ଗୋଟିଏ ଜୁଇରେ ଜଳିଲା ପରିବାରର ୪ଜଣଙ୍କ ଶବ

Spread the love

ଝାରସୁଗୁଡ଼ା, ୦୪/୦୬/୨୦ (ସନ୍ଧାନ ନିଉଜ) : ଝାରସୁଗୁଡା ବିଟିଏମ୍‌ ଶ୍ମଶାନରେ ଦେଖିବାକୁ ମିଳିଛି ଏକ ଶୋକାକୂଳ ପରିବେଶ। ଏକ ସମୟରେ ଗୋଟିଏ ପରିବାର ୪ଜଣଙ୍କ ଜୁଇ ଜଳିଛି ଶ୍ମଶାନରେ। ଏକାଠି ଜୁଇ ଜଳୁଥିବାର ଦୁଃଖଦ ଘଟଣାକୁ ଦେଖି ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଶ୍ମଶାନରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଖି ଲୁହରେ ଭରି ଯାଇଥିଲା। ଏକାଠି ମା’, ଦୁଇପୁଅ ଓ ଝିଅଙ୍କ ଜୁଇ ଜଳୁଥିବା ଦେଖି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ କହି ଅଞ୍ଚଳବାସୀ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ୪ ଜଣଙ୍କ ମୃତଦେହକୁ ଉତ୍କଳ ଆଳୀୟା ଖଣ୍ଡାୟତ ସମାଜ, କିଛି ଗ୍ରାମବାସୀ ଓ ମୃତ ଯୁବକଙ୍କ କିଛି ସାଙ୍ଗ ମିଶି ସଂସ୍କାର କରିଥିଲେ।

ସୂଚନାଯୋଗ୍ୟ, ଗତ ଜୁନ୍‌ ୧ ତାରିଖରେ ଘରର ସାନ ପୁଅ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ପରିବାରର ସଦସ୍ୟ ମା’ ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୂର୍ବରୁ ଗତକାଲି ବଡପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ମୁତାବକ ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଘରର ସାନପୁଅ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକଙ୍କର ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ । ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ । ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଦୁଃଖରେ ପୂରା ପରିବାର ମ୍ରିୟମାଣ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଇ ନ ଥିଲେ।

ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ । ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ତାଙ୍କ ବଡ ଭାଇ, ତିନି ଜଣ ଭଉଣୀ ଓ ମା’ ଏକତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଦୁର୍ଭାଗ୍ୟବଶତଃ ଏଥିରେ ମା’ ପୁଷ୍ପାବତୀ, ଝିଅ ପିଙ୍କି ଓ ପୁଅ ଶ୍ରୀକାନ୍ତ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।।

Related Posts

About The Author

Add Comment