ୍ଟିଜେନ ଟେଷ୍ଟ, ଆରଟିପିସିଆର ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ କୋରନା ପଜଟିଭ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁର ୨ ପ୍ରବେଶ ଦ୍ୱାରରେ ବାଉଁଶ ପକାଇ ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମକୁ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଯାଇଛି। ଏହା ସହ ଘରକୁ ଘର ବୁଲି ସଭିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର ଆଶାଙ୍କ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜ୍ବରରେ ଆକ୍ରାନ୍ତ ରହିଥିବା ବ୍ୟକ୍ତିଙ୍କ ନିକଟରେ କୋରୋନା ଭୂତାଣୁର ସେଭଳି କୌଣସି ଲକ୍ଷଣ ନଥିବା ବେଳେ କେବଳ ମୁଣ୍ଡ ବ୍ୟଥା ଜ୍ୱର ଲାଗି ରହିଥିବାରୁ ସେମାନଙ୍କୁ ଆବଶ୍ୟକୀୟ ସେବା  ଯୋଗାଇ ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment