ଗେଣ୍ଡୁଲିପିଟା ଗାଁ ସରକାରଙ୍କ କୌଣସି ବିକାଶ ଛୁଇଁ ପାରିନି

Spread the love

ବାଲିଗୁଡା,01/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି କଖାରୁଝୋଳ ପଞ୍ଚୟତ ଅଧୀନ ଗେଣ୍ଡୁଲିପିଟା ଗାଁ। ବ୍ଲକ କାର୍ଯ୍ୟାଳୟଠାରୁ ୨୦ କି.ମି. ଦୂର କଖାରୁଝୋଳ ପଞ୍ଚାୟତ। ପଞ୍ଚାୟତର ୧୩ ନଂ. ଓ୍ବାର୍ଡରେ ଥିବା ଗେଣ୍ଡୁଲିପିଟା ଗାଁକୁ ବିକାଶ ଛୁଇଁନି। ସବୁଦିନିଆ ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ। ଚୁଆରୁ ପାଣି ସଂଗ୍ରହ କରି ଲୋକେ ଜୀବନ ଜିଉଛନ୍ତି। ସମସ୍ୟା ସମାଧାନ ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନକୁ ବହୁବାର ଅବଗତ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ଗୋଟିଏ ବି ନଳକୂପ ନାହିଁ। ଗ୍ରାମର ଲୋକେ ପାନୀୟ ଜଳ ପାଇଁ ବାରନାଳିୟା ନାଳ ଉପରେ ନିର୍ଭର କରି ଆସୁଛନ୍ତି। ନାଳ ଶୁଖିଗଲେ ଚୂଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଏହି ଦୂଷିତ ପାଣି ପିଇବା ଦ୍ୱାରା ଲୋକେ ନାନା ରୋଗରେ ପଡ଼ୁଛନ୍ତି। ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା କରାଇ ପାରୁନାହାନ୍ତି। କାରଣ ଏଠାରେ ମେଡିକାଲ ସୁବିଧା ନାହିଁ। ଗ୍ରାମକୁ ଭଲ ରାସ୍ତା ନାହିଁ। ବର୍ଷା ହେଲେ କାଦୁଅ ପଚପଚ ରାସ୍ତାରେ ଯାଆସ କରିବାକୁ ହୁଏ। କାହାରି ଦେହ ଖରାପ ହେଲେ ସୁଦୂର ମେଡିକାଲ ନେବା କଷ୍ଟକର ହୋଇପଡେ ବୋଲି ଗ୍ରାମ ସଭାପତି ମହାରଥୀ ମଳିକ, କାର୍ତ୍ତିକ ମଳିକ, ଲକ୍ଷେଶ୍ୱର ମଳିକ, ରଞ୍ଜନ ମଳିକ, ସନୁଜା ମଳିକ, ମାଳତୀ ମଳିକ, ରଜନୀ ମଳିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ସରପଞ୍ଚ ମମତା ମଳିକଙ୍କୁ ପଚାରିବାରେ ସମସ୍ୟା ବିଷୟରେ ବ୍ଲକ ଏବଂ ଜିଲା ପ୍ରଶାସନକୁ ଜଣାଇଛୁ। ଆଗାମୀ ଦିନରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।

 

Related Posts

About The Author

Add Comment